Unknown

 

 

 

 

 

 

 

 

 

 

 

ନିର୍ବାସିତା

କାଳିଆ ପାଣିଗ୍ରାହୀ

 

ପ୍ରେମାଳାପ

(ପ୍ରଥମ ପରିଚ୍ଛେଦ)

 

ଏବେ ବନବାସ କଷ୍ଟ ସ୍ମୃତିପଥାରୂଢ଼ ହେଲେ ହୃଦୟ ଅପୂର୍ବ କୌତୁକ ଓ ଆନନ୍ଦରେ ପୂର୍ଣ୍ଣ ହୁଏ । ବନର ଶ୍ୟାମଳଶୋଭା ତୁଳନାରେ ଉଦ୍ୟାନର କୃତ୍ରିମ ପରିପାଟୀ ଅତି ନିକୃଷ୍ଟ ବୋଧ ହୁଏ । ଚିତ୍ରକୂଟର ମନୋରମ ଦୃଶ୍ୟ, ପଞ୍ଚବଟୀର ପର୍ଣ୍ଣକୁଟୀର, ଦଣ୍ଡକାରଣ୍ୟର ପ୍ରକାଣ୍ଡ କଳେବର, ବିସ୍ତାରିତ ଶାଖା ଓ ଆକାଶସ୍ପର୍ଶୀ ମହୀରୂହନିଚୟ ମନେ ପଡ଼ିଲେ ହୃଦୟ ବିସ୍ମୟରସରେ ପ୍ଳାବିତ ହୁଏ । ଗୋଦାବରୀର ବୁଦ୍‌ବୁଦ-ଶୋଭିତ-ତରଙ୍ଗ-ଲାସ୍ୟ, ନଦୀକୂଳର ଶ୍ୟାମଳ ଗୁଳ୍ମରାଜି ଓ ଶୁଭ୍ର ସୈକତ ପ୍ରାନ୍ତର ସରଯୁ ଦର୍ଶନରେ ସୀତାଙ୍କ ହୃଦପଟରେ ବିରାଜିତ ହୁଏ । କିନ୍ତୁ ଯେତେବେଳେ ମାୟାବୀ କପଟାଚାରୀ ଦୁର୍ଦ୍ଦାନ୍ତ ରାବଣର କପଟ ସନ୍ନ୍ୟାସୀ ବେଶ ଓ ତାହାର ଭୀଷଣ ତର୍ଜନ ମନକୁ ଆସେ ସେ ଭୟ ବିହ୍ୱଳା ହୋଇ କାତର କଣ୍ଠରେ କହି ଦିଅନ୍ତି,–‘‘ନାଥ, ରକ୍ଷାକର ।’’ ଏହା କହି ସ୍ୱାମୀଙ୍କୁ ଆଲିଙ୍ଗନ କରି ପକାନ୍ତି । ରାମ ସେହି ପ୍ରେମାଲିଙ୍ଗନରେ ଚଉଦ ବର୍ଷର ବନବାସ ଦୁଃଖ, ଅରଣ୍ୟ-ବାସରେ ପ୍ରିୟତମାର ବିରହ ଦୁଃଖ ଏବଂ ଭୀଷଣ ଲଙ୍କା ସମରର କାୟିକ କ୍ଳେଶ ଥରେ ବିସ୍ମୃତ ହୁଅନ୍ତି । ଦେବୀଙ୍କ କୋମଳ-କର-ସ୍ପର୍ଶରେ ତାଙ୍କ ଗାତ୍ର ରୋମାଞ୍ଚିତ ହୁଏ । ସୀତା ତାଙ୍କ ମୁଖାରବିନ୍ଦଟି ନିଃସହାୟ ଭାବରେ ସ୍ୱାମୀଙ୍କ ବକ୍ଷ ଦେଶରେ ଲୁଚାଇ ଦେଲେ, ଶ୍ରୀରାମଙ୍କ ହୃଦୟଦେଶ ପ୍ରେମରେ ଦକ୍ ଦକ୍ କରେ । ‘‘କ’ଣ ହେଲା ପ୍ରିୟେ ?’’ କହି ଦେବୀଙ୍କୁ କୋଳରେ ଧରନ୍ତି । ସୀତାଙ୍କ ପ୍ରାଣ କ୍ଷଣକାଳ ଅପୂର୍ବ ସୁଖ ରାଜ୍ୟରେ ବିଚରଣ କରେ । ବଧୁଲି ଅଧରରେ ଧୀରେ ଧୀରେ ହାସ୍ୟ ଖେଳି ଉଠି ମୁଖଚନ୍ଦ୍ର ରଞ୍ଜିତ କରେ । ପଙ୍କଜ ନିନ୍ଦିତ ନୟନ ଯୁଗଳରୁ ଅପୂର୍ବ ଜ୍ୟୋତି ବିକୀରଣ ହୁଏ । ସେ ହସି ହସି କହନ୍ତି, ‘‘ନାହିଁ, ନାଥ, କିଛି ନାହିଁ ।’’ ପତ୍ନୀଙ୍କ କୁନ୍ତଳ-ଶୋଭିତ-ମୁଖ-ପଦ୍ମର ମାଧୁର୍ଯ୍ୟ ଆସ୍ୱାଦନ କରୁ କରୁ ରାମଙ୍କ ଗତ ଜୀବନର ସକଳ ବୃତ୍ତାନ୍ତ ଚକ୍ଷୁ ଆଗରେ ଫିଟିଯାଏ । ଜନକ ରାଜ ସଭାରେ କିପରି ସେ ଶିବଧନୁ ଭଗ୍ନ କରି ମଣି ଉପହାର ପାଇଥିଲେ, ସେହି ମଣିଟି କିପରି ବନଦେଶରେ କେତେଦିନ ରହିଥିଲା, ପରେ କିପରି ଲଙ୍କା ଧୂଳିରେ ଧୂସରିତ ହୋଇଥିଲା-ଏହି ସବୁ ରାମ ଭାବିଲେ । ସୀତାଙ୍କର ପ୍ରେମ, ଭକ୍ତି ଓ ତ୍ୟାଗର ଉଜ୍ଜ୍ୱଳ ଦୃଷ୍ଟାନ୍ତନିଚୟ, ତାଙ୍କର ଧୈର୍ଯ୍ୟ ଓ ସାହସ, ତାଙ୍କର ପବିତ୍ର ସତୀତ୍ୱ ଓ ଅପୂର୍ବ ଅଗ୍ନି ପରୀକ୍ଷା, ସନ୍ଧ୍ୟାକାଶରେ ତାରା ସଦୃଶ ଗୋଟିଏ ପରେ ଗୋଟିଏ ରାମଙ୍କ ମାନସାକାଶରେ ଉଦିତ ହେଲା । ରାମ ଦୀର୍ଘ ନିଶ୍ୱାସ ତ୍ୟାଗ କରୁ କରୁ କହିଲେ, ‘‘ପ୍ରିୟେ, ସମସ୍ତ ଜୀବନ ତୁମ୍ଭର ଦୁଃଖରେ ପୂର୍ଣ୍ଣ । ପୁଣି ସବୁ ଦୁଃଖର କାରଣ ମୁଁ । ପ୍ରିୟେ, ମୋର ହାତ ଧରି ତୁମକୁ ବହୁତ ଦୁଃଖ ସହିବାକୁ ହେଲା ।’’ ଦେବୀ ଭର୍ତ୍ତାଙ୍କର ଏହି ଆତ୍ମନିନ୍ଦା ଶୁଣି, ପ୍ରଥମେ ଅଳ୍ପ ହସି ଦେଇ ତାଙ୍କୁ ସ୍କନ୍ଧରେ ନିଜ ମୃଣାଳ-କୋମଳ-ବାହୁ ନ୍ୟସ୍ତ କଲେ । ପରେ କହିଲେ, ‘‘ନାଥ, ଏପରି ବ୍ୟଙ୍ଗୋକ୍ତି କାହିଁକି ? ବନବାସରେ ମୁଁ ତୁମ୍ଭ ସଙ୍ଗିନୀ ହୋଇ ତୁମ୍ଭର କଷ୍ଟ ବଢ଼ାଇଥିଲି ମାତ୍ର । ମୋ ଲାଗି ତ ଲଙ୍କାର ସେହି ଘୋର ଆହବ । ତେବେ କିଏ କାହାକୁ କଷ୍ଟ ଦେଇଛି ? ଏତକ ତ ବୁଝୁନାହଁ । ଆଉ ରାଜ୍ୟର କଥା ବୁଝୁଛ କିପରି ? ଏ ସବୁ ବିଧିର ବିଧାନ । ଆମେମାନେ ତାହାର କ୍ରୀଡ଼ାନକ ମାତ୍ର । ତୁମେ ତ ଏହି କଥା ମୋତେ କେତେ ଥର ବୁଝାଇଛ । ଆଉ ଆଜି ଏପରି କାହିଁକି କହୁଛ ? ବନବାସ ମୋ ପକ୍ଷରେ କଷ୍ଟକର ହୋଇ ନ ଥିଲା । କାରଣ ତୁମ୍ଭ ପାଦପଦ୍ମ ସେବାରେ ମୋର ଦିନ ଅତିବାହିତ ହେଉଥିଲା-। ରାକ୍ଷସପୁରୀ ଲଙ୍କାରେ, ସେହି ବିକଟ ନୃଶଂସ ରାକ୍ଷସ ଦେଶରେ ମଧ୍ୟ ତୁମ୍ଭ ଚରଣ ସେବା ଅଭିଳାଷ ମୋତେ ବଞ୍ଚାଇ ରଖିଥିଲା । ତୁମ୍ଭ ଚରଣାରବିନ୍ଦ ମୋର କୋଟି ସମ୍ପଦ । ବନବାସରେ ତ ସେହି ସମ୍ପଦ ପାଇଥିଲି । ତେବେ ତୁମ୍ଭଲାଗି ମୋର କଷ୍ଟହେଲା କିପରି ? କଥାଟାକୁ ଲେଉଟାଇ କହିଲେ ହୁଅନ୍ତା ।’’

 

ରାମ ଶୁଣୁ ଶୁଣୁ କେତେବେଳେ ଅଳ୍ପ ହସନ୍ତି, ପୁଣି କେତେବେଳେ ନୀରବ ରହନ୍ତି । ସୀତାଙ୍କ କଥା ଶେଷ ହେବା ଦେଖି ରାମ କହିଲେ,–‘‘ହେଉ ତେବେ ଲେଉଟାଇ ଦେଉଛି । ଯାଉ ସେ କଥା । ଗତ କଥାରେ ଯାଏ ଆସେ କେତେ ? ତୁମ୍ଭ ସ୍ନେହାମୃତର ଅଧିକାରିଣୀ ହୋଇ ମୁଁ ଆଜି ନିଜକୁ ଧନ୍ୟ ମଣୁଛି । ବନର ସକଳ କଷ୍ଟ ତୁମ୍ଭର ପ୍ରେମ ହେତୁ ଲାଘବ ହୋଇଥିଲା । ବନରେ ଯେଉଁ ସ୍ନେହ ଏବେ ମଧ୍ୟ ମୁଁ ସେହି ସ୍ନେହରେ ବିଭୋର ।’’

 

ଉଦ୍ୟାନର ଯେଉଁ ବେଦୀ ଉପରେ ବସି ଦୁହେଁ କଥୋପକଥନ କରୁଥିଲେ ତାହା ନିକଟରେ ଗୋଟିଏ ଚମ୍ପକ ବୃକ୍ଷ । ରାମଙ୍କ କଥା ଶେଷ ହେବା ପୂର୍ବରୁ ସେହି ବୃକ୍ଷ ଶାଖାସ୍ଥିତ ଦୁଇ ତିନୋଟି ପୁଷ୍ପ ଦେବୀଙ୍କ ନୟନ ଆକର୍ଷଣ କଲା । ସେ ଉଠି କହିଲେ–‘‘ନାଥ, ବନରେ ଯେଉଁ ସୁଖ ହୁଏ, ଏଠାରେ ତାହା ଅସମ୍ଭବ । ସ୍ୱ ହସ୍ତରେ ପୁଷ୍ପଚୟନର ସେହି ଅପୂର୍ବ ମଧୁରିମା କି ଏହି ସ୍ୱର୍ଣ୍ଣମୟୀ ଅଯୋଧ୍ୟାପୁରୀରେ ସମ୍ଭବ ? ଦାସଦାସୀ ତ ସେହି ସକଳ କାମ କରି ଦିଅନ୍ତି–ହେଟି ଦେଖ, ଫୁଲ, କାହିଁ ତୋଳି ଦେବ ତ ।’’ ରାମ ବେଦୀ ଉପରେ ଠିଆ ହୋଇ କହିଲେ, ‘‘ପ୍ରିୟେ, ତୁମକୁ ବୁଝି ହେଉ ନାହିଁ । ଅଯୋଧ୍ୟାର ରାଣୀ ହୋଇ ମଧ୍ୟ ବନବାସ ପସନ୍ଦ କରୁଛ । ନିତି ଫୁଲ ତୋଳି ମୁଁ ଦେଉଥିବି, ଆଉ ତୁମେ ନିତି ତାହା ଗୁନ୍ଥୁଥିବ । ଦାସଦାସୀଙ୍କ କାର୍ଯ୍ୟ ବୋଧହୁଏ ତୃପ୍ତିକର ନୁହେଁ ।’’

 

ଏହା ଶୁଣି ସୀତା କହିଲେ, ‘‘ଯେଡ଼େ ରାଣୀ ହେଲେ ମଧ୍ୟ ପ୍ରଭୁଙ୍କ ପଦ ସେବା ବିନା ମୋର ଲେଶ ସୁଖ ହୋଇ ନ ପାରେ । ପଦ ସେବାରୁ ବଞ୍ଚିତ ହୋଇଥିଲି ଅଲ କେତେ ଦିନ । ତାହା କୌଣସି ପୂର୍ବ ଜନ୍ମର ପାପ ହେତୁ । ବୋଧହୁଏ ଏବେ ମୋର ପୂର୍ବକୃତ ପାପ ଶେଷ ହୋଇଛି, ଏ ଦାସୀ ସବୁ ଦିନେ ସେହି ପଦ ସେବା ଅଧିକାର ପାଇଥିବ । ଏହା କହି ସୀତା ନତମସ୍ତକ ହୋଇ ସ୍ୱାମୀଙ୍କ ଚରଣ ତଳେ ବସିଲେ । ରାମ ସୀତାଙ୍କୁ ଉଠାଇଆଣି ପ୍ରେମରେ ଭିଡ଼ି ଧରି କହିଲେ, ‘‘ପ୍ରିୟେ, କାହିଁକି ଏତେ କାତର ହେଉଛ ? ତୁମ୍ଭ ବିନା କି ମୁଁ ଜୀବନ ଧରି ରହିପାରିବି ? ଲଙ୍କା ଯୁଦ୍ଧ କି ତୁମ୍ଭଙ୍କୁ ପାଇବା ପାଇଁ ନୁହେଁ ? ଏତେ ଭୟ କାହିଁକି ? ଆସ ଯିବା ।’’

 

ସୀତା ଅଶ୍ରୁ ପୋଛି ପୋଛି ସ୍ୱାମୀଙ୍କ ପଛେ ପଛେ ଉଦ୍ୟାନରୁ ପ୍ରତ୍ୟାଗମନ କଲେ ।

Image

 

ରାଜନୀତି

(ଦ୍ୱିତୀୟ ପରିଚ୍ଛେଦ)

 

ଦିବସର ରାଜକାର୍ଯ୍ୟ ସମାପନାନ୍ତେ ବିଶ୍ରାମାଗାରକୁ ମହାରାଜ ରାମଚନ୍ଦ୍ର ବିଜେହେଲେ-। କକ୍ଷଟି ନିରୋଳ । ରାମଚନ୍ଦ୍ର ଏହି କକ୍ଷସ୍ଥିତ କୋମଳ ଆସନରେ ଆଉଜି ବସିଲେ । କିନ୍ତୁ ମନରୁ ରାଜକୀୟ କାର୍ଯ୍ୟର ଭାର ହ୍ରାସ ହେଲା ନାହିଁ । ରାଜ ସଭାର କାର୍ଯ୍ୟ ଦରବାରରେ ସରିଛି ସତ୍ୟ, ମାତ୍ର ସେଥିର ଚିନ୍ତା ରାମଙ୍କ ମନରେ ବରାବର ରହିଛି । ସେ ବସି ଏଣୁ ତେଣୁ ଭାବୁ ଭାବୁ ଲକ୍ଷ୍ମଣ ଆସି ସମ୍ମୁଖରେ ଦଣ୍ଡାୟମାନ । ରାମ ତାଙ୍କ ଆଡ଼େ ଅନାଇବାର ଲକ୍ଷ୍ୟ କରି ଲକ୍ଷ୍ମଣ କହିଲେ–‘‘ବଶିଷ୍ଠ ଋଷ୍ୟଶୃଙ୍ଗଙ୍କ ଆଶ୍ରମରୁ ଅଷ୍ଟାବକ୍ର ମୁନି ଆସିଛନ୍ତି । ସେ ଛାମୁଙ୍କ ଦର୍ଶନ ଇଚ୍ଛା କରନ୍ତି ।’’ ରାମ କିଞ୍ଚିତ ଚମକିତ ହୋଇ କହିଲେ–‘‘ଅଷ୍ଟାବକ୍ର ! ଶୀଘ୍ର ତାଙ୍କୁ ଏଠାକୁ ପାଛୋଟି ଆଣ-।’’ ତତ୍‌କ୍ଷଣାତ୍ ଲକ୍ଷ୍ମଣ ସେଠାରୁ ଯାଇ ଅଷ୍ଟାବକ୍ରଙ୍କୁ ସଙ୍ଗେ ନେଇ ଆସିଲେ । ରାମ ଆସନରୁ ଉଠି ପ୍ରଣାମ କରି ମୁନିଙ୍କୁ ଆସନ ଦେଖାଇ ଦେଲେ । ମୁନି ଆସନରେ ଉପବେଶନ କରି ପ୍ରୀତିପୂର୍ଣ୍ଣ ଲୋଚନରେ ରାମଙ୍କ ଆଡ଼େ ଚାହିଁ ରହିଲେ । ମୁନି ଆସନ ଗ୍ରହଣ କଲା ପରେ ରାମ କହିଲେ–‘‘ମହାଭାଗ, ମୋର ଆଜି ସୁଦିନ, ମାତ୍ର ଗୁରୁଦେବ ବନ୍ଧୁବର ଋଷ୍ୟଶୃଙ୍ଗଙ୍କ ଯଜ୍ଞ ସମୟରେ ଆପଣ କିପରି ଏଠାକୁ ଆସି ପାରିଲେ ? ମୁନି ଓ ମାତାମାନେ କୁଶଳରେ ଅଛନ୍ତି କି ? ଦେବୀ ଅରୁନ୍ଧତୀଙ୍କର ସମସ୍ତ କୁଶଳ ତ ?’’ ଅଷ୍ଟାବକ୍ର ତାଙ୍କ ହାତରେ ଝୁଲାମୁଣିଟି ହଲାଇବା ବନ୍ଦ କରି ଦାଢ଼ି ଆଉଁସି ଆଉଁସି କହିଲେ, ‘‘ହଁ, ମହାରାଜ, ସମସ୍ତେ କୁଶଳରେ ଅଛନ୍ତି । ସେମାନେ ଆପଣଙ୍କୁ ଓ ସୀତାଦେବୀଙ୍କୁ ଆଶୀର୍ବାଦ କରି ଅଛନ୍ତି । ସୀତାଙ୍କୁ ନ ଦେଖି ଅରୁନ୍ଧତୀ କିଞ୍ଚିତ୍ ଦୁଃଖିତ ହୋଇଥିଲେ; ମାତ୍ର କୌଶଲ୍ୟାଙ୍କ ମୁଖରୁ ସୀତାଙ୍କ ଶୁଭ ସମାଚାର ଶୁଣିବାକ୍ଷଣି ସେ ଅତିଶୟ ଆହ୍ଲାଦିତା ହୋଇ ସୀତାଙ୍କୁ ତନୟ ଦାନ ନିମନ୍ତେ ଭଗବାନଙ୍କୁ ବହୁତ ଜଣାଇଲେ ।’’ ଶେଷୋକ୍ତ ବିଷୟ ଶୁଣି ରାମଙ୍କର କିଞ୍ଚିତ ଲଜ୍ଜା ହେଲା । ସେ ମନେ ମନେ ନ ହସି ରହି ପାରିଲେ ନାହିଁ । ଅଳ୍ପକ୍ଷଣ ନୀରବ ରହି ମୁନିଙ୍କୁ ଜିଜ୍ଞାସା କଲେ, ‘‘ବଶିଷ୍ଠ ଆଉ କି ଆଜ୍ଞା କରିଅଛନ୍ତି ?’’ ଅଷ୍ଟବକ୍ରଙ୍କ କର୍ଣ୍ଣ ରାମଙ୍କ କଥା ଗ୍ରହଣ କରିବା ସମୟରେ କକ୍ଷସ୍ଥିତ ଗଜଦନ୍ତ ନିର୍ମିତ ପଲଙ୍କର ଶୋଭା ତାଙ୍କ ନୟନ ଆକର୍ଷଣ କରିଥିଲା । ସେ ହେତୁରୁ ସେ ତାହା ଦେଖୁଥିଲେ । ସେଥିରୁ ଦୃଷ୍ଟି ଫେରାଇ ଋଷି ଉତ୍ତର ଦେଲେ, ‘‘ହଁ, ସେ ମୋତେ କହିଛନ୍ତି ଛାମୁଙ୍କ ରାଜତ୍ୱ ବିଷୟ ଭଲରୂପେ ବୁଝି ଆସିବାକୁ । ରାମଚନ୍ଦ୍ର କହିଲେ–‘‘ଆପଣମାନଙ୍କ ଆଶୀର୍ବାଦରେ ମୁଁ ପ୍ରଜାମାନଙ୍କୁ ସୁଖରେ ପାଳୁଅଛି । ପ୍ରଜାଙ୍କ ହିତରେ ଜୀବନ ବିନିଯୋଗ କରିବାକୁ ମୁଁ ବଦ୍ଧପରିକର । ଭଗବାନଙ୍କର କି ଇଛା ମୁଁ କହି ନ ପାରେ-।’’

 

ଏହା ଶୁଣି ମୁନି ଅତି ସନ୍ତୁଷ୍ଟ ହୋଇ କହିଲେ, ‘‘ମହାରାଜ, ଛାମୁଙ୍କ ଉଦ୍ଦେଶ୍ୟ ଅତି ମହତ୍ । ସତ୍‌କାର୍ଯ୍ୟ ସିଦ୍ଧି ସତ୍‌ ଉଦ୍ଦେଶ୍ୟ ପୋଷଣ ଉପରେ କେବଳ ନିର୍ଭର କରେ । ଆପଣଙ୍କ ବାତ୍ସଲ୍ୟରେ ପ୍ରଜାମାନେ ନିଶ୍ଚୟ ସନ୍ତୁଷ୍ଟ ହେବେ । ପ୍ରଜାଙ୍କ ତୃପ୍ତି ଓ ଆନନ୍ଦରେ ଆପଣଙ୍କର ସମସ୍ତ ସଙ୍କଳ୍ପ ସିଦ୍ଧ ହେବ । ଆପଣଙ୍କର ସାଧୁଉଦ୍ଦେଶ୍ୟ ଶ୍ରବଣରେ ବଶିଷ୍ଠଙ୍କର ଆନନ୍ଦର ସୀମା ରହିବ ନାହିଁ ।’’

 

ରାମଚନ୍ଦ୍ର ପୁନର୍ବାର କହିଲେ, ‘‘ମହାଭାଗ ରାଜନୀତି ମୋର ପ୍ରଜାମଙ୍ଗଳରେ ହିଁ ନିହିତ-। ରାଜା ହୋଇ ପ୍ରଜାଙ୍କୁ ମୁଁ ଯେପରି ଆଦର କରେ ଆଉ କାହାକୁ ସେପରି କରିବି ନାହିଁ । ସେମାନେ ସମସ୍ତଙ୍କ ଅପେକ୍ଷା ପ୍ରିୟ । ଦେଖୁଛ ମୋର ପ୍ରାଣର ଭାଇ ଲକ୍ଷ୍ମଣ–ଯେ ନିଜ ପ୍ରାଣକୁ ତୁଚ୍ଛକରି, ଚଉଦ ବର୍ଷର ଅରଣ୍ୟ-କଷ୍ଟକୁ ଭ୍ରୂକ୍ଷେପ ନ କରି ମୋ ସଙ୍ଗେ ବନବାସୀ ହୋଇ ରହିଥିଲା, ସେହି ପ୍ରାଣାଧିକ ଭାଇ ଲକ୍ଷ୍ମଣଙ୍କୁ ମଧ୍ୟ ପ୍ରଜାଙ୍କ ନିମନ୍ତେ ତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ । ସୀତାଙ୍କୁ ମୋର, ଯାହା ପାଇଁ ମୁଁ ଲଙ୍କାରେ ପ୍ରତାପୀ ରାବଣ ସହିତ ଯୁଦ୍ଧ କରିଥିଲି-ସେହି ପ୍ରାଣପ୍ରିୟା, ସୀତାଙ୍କୁ ମଧ୍ୟ ଦରକାର ହେଲେ ତ୍ୟାଗ କରିପାରେଁ । ମାତ୍ର ପ୍ରଜାଙ୍କ ହିତାକାଂକ୍ଷା ମନରୁ ଦୂର କରି ପାରିବି ନାହିଁ । ପ୍ରଜାବାତ୍ସଲ୍ୟ ତୁଳନାରେ ସୀତା-ସ୍ନେହ ମୋତେ ଅତି ତୁଚ୍ଛ ପ୍ରତୀୟମାନ ହୁଏ । ଏହାହିଁ ମୋର ରାଜନୀତି । ଆଶା କରିଛି ଈଶ୍ୱରଙ୍କ ଅନୁକଂପାରେ ମୁଁ ଏହି ନୀତି ଅନୁସାରେ ଚାଲିବି ।’’ ଏହା କହୁ କହୁ ରାମଙ୍କ ମୁଖ ରକ୍ତବର୍ଣ୍ଣ ଏବଂ ଚକ୍ଷୁ ବିସ୍ଫାରିତ ହେଲା । ପ୍ରଜାବାତ୍ସଲ୍ୟ ରସରେ ହୃଦୟ ପ୍ଳାବିତ ହୋଇଗଲା । ଲକ୍ଷ୍ମଣ ସେହି ଗରିମାମୟ ରାଜମୂର୍ତ୍ତି ବିସ୍ମୟ ପୂର୍ଣ୍ଣ ନୟନରେ ଚାହିଁ ରହିଲେ । ଅଷ୍ଟାବକ୍ର ମଧ୍ୟ ସ୍ତମ୍ଭିତ ହେଲେ । ପରେ ମୁନି ଆସନରୁ ଉଠି କହିଲେ, ‘‘ଧନ୍ୟ ମହାରାଜ, ଧନ୍ୟ ତୁମ୍ଭର ରାଜନୀତି ଓ ପ୍ରଜାବାତ୍ସଲ୍ୟ । ପ୍ରଜାରଞ୍ଜକରୂପେ ତୁମ୍ଭ ନାମ ଚିରକାଳ ରହୁ ଏହାହିଁ ମୋର ହୃଦୟର କାମନା ।’’ କିଞ୍ଚିତ ଗମନୋଦ୍ୟତ ହୋଇ ପୁନର୍ବାର ସେ କହିଲେ, ‘‘ହେଉ, ତେବେ ମୁଁ ଯାଏଁ ମୋତେ ବିଦାୟ ଦିଅନ୍ତୁ । ବଶିଷ୍ଠ ଓ କୌଶଲ୍ୟାଙ୍କୁ ତୁମ୍ଭମାନଙ୍କ କୁଶଳ ବାର୍ତ୍ତା ଜଣାଇବି । ଆଉ ଅଧିକ କଣ ଅଛି କହିବାକୁ ? ରାମ ଆସନରୁ ଉଠି କହିଲେ–ହଁ, ମାତାମାନଙ୍କୁ ଶୀଘ୍ର ଫେରିବାକୁ କହିବେ, ଓ ବଶିଷ୍ଠାଦିଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇ ଦେବେ ।’’ ରାମ ପ୍ରଣାମ କଲା ପରେ ଲକ୍ଷ୍ମଣ ୠଷିଙ୍କୁ ସେଠାରୁ ନେଇଗଲେ ।

Image

 

ପୂର୍ବସ୍ମୃତି

(ତୃତୀୟ ପରିଚ୍ଛେଦ)

 

ସୀତା ତାଙ୍କ ଶୟନ କକ୍ଷରେ ବସି ଗୋଟିଏ ଚିତ୍ର ଲେଖୁଥିଲେ । ଚିତ୍ରଟି ଆହୁରି ସଂପୂର୍ଣ୍ଣରୂପେ ଲେଖା ହୋଇ ନାହିଁ । ତେଣୁ ଚିତ୍ରଟିର ଅର୍ଥ ଦାସୀଗଣ ବୁଝି ନ ପାରି ସେହି ଆଡ଼େ ଚାହିଁ ରହିଛନ୍ତି । ଚିତ୍ରରେ ଗୋଟିଏ ପ୍ରକାଣ୍ଡ ଅରଣ୍ୟ ଅଙ୍କିତ ହୋଇଛି । ଆହୁରି କେତେ ବୃକ୍ଷ ଓ ଲତାର ଚିତ୍ର ଟଣା ନ ହୋଇ ରହିଛି । ବନ ମଧ୍ୟରେ ଗୋଟିଏ ନଦୀ ପ୍ରବାହିତ । ଅନତିଦୂରସ୍ଥ କିଞ୍ଚିତ ଉନ୍ନତ ଏକ ସ୍ଥାନରେ ଗୋଟିଏ କ୍ଷୁଦ୍ର ପର୍ଣ୍ଣକୁଟୀର । ସୀତା ଦାସୀମାନଙ୍କର କୌତୁହଳାକ୍ରାନ୍ତ ଦୃଷ୍ଟିକୁ ଲକ୍ଷ୍ୟକରି କହିଲେ, ‘‘ଲେଖୁଛି ଆହୁରି ପୂର୍ଣ୍ଣ ହୋଇ ନାହିଁ । ସବୁ ସମ୍ପୂର୍ଣ୍ଣ ହେଲେ ଜାଣିବ ।’’ ଏହା କହି ପୁନର୍ବାର ଚିତ୍ରାଙ୍କନରେ ରତ ହେଲେ । ସେ ନଦୀଟିର ପ୍ରବାହ ବିଷୟ ଭାବି ଭାବି ଲେଖୁଛନ୍ତି; ଜଣେ ଯୁବତୀ ଦୃତଗତିରେ ଆସି କହିଲା, ‘‘ମଣିମା, ମହାରାଜା ବିଜେ କରୁଛନ୍ତି ।’’ ଏହା ଶୁଣିବା କ୍ଷଣି ଦାସୀ ଦୁହେଁ ସେଠାରୁ ଚାଲିଗଲେ । ସୀତା ଚିତ୍ରଟିକୁ ତଳେ ଥୋଇ ଦେଇ ଠିଆ ହେଉ ହେଉ ଦେଖିଲେ ରାମଚନ୍ଦ୍ର ସମ୍ମୁଖରେ ଆସି ଠିଆ । କ୍ଷଣେ ସ୍ୱାମୀ ପାଦତଳେ ପ୍ରଣତ ହେଲେ ରାମଚନ୍ଦ୍ର ତାଙ୍କୁ ଆଲିଙ୍ଗନ କରି ନେଇ ପାର୍ଶସ୍ଥିତ କୋମଳ ଆସନରେ ବସାଇ ନିଜେ ଏକ ଆସନରେ ବସିଲେ । ରାମ ଚିତ୍ରଟିକୁ ଦେଖି ସୀତାଙ୍କୁ ଜିଜ୍ଞାସା କଲେ, ‘କ’ଣ ଏ ଛବିଟି’ ? ଏହା କହି ସେ ଚିତ୍ରଟିକୁ ତଳୁ ଉଠାଇ ଆଣି ଦେଖିବାକୁ ଲାଗିଲେ । ଚିତ୍ରବିଦ୍ୟାରେ ସୀତାଙ୍କର ଅଧିକ ଅଭ୍ୟାସ କାହିଁକି, ଜମାରୁ ଅଭ୍ୟାସ ନ ଥିଲା କହିଲେ ଚଳେ, ବିବାହ ପୂର୍ବରୁ ଯାହା ଶିଖିଥିଲେ ସେତିକି କେବଳ ତା ପରେ ତ ବିପତ୍ତି ପରେ ବିପତ୍ତି-ଆଉ ଚିତ୍ର ଅଙ୍କନ ଅଭ୍ୟାସ ନିମନ୍ତେ ଅବକାଶ କାହିଁ ? ବନ ପର୍ବତରେ ରହି ତାଙ୍କର ପ୍ରକୃତି-ସୌନ୍ଦର୍ଯ୍ୟ ରୁଚି ଅଧିକ ହୋଇଥିଲା ସତ୍ୟ, ମାତ୍ର ତାହା ଛବିରେ ଫୁଟାଇବା ଅବସର ସେ ପାଇ ନ ଥିଲେ । ଲଙ୍କାରୁ ପ୍ରତ୍ୟାଗମନ କଲା ଉତ୍ତାରୁ ସେ ଏହି ବିଦ୍ୟାରେ ଅଳ୍ପ ଶ୍ରଦ୍ଧା ନେଇଥିଲେ । ପତିଙ୍କ ହସ୍ତରେ ତାଙ୍କ ଅପରିପକ୍ୱ ଚିତ୍ରକୁଶଳତାର ଫଳ ସେହି ଅରଣ୍ୟ ଛବିଟି ଦେଖି ସୀତା ଲଜ୍ଜାବଶରୁ ଅଧୋବଦନା ହୋଇ ରହିଲେ । ରାମଚନ୍ଦ୍ର ପ୍ରିୟତମାଙ୍କର ଏହି ଅବସ୍ଥା ହୃଦୟଙ୍ଗମ କରି ଅଳ୍ପ ହସି କହିଲେ, ‘‘କେଡ଼େ ସୁନ୍ଦର ହୋଇଛି । କେଉଁଠାର ଚିତ୍ର ଏହି ?’’ ସୀତା କଥାବାର୍ତ୍ତା କରି ନିଜର ଲଜ୍ଜା ଲୁଚାଇବା ଆଶାରେ କହିଲେ, ‘ଜାଣିପାରୁ ନାହଁ ? ଚିତ୍ରଟି ତେବେ ସୁନ୍ଦର କିପରି ? ମୋର ତ ଚିତ୍ରଲେଖାର ଅଭ୍ୟାସ ନାହିଁ । ମନ ହେଲା ତ ଲେଖୁଥିଲି । ନଦୀ, ବନ, କୁଟୀର—ଏଥିରୁ ଜାଣୁ ନାହଁ କେଉଁଠାର ଏ ଚିତ୍ର ।’ ରାମ ଜାଣି ଜାଣି ପ୍ରଶ୍ନଟି ପଚାରିଥିଲେ–ଏଣୁ ଉତ୍ତର ଦେଲେ, ‘‘ହଁ, ଚିତ୍ରଟି ତ ବେଶ୍ ହୋଇଛି । ନଦୀଟି ବୋଧହୁଏ ଗୋଦାବରୀ । ଆଉ ସେହି କୁଟୀର ତ ଲକ୍ଷ୍ମଣଙ୍କର ହାତ ତିଆରି । ଛବିଟି ପଞ୍ଚବାଟୀର ନୁହେଁ କି ?’’ ରାମଚନ୍ଦ୍ରଙ୍କର ମୁହଁକୁ ସୀତା ଚାହିଁ ରହିଥିଲେ । ସେ ସବୁ ସହଜରେ ଜାଣି ଦେଇ ଥିବାରୁ ଦେବୀଙ୍କ ମନ ଅତି ଆନନ୍ଦିତ ହେଲା । ରାମ ଚିତ୍ରଟି ତଳେ ଥୋଇ ସୀତାଙ୍କ ହସ୍ତ ଧାରଣ କରି କହିଲେ–‘‘ପ୍ରିୟେ, ଦେଖୁଛି ତୁମ୍ଭେ ବନବାସକୁ କେବେ ପାସୋରି ପାରୁନାହଁ । ତୁମ୍ଭର ସବୁ କଥାରେ, ସବୁ କାର୍ଯ୍ୟରେ ସେହି ବନବାସ ସ୍ମୃତି ଜାଗ୍ରତ । ଏହା ଜାଣି ମୁଁ ଲକ୍ଷ୍ମଣକୁ କହିଛି ଗୋଟିଏ ଚିତ୍ର ଲେଖାଇବାକୁ ।’’ ସୀତା ସନ୍ତୁଷ୍ଟ ଚିତ୍ତରେ କହିଲେ ‘କି ଚିତ୍ର ?

 

ରାମ-ଚିତ୍ରଟିରେ ଚଉଦ ବର୍ଷ ବନବାସର ସକଳ ବିଷୟ ରହିବ । ଅଯୋଧ୍ୟା ତ୍ୟାଗ ଠାରୁ ଅଯୋଧ୍ୟା ପ୍ରତ୍ୟାଗମନ ପର୍ଯ୍ୟନ୍ତ ସମସ୍ତ ଘଟଣାର ଛବି ଦିଆଯିବ । ବୋଧହୁଏ ଚିତ୍ରଟି ସମ୍ପୂର୍ଣ୍ଣ ହୋଇଅଛି, ଲକ୍ଷ୍ମଣ ତାହା ଆଣି ଦେବେ ।’’ ଲକ୍ଷ୍ମଣଙ୍କ ନାମ ଶୁଣି ସୀତାଙ୍କ ମନରେ ଗୋଟିଏ ଭାବ ଜାତ ହେଲା । ସେ କହିଲେ, ‘‘ଦୁଃଖରେ ସୁଖରେ ଲକ୍ଷ୍ମଣହିଁ ତୁମ୍ଭର ଦକ୍ଷିଣ ହସ୍ତ । ଲକ୍ଷ୍ମଣ ନ ଥିଲେ ଯେପରି ତୁମ୍ଭର ହସ୍ତ ସଞ୍ଚାଳନ ମଧ୍ୟ ଅସମ୍ଭବ । ଚିତ୍ର ପଟଟି ପାଇଁ ମଧ୍ୟ ଲକ୍ଷ୍ମଣଙ୍କ ଉପରେ ଭାର ! ଲକ୍ଷ୍ମଣଙ୍କ ପ୍ରତି ତୁମ୍ଭର କିଛି ଦୟା ନାହିଁ । ଏତେ କାର୍ଯ୍ୟ ପିଲାଲୋକଙ୍କୁ ଦେଲେ ବାଧିବ ନାହିଁ କି ?’’

 

ସେ ଲକ୍ଷ୍ମଣଙ୍କ ଭ୍ରାତୃ ଭକ୍ତିରେ ଆପ୍ୟାୟିତ । ମାତ୍ର ସେ ଲକ୍ଷ୍ମଣଙ୍କ ବିଷୟ କେବେ ଭାବୁ ନ ଥିଲେ । ତାଙ୍କର କଷ୍ଟ କି ଦୁଃଖ ହେବା କଥା ସେ ଜାଣୁ ନଥିଲେ—କାରଣ ସେପରି ଜାଣିବାକୁ ଲକ୍ଷ୍ମଣ ଭାଇଙ୍କୁ କୌଣସି ପ୍ରଶ୍ରୟ ଦେଉ ନଥିଲେ । ପତ୍ନୀଙ୍କ ମୁଖରେ ଭ୍ରାତାଙ୍କ ପ୍ରଶଂସା ବାକ୍ୟ ଓ ତାଙ୍କ ପ୍ରତି ପତ୍ନୀଙ୍କର ସହାନୁଭୂତି ଦେଖି ରାମଚନ୍ଦ୍ରଙ୍କ ମନ ହର୍ଷୋତ୍‌ଫୁଲ୍ଲ ହେଲା । ସେ କିଞ୍ଚିତ୍ ଗଭୀର ସ୍ୱରରେ କହିଲେ, ‘‘ହଁ ପ୍ରିୟେ, ଲକ୍ଷ୍ମଣ ବିନା ମୋର ଅସ୍ତିତ୍ୱହିଁ ଅସମ୍ଭବ । କିନ୍ତୁ ତାହାର ଚରିତ୍ର ଅତି ଆଶ୍ଚର୍ଯ୍ୟଜନକ । ଲକ୍ଷ୍ମଣ ହେତୁରୁହିଁ ଚଉଦ ବର୍ଷର ବନବାସ ଶୀଘ୍ର ଚାଲିଗଲା । ନିବିଡ଼ ଅରଣ୍ୟରେ ତୁମ୍ଭଙ୍କୁ ହରାଇ ମୁଁ ଯେତେବେଳେ ବାତୁଳପ୍ରାୟ, ଲକ୍ଷ୍ମଣ ନ ଥିଲେ କି ମୁଁ ଜୀବିତ ରହନ୍ତି-? ଲକ୍ଷ୍ମଣର ଯେଉଁ ଉପକାର, ତାହାର ଯେଉଁ ସେବା ତାହାର କି ତୁଳନା ଅଛି ? ମୋ ନିମନ୍ତେ ଜୀବନର ସକଳ ସୁଖ ସଂପଦରେ ଜଳାଞ୍ଜଳି ଦେଇ ମାତା, ପିତା ଓ ପତ୍ନୀଙ୍କୁ ତ୍ୟାଗ କରି ମୋ ସଙ୍ଗେ ଗଲା ବନରେ ରହି ବନବାସୀ ହେବାକୁ । ମୋ ପାଇଁ ଲକ୍ଷ୍ମଣ ପ୍ରାଣ ଦେବାକୁ ତିଳେ କୁଣ୍ଠିତ ନୁହେଁ । ଏତେ ତ୍ୟାଗ ! ମୋ ପାଇଁ ସ୍ୱଇଚ୍ଛାରେ ସାରା ଜୀବନ ଦୁଃଖ ଓ କଷ୍ଟରେ ପୂର୍ଣ୍ଣ କଲା-। ମୁଁ ରାଜା ହେବା ପରେ ମଧ୍ୟ; ତୁମ୍ଭେ କହିବା ଭଳି, ତାହାର କଷ୍ଟ ଶେଷ ହୋଇ ନାହିଁ । ଏପରି ତ୍ୟାଗ କରି, ଏପରି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦ୍ଧା ତାହାର ମନରେ ଲେଶ ମାତ୍ର ଗର୍ବ ନାହିଁ । ଏହି ସବୁ ସେ ଜୀବନର ସାଧାରଣ କର୍ତ୍ତବ୍ୟ ବୋଲି ବୁଝି ନେଇଛି । କାର୍ଯ୍ୟ କରି ଫଳ ଆଶାକର ନାହିଁ, ସେବା କରି ଉପହାର ଚାହୁଁ ନାହିଁ, ସାହାଯ୍ୟ କରି କୃତଜ୍ଞତା ଲୋଡ଼ୁନାହିଁ-। ସୁଖସମ୍ଭୋଗ ତ୍ୟାଗ କରି ବି ପ୍ରଶଂସାକୁ ଅପେକ୍ଷା କରୁ ନାହିଁ । ଅତି ଉଚ୍ଚ, ଅତି ପବିତ୍ର, ଅତି ମହୀୟାନ ତାର ଚରିତ୍ର ପ୍ରିୟେ ! ସେହି ଭାଇର ସାହାଯ୍ୟ ନ ନେଇ ମୁଁ କିପରି କୌଣସି କାର୍ଯ୍ୟ କରି ପାରିବି ? ‘‘ସୀତା ପତିଙ୍କର ଏହି ଗମ୍ଭୀର ଉକ୍ତି ଶ୍ରବଣ କରି ପତିଙ୍କ ଆଡ଼େ ଚାହିଁ ରହିଲେ । ରାମଙ୍କର ଜ୍ୟୋତିର୍ମୟ ଚକ୍ଷୁ କିଞ୍ଚିତ ଜଳସିକ୍ତ ହୋଇ ଝକ୍‌ଝକ୍ ଦିଶିଲା । ସେ ପୁନର୍ବାର କହିବାକୁ ଲାଗିଲେ, ‘‘ଲକ୍ଷ୍ମଣ ନ ଥିଲେ ମୁଁ ଯାହା ହୁଅନ୍ତି ତାହା ଜୀବନରେ ଥରେ ଅନୁଭବ କରିଛି । ତାହା ସେହି ଲଙ୍କା ରାଜ୍ୟରେ । ସେହି ଭୀଷଣ ନରାସୁର ସମର ସମୟରେ । ରାବଣର ଶକ୍ତି ଘାତରେ ଯେତେବେଳେ ପ୍ରାଣର ଲକ୍ଷ୍ମଣ ଆଘାତପ୍ରାପ୍ତ ହୋଇ ମୃତପ୍ରାୟ, ସେତେବେଳେ ମୋ ଆଗରେ ସମସ୍ତ ଜଗତ ଅନ୍ଧକାରମୟ ପ୍ରତୀୟମାନ ହେଲା । ମୁଁ ବଧିର ହୋଇଗଲି । ପାର୍ଶ୍ୱସ୍ଥିତ ଅନୁଚରବର୍ଗଙ୍କ ଉପଦେଶ ମୋର ଶ୍ରୁତିଗୋଚର ହୋଇ ପାରିଲା ନାହିଁ । ମୁଁ ସେତେବେଳେ ଜୀବନ୍ମୃତ । ସେହି ନିବିଡ଼ ଅନ୍ଧକାର ରାତ୍ରିରେ ଭାଇର ମୃତ ଶରୀର କୋଳରେ ଧରି ଯେଉଁ ବିଳାପ କଲି, ତାହା ଦେଖି ଲୋକେ ସ୍ତମ୍ଭିତ ହେଲେ । ହନୁମାନ ସାହାଯ୍ୟରେ ଯଦି ଲକ୍ଷ୍ମଣ ପୁନର୍ବାର ଜୀବନ ପାଇ ନ ଥାନ୍ତା ତାହାହେଲେ ପ୍ରିୟେ, ଇହସଂସାରରେ ମୋର ଲୀଳା ମଧ୍ୟ ସାଙ୍ଗ ହୋଇଥାନ୍ତା । ସେହି ଅନୁଜ ମୋର, ପ୍ରାଣର ଭାଇ ଲକ୍ଷ୍ମଣ ବିନା ମୁଁ କିପରି କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବି ?’’

 

ସୀତା ସ୍ୱାମୀଙ୍କୁ ନୀରବ ହେବା ଦେଖି କହିଲେ, ‘‘ନାଥ, ଦେବର ଲକ୍ଷ୍ମଣଙ୍କ କଥା ମନେ ପଡ଼ିଲେ ପ୍ରାଣ ଅପୂର୍ବ ଆନନ୍ଦରେ ପୂର୍ଣ୍ଣ ହୁଏ । ତାଙ୍କର ଅତୁଳନୀୟ ଗୁଣ ତୁମ୍ଭର ଅବଗତ ମାତ୍ର ମୁଁ ଅଭାଗିନୀ ତାହା ଜାଣି ନ ଥିଲି-ନା, ଜାଣିଥିଲି, ଭଲଭାବେ ଜାଣିଥିଲି–ମାତ୍ର କି କୁକ୍ଷଣରେ ସେହି କପଟ ‘‘ରଖ ଲକ୍ଷ୍ମଣ’’ ଡାକ ଏହି ପାପ ଶ୍ରବଣରେ ପତିତ ହେଲା । ତୁମ୍ଭ ନିକଟକୁ ପଠାଇବାକୁ ମୁଁ ସେହି ପୂଣ୍ୟ ଚରିତ୍ର ଲକ୍ଷ୍ମଣଙ୍କୁ ଅତି କଟୁ କଥା କହିଲି, ତାହା ଏବେ ମନେ ପଡ଼ିଲେ ହୃଦୟ ଅନୁତାପାନଳରେ ଦଗ୍ଧ ହୁଏ, ପ୍ରାଣ ଶୁଷ୍କ ହୁଏ । ସେପରି କଟୂକ୍ତି, ନାଥ, ତୁମ୍ଭେ ଶୁଣିଥିଲେ କ୍ଷଣକାଳ ସହି ନ ଥାନ୍ତ, କିନ୍ତୁ ଲକ୍ଷ୍ମଣ କର୍ଣ୍ଣରେ ହସ୍ତ ଦେଇ, ଚକ୍ଷୁ ଲୋତକରେ ଛଳ ଛଳ କରି, ଭଗବାନଙ୍କ ଆଶ୍ରୟରେ ମୋତେ ଅର୍ପଣ କରି ଚାଲି ଗଲେ ମୋର କଥା ରଖିବାକୁ କ’ଣ କରିବେ, ସେ କେତେ ବୁଝାଇଲେ ମୁଁ ବୁଝିଲି ନାହିଁ । ନାରୀସୁଲଭ ବୁଦ୍ଧିରେ ଅନ୍ଧ ହୋଇ ଲକ୍ଷ୍ମଣଙ୍କୁ ମର୍ମଭେଦୀ କ୍ରୂରବଚନ କହିଲି । ଲକ୍ଷ୍ମଣ ତାହା ନୀରବରେ ସହିଲେ । ଅଭାଗିନୀର ଏହି ପାପ ହେତୁ ଭଗବାନ ତାକୁ ଆଶ୍ରୟ ଦେଇ ନ ଥିଲେ । ସେହି କଟୂକ୍ତିର ପ୍ରାୟଶ୍ଚିତ ସ୍ୱରୂପ ସ୍ୱାମୀଙ୍କ ବିରହ ଦୁଃଖରେ ମ୍ରିୟମାଣ ହୋଇ ରାକ୍ଷସ ପୁରରେ ତାକୁ ରହିବାକୁ ହେଲା ।’’

 

ରାମ ସୀତାଙ୍କୁ ଆଶ୍ୱସ୍ତ କରିବା ନିମନ୍ତେ କହିଲେ, ‘‘କେହି ନିନ୍ଦା ଯୋଗ୍ୟ ନୁହେଁ ପ୍ରିୟେ, ସବୁ ତ ବିଧିର ବିଧାନ, ଆନ କରିବାକୁ ତୁମ୍ଭେ, ଆମେ ବା କିଏ ।’’

 

ସୀତା ପୁନର୍ବାର ସେହି କଥାର ଅବଶିଷ୍ଟାଂଶ କହିବାକୁ ଲାଗିଲେ ‘‘ସେହି କଟୂକ୍ତି ଲକ୍ଷ୍ମଣଙ୍କର ସ୍ମରଣ ଅଛି ବୋଲି ମନେ ହୁଏ ନାହିଁ । ତାଙ୍କଠାରେ ମୁଁ ମୋର ସେହି ପାପ ବଚନ ନିମନ୍ତେ କ୍ଷମା ମାଗିନାହିଁ-ମାତ୍ର ସେ ତାହା ଦେଇଛନ୍ତି ।’’

 

ମୁଁ ହତଭାଗା, ମୋ’ରି ହେତୁ ପିତାଙ୍କର ମୃତ୍ୟୁ ଓ ମାତାମାନଙ୍କର ବୈଧବ୍ୟ । ମୋ’ରି ନିମନ୍ତେ ଭ୍ରାତା ଓ ପତ୍ନୀଙ୍କର ଅସହନୀୟ କଷ୍ଟ । ମାତ୍ର ସେହି ଭ୍ରାତା ଓ ପତ୍ନୀ ପାଇଁ ମୁଁ ଅତି ଭାଗ୍ୟବାନ ।’’

 

ସୀତା ନିଜ ପ୍ରଶଂସା ପ୍ରତି ବିଶେଷ ଆକୃଷ୍ଟ ନ ହୋଇ କିଛି କହିଲେ ନାହିଁ । କେବଳ ଅଳ୍ପ ହସି ସ୍ୱାମୀଙ୍କ ଆଡ଼େ ଚାହିଁ ରହିଲେ । ଏହି ସମୟରେ ରାମଚନ୍ଦ୍ରଙ୍କ ମନରେ ସୀତାଙ୍କ ଗର୍ଭ ବିଷୟ ଉଦିତ ହେଲା । ସେ ଭାବିଲେ ଗର୍ଭବତୀ ହେଲେ ଗର୍ଭ ସଙ୍ଗେ ସଙ୍ଗେ ଆଳସ୍ୟ ବଢ଼ିଥାଏ । ମାତ୍ର ଏହି ବିଷୟ ନେଇ କଥାବାର୍ତ୍ତା କରିବାକୁ ରାମଙ୍କର ଯେତେ ଲଜ୍ଜା, ଶୁଣିବାକୁ ସୀତାଙ୍କର ଲଜ୍ଜା ତତୋଧିକ । ରାମ ଦେଖିଲେ ସୀତା ଅଳ୍ପ ନିଦ୍ରାସକ୍ତ । ସେ କହିଲେ ‘‘ଶୋଇ ପଡ଼ । ମୋ ଗୋଡ଼ରେ ମୁଣ୍ଡଦେଇ ଶୋଇ ପଡ଼ କିଛିକ୍ଷଣ ?’’ ଦେବୀ ଏହା ଶୁଣି କିଞ୍ଚିତ ଲଜ୍ଜିତ ହେଲେ ସତ–ମାତ୍ର ନିଦ୍ରାବଶରୁ ନାହିଁ ନ କରି ପତିଙ୍କ ଗୋଡ଼ରେ ମୁଣ୍ଡଦେଇ ଚକ୍ଷୁମୁଦ୍ରିତ କରି କିଛି କ୍ଷଣ ରହିଲେ-। କିନ୍ତୁ ନିଦ୍ରାଦେବୀଙ୍କର ଅନୁଗ୍ରହ ହେଲା ନାହିଁ । ସୀତାଙ୍କ ଅଙ୍ଗସ୍ପର୍ଶରେ ରାମଚନ୍ଦ୍ରଙ୍କ ଶରୀର ପୁଲକିତ ହେଲା । ଶାୟିତା ପତ୍ନୀଙ୍କ ଗର୍ଭଲକ୍ଷଣ ସ୍ପଷ୍ଟ ହେଲା । ରାମ ସେହି କଥା ଭାବିଲେ, କିନ୍ତୁ କିଛି କହିଲେ ନାହିଁ । ମନେ ମନେ ଭାବିଲେ ଯେ ଗର୍ଭବତୀ ସ୍ତ୍ରୀମାନଙ୍କର ସକଳ କାମନା ପୂର୍ଣ୍ଣ କରିବା ଆବଶ୍ୟକ । ଏହି କଥା ମଧ୍ୟ ଅରୁନ୍ଧତୀ ଆଶ୍ରମରୁ କହି ପଠାଇଥିଲେ । ରାମ ସୀତାଙ୍କ ମସ୍ତକରେ ହାତ ଦେଇ କହିଲେ, ‘‘ପ୍ରିୟେ, ତୁମ୍ଭର କେଉଁ ପଦାର୍ଥରେ ଇଚ୍ଛା ବଳୁଛି ? କଣ ଇଚ୍ଛା ହେଉଛି କହ, ଲକ୍ଷ୍ମଣଙ୍କୁ କହି ଅଣାଇ ଦେବି ।’’ ସୀତା କଥାଟି ଶୁଣି ଉଚ୍ଚସ୍ୱରରେ ହସି କହିଲେ, ‘‘ଲକ୍ଷ୍ମଣ ତ ଆଣିବେ, ଆଉ ତୁମ୍ଭଙ୍କୁ କହିଲେ କଣ ହେବ ?’’ ରାମ ମଧ୍ୟ ହସିଲେ । ପୁନର୍ବାର ଜିଜ୍ଞାସା କଲେ–କହ କେଉଁଥିରେ ଇଚ୍ଛା ଅଛି ?

 

ସୀତା ଏବେ ଉଠି ବସିଲେ । ଚିତ୍ରଟିକୁ ତଳୁ ଆଣି ଧରିଲେ–ମାତ୍ର ଧରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଚିତ୍ରପଟଟି ଏ ହାତରୁ ସେ ହାତକୁ କରି ଧୀର କୋମଳ ସ୍ୱରରେ କହିଲେ, ‘‘ହଁ ନାଥ, ସତ ଗୋଟିଏ କଥାରେ ମୋର ବଡ଼ ମନ ରହି ଯାଇଛି ।’’ ରାମ ‘କଣ ତାହା’ ବୋଲି ପଚାରିବାରୁ ଦେବୀ ଚିତ୍ରଟିକୁ ଥୋଇ ଦେଇ କହିଲେ, ‘‘ଆମମାନଙ୍କ ବନବାସ ସମୟରେ କେତେ ତପୋବନକୁ ଯାଇ ରହିଥିଲୁଁ । ସେଠାରେ କିନ୍ତୁ ମନ ପୂରାଇ ରହି ନ ଥିଲୁଁ । ଋଷିମାନେ ବଳିକ୍ରିୟା ସମ୍ପାଦନ କରି ତଣ୍ଡୁଳ ରଖି ନଦୀ ଜଳରେ ନିକ୍ଷେପ କରନ୍ତି । ତାହା ଦେଖି ହଂସମାନେ ଆସି ଭକ୍ଷଣ କରନ୍ତି । କେଜାଣି କାହିଁକି ସେହି ତଣ୍ଡୁଳରେ ମୋର ମନ ରହି ଯାଇଛି । ପୁଣି ତପୋବନର ମୁନିକନ୍ୟାମାନଙ୍କ ସହିତ କେତେ ଦିନ ଆନନ୍ଦ କୌତୁକରେ କଟାଇବାକୁ ଇଚ୍ଛା ହେଉଛି । ସେହି ଥର ଋଷିମାନଙ୍କୁ କିଛି ଦାନ କରି ନାହିଁ । ଏବେ ଯାଇ ସେମାନଙ୍କୁ ଧନରତ୍ନ ଦେଇ ସନ୍ତୁଷ୍ଟ କରିବି ଓ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବି, ଏହି ଇଚ୍ଛା ମୋର ହେଉଛି । ତପୋବନର ସେହି ପବିତ୍ର ଜୀବନ, ମୁନିକୁମାରୀଙ୍କ ସେହି ସରଳ ବଦନ, ତପସ୍ୱୀମାନଙ୍କର ସେହି ଏକାଗ୍ର ଈଶ୍ୱର ଧ୍ୟାନ ଆଉ ଥରେ ଦେଖିବାକୁ ମନ ହେଉଛି ।’’ ରାମ କହିଲେ, ‘‘ତେବେ ତପୋବନକୁ ଯିବ ?’’ ସୀତା କହିଲେ ‘‘ମୁଁ କେବଳ ? ତୁମ୍ଭେ ମଧ୍ୟ ଯିବ, ତୁମ୍ଭ ସଙ୍ଗେ କେତେଟା ଦିନ ସେଠାରେ ରହି ଆସିବି ।’’

 

ରାମ, ‘‘ହେଉ ତେବେ, ଲକ୍ଷ୍ମଣଙ୍କୁ ସବୁ ଯୋଗାଡ଼ କରିବାକୁ କହିବି’’ ବୋଲି ଉଠିଲେ । ସୀତା ମଧ୍ୟ ଉଠିଲେ । ରାମ ଯିବା ପୂର୍ବରୁ ଦେବୀ ପତିଙ୍କ ପାଦ ବନ୍ଦନା କଲେ । ପରେ ଛବିଟି କାନ୍ଥରେ ଝୁଲାଇ ଦେଇ ଅନ୍ୟ କାର୍ଯ୍ୟରେ ରତ ହେଲେ ।

Image

 

ମନ୍ତ୍ରଣା

 

ଅଯୋଧ୍ୟାରେ ଗୋଟିଏ ରାଜକୀୟ ମନ୍ତ୍ରଣାସଭା ପ୍ରତିଷ୍ଠିତ । ସଭାର ଉଦ୍ଦେଶ୍ୟ ଓ ଉପଦେଶ ଅନୁସାରେ ରାମ ପ୍ରଜାଙ୍କୁ ପାଳୁଥିଲେ । ମନ୍ତ୍ରଣା ସଭାରେ ରାଜ୍ୟର ପ୍ରଧାନ ପ୍ରଧାନ ଲୋକ ବସି ରାଜାଙ୍କୁ ସେମାନଙ୍କର ପରାମର୍ଶ ଦେଉଥାନ୍ତି । ରାମ ଅତି ଆଗ୍ରହ ସହକାରେ ସେହି ପରାମର୍ଶ ଶୁଣୁଥିବା ଦେଖି ସଭ୍ୟଗଣ ରାଜାଙ୍କଠାରେ ନିଜର ପ୍ରକୃତ ଅଭିମତ କହିବାକୁ ଉତ୍ସାହିତ ହୋଇଥାନ୍ତି ।

 

ଦିନେ ସଭାରେ ସମସ୍ତେ ଆସି ବସିଲା ପରେ ରାମଚନ୍ଦ୍ର ଆସି ସିଂହାସନରେ ଉପବେଶନ କଲେ । ରାଜାଙ୍କ ଆଗମନ ଦେଖି ସଭ୍ୟ ଗଣ ଦଣ୍ଡାୟମାନ ହୋଇ ତାଙ୍କୁ ଭକ୍ତିପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ । ରାଜା ବସିବା ପରେ ସମସ୍ତେ ନିଜ ନିଜ ଆସନରେ ବସିଲେ ।

 

ରାମଚନ୍ଦ୍ର ମନ୍ତ୍ରୀପ୍ରବର ବୃଦ୍ଧ ସୁମନ୍ତଙ୍କ ଆଡ଼େ ଚାହିଁ କହିଲେ, ‘‘ରାଜ୍ୟର ବୃତ୍ତାନ୍ତ ଜଣାଅ-। ପ୍ରଜାମାନେ କିପରି ଅଛନ୍ତି ? କାହାର କି ଅଭାବ ରହି ଯାଇଛି, ବୁଝିଲ କି ?’’

 

ସୁମନ୍ତ ଆସନରୁ ଉଠି କରପତ୍ର ଯୋଡ଼ି କହିଲେ, ‘‘ସମସ୍ତେ ଛାମୁଙ୍କ ରାଜତ୍ୱରେ ଅତି ସୁଖରେ ଅଛନ୍ତି । ସମସ୍ତଙ୍କ ହାରିଗୁହାରି ଛାମୁ ନିଜେ ବୁଝୁଥିବାରୁ କାହାର କିଛି ଅଭାବ ନାହିଁ । ସମସ୍ତେ ଛାମୁଙ୍କର ଭୁରି ଭୁରି ପ୍ରଶଂସା କରୁ ଅଛନ୍ତି ।’’ ରାମଚନ୍ଦ୍ର ନିଜର ପ୍ରଶଂସାରେ ଭ୍ରୂକ୍ଷେପ ନ କରି କହିଲେ, ‘‘ସେ କଥା ଛାଡ଼; ଆମ୍ଭର ଯାହା ତ୍ରୁଟି ରହି ଯାଇଛି ତାହା କହ ? ସଭ୍ୟମାନେ ତ ପ୍ରଜାଙ୍କ ବିଷୟ ଭଲ ଜାଣିଥିବେ । ଆପଣମାନଙ୍କର କୌଣସି ପରାମର୍ଶ ଦେବାର ଥିଲେ ଦେଇ ପାରନ୍ତି । ତ୍ରୁଟି ଦେଖାଇ ଦେଲେ ମୁଁ ତାହାର ସଂଶୋଧନରେ ତତ୍ପର ହେବି ।’’ ରାମଚନ୍ଦ୍ର କହିବା ପରେ ସଭାଗୃହ ନୀରବ ହେଲା । ମାତ୍ର ଗୋଟିଏ ପାଖରେ ଫୁସର ଫସର ଶବ୍ଦ ଶୁଭିଲା । ଏହା ଶୁଣିପାରି ରାମଚନ୍ଦ୍ର କହିଲେ,–‘‘ଯାହା କହିବାକୁ ଅଛି ତାହା କହି ଦେଲେ ତ ଯିବ । ଫୁସର ଫାସର ହେଲେ ଲାଭ କଣ ?’’ ଏହି କଥା ଶୁଣି ସମସ୍ତେ ନୀରବ ନିଶ୍ଚଳ ହୋଇ ରହିଲେ । ରାମଚନ୍ଦ୍ର ପୁନର୍ବାର କହିଲେ, ‘‘ମୁଁ ଏତେ ସ୍ୱାଧୀନତା ଦେଲେ ସୁଦ୍ଧା ତୁମ୍ଭମାନଙ୍କର ଅଯଥା ଭୀତି ଭାବ ଲୋପ ପାଇ ନାହିଁ । ରାଜତ୍ୱ ମୋର ଭିତି ଉପରେ ସ୍ଥାପିତ ନୁହେଁ । ’ ପ୍ରଜାଙ୍କ ଭକ୍ତି ହିଁ ଏହି ରାଜତ୍ୱର ମୂଳ କାରଣ । ନିର୍ଭୀକ ଭାବରେ ତୁମ୍ଭେମାନେ ପ୍ରଜାଙ୍କ ବିଷୟ କହିପାର ।’’ ଏହା କହି ସେ ଉତ୍ତର ପ୍ରତୀକ୍ଷାରେ ସମସ୍ତଙ୍କ ଆଡ଼େ ଚାହିଁବାକୁ ଲାଗିଲେ । କିୟତ୍‌କ୍ଷଣ ପରେ ଭଦ୍ର ନାମକ ଜଣେ ସଭ୍ୟ ଦଣ୍ଡାୟମାନ ହୋଇ କହିଲେ, ‘‘ମହାରାଜ, ଛାମୁଙ୍କ ଅଭୟ ପ୍ରାପ୍ତ ହୋଇ ମୁଁ ଗୋଟିଏ କଥା କହିବାକୁ ସାହସୀ ହୋଇ ଅଛି ।’’ ଏହା କହି ସେ ସଭାଜନଙ୍କ ଆଡ଼େ ଚାହିଁ ରହିଲେ । ସମସ୍ତେ ନୀରବ, ସମସ୍ତେ ଚିତ୍ରାର୍ପିତ ତୁଲ୍ୟ । ଏହି ନୀରବତା ଭଗ୍ନ କରି ଭଦ୍ର ପୁନର୍ବାର କହିବାକୁ ଲାଗିଲେ, ‘‘ମହାରାଜ, ମୋର ଏହି ଧୃଷ୍ଟତା ମାର୍ଜନା କରିବେ । ମୁଁ ଯାହା କହୁଛି ତାହା ମୋର ମତ ନୁହେଁ । କି ମୋର ବିଶ୍ୱାସ ନୁହେଁ ଏହା ପ୍ରଜାଙ୍କମତ, ସେହି ମତ ବ୍ୟକ୍ତ କରିବାକୁ ମୁଁ ଏଠାରେ ଦଣ୍ଡାୟମାନ ।

 

ଛାମୁଙ୍କ ଦୟା, ନ୍ୟାୟପରାୟଣତା ଓ ପ୍ରଜାବାତ୍ସଲ୍ୟରେ ଅଯୋଧ୍ୟା ଯତ୍‌ପରୋନାସ୍ତି ସନ୍ତୁଷ୍ଟ । ଛାମୁଙ୍କ ରାଜ୍ୟରେ ଶାନ୍ତି ରାଜତ୍ୱ କରେ । ବ୍ରାହ୍ମଣ ତାହାର ବେଦାଧ୍ୟୟନ କରି, କ୍ଷତ୍ରିୟ ତାହାର କ୍ଷାତ୍ରବିଦ୍ୟା ଶିଖି, ବୈଶ୍ୟ ତାହାର ବାଣିଜ୍ୟ ବ୍ୟବସାୟ କରି ଓ ଶୂଦ୍ର ଇତର ଜାତିଙ୍କୁ ସେବାକରି ସୁଖରେ ବଞ୍ଚୁଅଛି । ସମାଜ ଶୃଙ୍ଖଳାବଦ୍ଧ । ରାଜ୍ୟରେ ଚୋର କି ଶତ୍ରୁ ଭୟ ନାହିଁ । ଲୋକେ ଖାଇପିଇ ସୁଖରେ ଅଛନ୍ତି । ଆର୍ଥିକ ସ୍ୱଚ୍ଛଳତା ହେତୁ ଲୋକଙ୍କର ମାନସିକ ଓ ନୈତିକ ଉତ୍କର୍ଷ ମଧ୍ୟ ବୃଦ୍ଧି ପ୍ରାପ୍ତ ହେଉଅଛି । ଏହି ସକଳ ଉନ୍ନତିର ମୂଳ କାରଣ ହେଉଛି ଛାମୁ । ଏଣୁ ଛାମୁଙ୍କ ପ୍ରଶଂସା ଦିବାନିଶି ଆବାଳବୃଦ୍ଧ-ବନିତା ସକଳ ଅଯୋଧ୍ୟାବାସୀଙ୍କ ମୁଖରେ ନିନାଦିତ ହେଉଛି ।

 

ମାତ୍ର ଏହି ପ୍ରଶଂସାରେ, ଚନ୍ଦ୍ରରେ କଳଙ୍କପରି, ଅଖିଳ ସାଗର ଜଳରେ ଲବଣାଂଶପରି, ମନୋହର ଇନ୍ଦୀବରର କଣ୍ଟକନାଳ ପରି, ଏକ ଦୋଷ ରହିଯାଇଛି । ଲୋକେ କହନ୍ତି ଯେ ଛାମୁଙ୍କର ଲଙ୍କାରୁ ମହାରାଣୀଙ୍କୁ ଆଣିବା ବିଧ୍ୟେୟ ନ ଥିଲା । ରାକ୍ଷସପୁରୀ ଲଙ୍କାରେ କେତେକାଳ ରହିଥିବାରୁ ଦେବୀଙ୍କ ଚରିତ୍ରରେ ଲୋକଙ୍କର ସନ୍ଦେହ ଜାତ ହେଉଅଛି ।

 

ରାମଚନ୍ଦ୍ରଙ୍କର ମୁଖ କଳା ପଡ଼ିଗଲା । ମାତ୍ର ସେ ଧୈର୍ଯ୍ୟ ଧରି କହିଲେ, ‘‘ସେ ହେତୁରୁ ତ ମୁଁ ଅଗ୍ନି ପରୀକ୍ଷା କରାଇ ସୀତାଙ୍କୁ ଗ୍ରହଣ କଲି ।’’

 

ଭଦ୍ର–ସତ୍ୟ ମହାରାଜ, ତାହା ଯଥାର୍ଥ, ମାତ୍ର ସେହି ପରୀକ୍ଷା ଏଠା ଲୋକେ ଦେଖି ନାହାନ୍ତି । ଏଣୁ ସେମାନଙ୍କର ଏହି ସନ୍ଦେହ ଲୋକେ କହୁଛନ୍ତି ଯେ ଛାମୁ ପୁନର୍ବାର ରାଣୀଙ୍କୁ ଗ୍ରହଣ କରି ଦାମ୍ପତ୍ୟ ଜୀବନର ଆଦର୍ଶ ତଳକୁ ଖସାଇ ଦେଇଛନ୍ତି । ‘‘ମହାରାଜ, କ୍ଷମା କରନ୍ତୁ, ନଚେତ୍ ଦଣ୍ଡ ଦେବାକୁ ଥିଲେ ଦିଅନ୍ତୁ । ଭଦ୍ର ଖାଣ୍ଟି ସତ୍ୟ କହିବା ଛାମୁଙ୍କ ଠାରୁ କେବଳ ଶିଖିଅଛି । ପ୍ରିୟ ହେଉ ବା ଅପ୍ରିୟ ହେଉ ସତ୍ୟହିଁ ତାହା ଜୀବନର ପ୍ରଧାନ ବ୍ରତ ।’’

 

ପରେ ଭଦ୍ର ନିଜ ଆସନରେ ବସିଲେ । ଏହା ଶୁଣି ରାମଚନ୍ଦ୍ରଙ୍କ ମସ୍ତକରେ ବଜ୍ରପାତର ବେଦନା ଅନୁଭୂତ ହେଲା । ପାର୍ଶ୍ୱସ୍ଥିତ ଲକ୍ଷ୍ମଣଙ୍କ ହୃଦ କ୍ରୋଧାନଳରେ ପ୍ରଜ୍ୱଳିତ ହେଲା । ମାତ୍ର କାହା ମୁଖରୁ ବାକ୍ୟ ନିଃସୃତ ହେଲା ନାହିଁ । ଭଦ୍ରଙ୍କୁ ଅଭୟ ଦେବା କର୍ତ୍ତବ୍ୟ ମନେ କରି ରାମ କହିଲେ, ‘‘ଭଦ୍ର ତୁମ୍ଭର ଭୀତ ହେବାର କୌଣସି କାରଣ ନାହିଁ । ମୁଁ ସବୁ ବୁଝିଲି ।’’ ଆଉ କିଛି ସେ କହି ପାରିଲେ ନାହିଁ । ସେହି ଦିନର ସଭା ସେତିକିରେ ଶେଷ କରି ରାମଚନ୍ଦ୍ର ନିଜ ଭବନକୁ ଚାଲି ଗଲେ । ରାତ୍ରିରେ ଲକ୍ଷ୍ମଣ ଭ୍ରାତାଙ୍କ କକ୍ଷ ନିକଟକୁ ଯାଇ ଦେଖିଲେ ରାମ ଚିନ୍ତାମଗ୍ନ । ଏଣୁ ସେ ସେଠାରୁ ଚାଲି ଆସିଲେ ।

Image

 

ପରାମର୍ଶ

 

କକ୍ଷରେ ଗୋଟିଏ ଗଜଦନ୍ତ ନିର୍ମିତ କୋମଳ ଶଯ୍ୟାଯୁକ୍ତ ସୁନ୍ଦର ଆସନ । ପ୍ରାତଃ କୃତ୍ୟ ସମାପନ କରି ଲକ୍ଷ୍ମଣଙ୍କ ପ୍ରତୀକ୍ଷାରେ ମହାରାଜ ବସିଛନ୍ତି, ଲକ୍ଷ୍ମଣ ଆସି ଅଗ୍ରଜଙ୍କ ପାଦ ବନ୍ଦନା କରି ସମ୍ମୁଖରେ ଦଣ୍ଡାୟମାନ । ସେ ଦେଖିଲେ ଅଗ୍ରଜଙ୍କ ମୁଖ ମଳିନ, ଚକ୍ଷୁ ହୀନପ୍ରଭ ଓ ମ୍ଳାନ, ଅଧର ନୀରସ । ଆନତ ମୁଖରେ ରାମ ଦୀର୍ଘ ନିଶ୍ୱାସ ତ୍ୟାଗ କରି ଗଭୀର ଭାବନାରେ ନିମଗ୍ନ । ଅଗ୍ରଜଙ୍କର ଏହି ପରିବର୍ତ୍ତନ ଦେଖି ଲକ୍ଷ୍ମଣ ଅବାକ୍ ହେଲେ । ବିନା ମେଘରେ ଏକି ଅଶନିପାତ ବୋଲି ବିଚାର କରି ସେ ସ୍ତବ୍ଧ ହେଲେ । ସେ କିଛି ନ କହି ରାମଙ୍କ ଆଡ଼େହିଁ ବିସ୍ମିତ ନୟନରେ ଚାହିଁ ରହିଲେ । ରାମଚନ୍ଦ୍ର ଅନୁଜଙ୍କୁ ଦେଖି କହିଲେ, ‘‘ଭାଇ ବସ’’ । ଲକ୍ଷ୍ମଣ ତଳେ ବସି ଅଗ୍ରଜଙ୍କ ଆଡ଼େ ଚାହିଁ ରହିଲେ । ରାମ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ‘‘ଭାଇ-’’ ପରେ ତାଙ୍କର କଣ୍ଠ ରୁଦ୍ଧ ହେଲା । ସେ ବାତୁଳ ପ୍ରାୟ ହୋଇ ଲକ୍ଷ୍ମଣଙ୍କୁ ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କରିବାକୁ ଲାଗିଲେ । ଅସମ୍ଭାଳ ଅଶ୍ରୁଧାର ଘନ ଘନ ବହିବାକୁ ଲାଗିଲା । ଧକାଇ ଧକାଇ ବିକଳ ସ୍ୱରରେ କହିଲେ ‘‘ହା ବିଧି’’ !

 

ଲକ୍ଷ୍ମଣ ଏହା ଦେଖି ଅସ୍ଥିର ଚିତ୍ତ ହେଲେ । କୌଣସି ଗୁରୁତର ବିପଦର ଆଶଙ୍କା ତାଙ୍କ ହୃଦୟ ଅଧିକାର କଲା । ସେ ବିନୀତ ଓ ଧୀର ସ୍ୱରରେ କହିଲେ, ‘‘ମହାରାଜ, କ’ଣ ହେଲା ଯେ ଛାମୁ ଏପରି ଉନ୍ମତ୍ତପ୍ରାୟ ହେଉଛନ୍ତି, ତୁମ୍ଭେ ଏପରି ହେଲେ ମୁଁ କି ଧୈର୍ଯ୍ୟ ଧରି ରହି ପାରିବି ? ପ୍ରକୃତ କଥା କ’ଣ କହନ୍ତୁ, କି ତ୍ରୁଟି କେଉଁଠାରେ, କି ଅଭାବ କେଉଁଠାରେ ରହିଛି, କହନ୍ତୁ ସେଥିର ପ୍ରତିକାର ତତ୍‌କ୍ଷଣାତ୍ କରାଯିବ । ତୁମ୍ଭେ ଛାମୁ ଏପରି ଅଧୀର ହେଲେ, ଆମ୍ଭମାନଙ୍କର ଗତି କ’ଣ ହେବ ?’’ ରାମ ଭାଇଙ୍କ କଥା ଶୁଣି ଅଞ୍ଚଳରେ ଅଶ୍ରୁ ପୋଛି ପୋଛି ଭଗ୍ନ ସ୍ୱରରେ କହିଲେ, ‘‘ଶରୀରରୁ ପ୍ରାଣ ନ ଯାଇ ବହୁ ଅସହ୍ୟ ଯନ୍ତ୍ରଣା ଦେଲାଣି । ପ୍ରିୟତମା ଜାନକୀକୁ ତ୍ୟାଗ କରିବା ସ୍ଥିର କରିଛି ଭାଇ । ମାତ୍ର ତାହା ବିନା ଯେ ମୁଁ କିପରି ପ୍ରାଣଧରି ରହିବି ତାହା ଜାଣିପାରୁ ନାହିଁ ।’’ ଲକ୍ଷ୍ମଣଙ୍କ ବିସ୍ମୟର ମାତ୍ରା ଅଧିକ ହେଲା । ସେ ସୀତାତ୍ୟାଗ କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ-। ସେ କହିଲେ, ଛାମୁ କ’ଣ କହୁଛନ୍ତି, ବୋଧ ହୁଏ ଜାଣୁ ନାହାନ୍ତି । ଛାମୁଙ୍କର ଏହି କଥାରୁ ମୁଁ କିଛି ବୁଝିପାରୁ ନାହିଁ ।’’

 

ରାମ କହିଲେ, ‘‘ଅତି ସାଧୁ, ଅତି ଅମାୟିକ ତୁମ୍ଭେ ଲକ୍ଷ୍ମଣ । ତୁମ୍ଭେ କିପରି ଏହି କ୍ରୂରର କଥା ବୁଝି ପାରିବ ? କାଲିତ ସଭା ଗୃହରେ ଉପସ୍ଥିତ ଥିଲ ! ସୀତା ନିନ୍ଦା ବିଷୟ ତ ଶୁଣିଲ । ମୁଁ ସ୍ଥିର କରିଛି ଯେ ପ୍ରଜାଙ୍କ ସନ୍ତୋଷ ବିଧାନ ନିମନ୍ତେ ସୀତା ତ୍ୟାଗ ଆବଶ୍ୟକ । ସୀତାଙ୍କ ନିଷ୍କଳଙ୍କ ଚରିତ୍ରରେ ମୋର ଅଟଳ ବିଶ୍ୱାସ ସତ୍ୟ, ମାତ୍ର ରାଜାର କର୍ତ୍ତବ୍ୟ ଅନୁରୋଧରେ ସୀତାଙ୍କୁ ତ୍ୟାଗ କରିବାକୁ ମୁଁ ବାଧ୍ୟ । ଲକ୍ଷ୍ମଣଙ୍କୁ ଏବେ ସବୁ ଜଣା ଗଲା । ସେ ରାମଙ୍କୁ କିଞ୍ଚିତ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ । କାଲିର ସଭାରେ ଭଦ୍ରର କଥା ତୁମ୍ଭଙ୍କୁ ବାତୁଳ କରିଦେବ ବୋଲି ମୁଁ ଜାଣି ନ ଥିଲି । ଭଦ୍ର ତ ମୂର୍ଖ ପ୍ରଜାଙ୍କ ନିରର୍ଥକ ନିନ୍ଦା ପ୍ରକାଶ କରୁଥିଲା । ସେ ବିଷୟ ନେଇ ଆପଣ ଏତେ ତର୍କ ବିତର୍କ କାହିଁକି କରୁଛନ୍ତି ।

 

ରାମ କହିଲେ–ନାହିଁ ଲକ୍ଷ୍ମଣ, ରାଜାର କର୍ତ୍ତବ୍ୟ ଜାଣିବା ତୁମ ପକ୍ଷେ ସହଜ ନୁହେଁ । ପ୍ରଜାଙ୍କ ପାଇଁ ସୀତା ତ୍ୟାଗ ସୁନିଶ୍ଚିତ । ନିରପରାଧିନୀ ସୀତା ନିମନ୍ତେ ଅଯୋଧ୍ୟାର ରାଜତ୍ୱ ତ୍ୟାଗ କରିବା କଷ୍ଟକର ନୁହେଁ । ମାତ୍ର ତାହା ଯଦି କରିବି, ଚିରକାଳ ଲୋକଙ୍କ ମୁଖରେ ‘‘ସ୍ତ୍ରୈଣ ରାମ କାମିନୀ ଲାଳସାରେ ପୁତ୍ରପ୍ରତିମ ପ୍ରଜାଙ୍କୁ ତ୍ୟାଗ କଲା-’’ ଏହି କଥା ଘୋଷିତ ହେବ । ପବିତ୍ର ରଘୁକୁଳ ଏହି ଲାଞ୍ଛନାରେ ଲାଞ୍ଛିତ ହୋଇ ରହିଯିବ । ସେ ହେତୁରୁ ପତିପ୍ରାଣା ସୁକୁମାରୀ ମୋର ପ୍ରାଣପ୍ରିୟା ସୀତାଙ୍କୁ ତ୍ୟାଗ କରି ରଘୁକୁଳ ଯଶ ଅକ୍ଷୁଣ୍ଣ ରଖିବି । ମାତ୍ର, ଜାଣିପାରୁନାହିଁ କିପରି ମୁଁ ତାଙ୍କୁ ଛାଡ଼ି ଜୀବିତ ରହିବି । ଯାହାହେଉ, ସୀତା ବିରହରେ ପ୍ରାଣ ଗଲେ ଯାଉ, ରାମ ରାଜତ୍ୱ ପ୍ରଜାଙ୍କ ନିନ୍ଦାରେ ଦୂଷିତ ନ ହେଉ । ସେ ହେତୁରୁ ସୀତାତ୍ୟାଗ ନିଶ୍ଚୟ କରି ତୁମ୍ଭଙ୍କୁ ଡକାଇଲି । ଏହି ସମ୍ବାଦ, ଏହି ବଜ୍ର ଅପେକ୍ଷା କଠିନ, ମୃତ୍ୟୁ ଅପେକ୍ଷା ଦାରୁଣ ସମ୍ବାଦ ତୁମ୍ଭଙ୍କୁ କହିବାକୁ ଡକାଇଲି ।’’ ରାମ ଅଳ୍ପ ସମୟ ନୀରବ ରହି ପୁନର୍ବାର କଣ କହିବାକୁ ଯାଉଥିଲେ, ଲକ୍ଷ୍ମଣ ସେଥିପ୍ରତି ଲକ୍ଷ୍ୟ ନ କରି ଅଗ୍ରଜଙ୍କୁ କହିଲେ,‘‘ମହାରାଜ ଏହା ସତ୍ୟ କି ସ୍ୱପ୍ନ ମୁଁ ଜାଣିପାରୁ ନାହିଁ । ସୀତାଙ୍କର କେଉଁ ଅପରାଧ ଦେଖି ତ୍ୟାଗ କରିବାକୁ ସଙ୍କଳ୍ପ କରି ଅଛନ୍ତି ? ନିରପରାଧିନୀ ସୀତା ଶିରୋମଣି କୁଳନାରୀକୁ ପରିତ୍ୟାଗ କଲେ କି ରଘୁବଂଶ ପାପ ପଙ୍କରେ ଲିପ୍ତ ହେବ ନାହିଁ ? ସତୀର ଖରନିଶ୍ୱାସରେ କି ଏହି ସୂର୍ଯ୍ୟବଂଶ ଧ୍ୱଂସ ପ୍ରାପ୍ତ ହେବ ନାହିଁ ? ତୁମ୍ଭ ଜୀବନରେ ନାରୀନିର୍ଯ୍ୟତନା କଳଙ୍କ କି ଚିରକାଳ ରହିଯିବ ନାହିଁ । ମୂର୍ଖ ପ୍ରଜାଙ୍କ ସତ ପ୍ରତି ତିଳେ ମାତ୍ର ଭ୍ରୂକ୍ଷେପ ନ କଲେ ରାଜକାର୍ଯ୍ୟ କି ସୁଗମ ହେବ ନାହିଁ ? ଦୁଷ୍ଟ, ଅବିବେକୀ, ଦାୟିତ୍ୱହୀନ ପ୍ରଜାଙ୍କ ଅତି ରଞ୍ଜିତ କାହାଣି ଶୁଣି କେତେ ଦିନ ରାଜତ୍ୱ କରି ପାରିବେ ? ଏହି ହାତରେ ତ ମୁହିଁ ସେହି ସୁଦୂର ସାଗର ତୀରରେ ଅଗ୍ନି ଜାଳି ଦେଇଥିଲି । ବଧୂଙ୍କ ସତୀତ୍ୱ ସେହି ବହ୍ନି ଯୋଗେ ସ୍ୱର୍ଣ୍ଣସମ ଜ୍ୟୋତି ପ୍ରକାଶ କରିଥିଲା । ସେହି ଅଦ୍‌ଦ୍ଭୁତ ଅଗ୍ନି ପରୀକ୍ଷା, କେହି ଦେଖୁ ନ ଦେଖୁ ଆପଣ ତ ନିଜ ଚକ୍ଷୁରେ ଦେଖିଛନ୍ତି । ହୃଦୟରୁ ସଂଶୟ ବିଦୂରିତ ହେଲା ପରେ ତ ଆପଣ ତାଙ୍କୁ ଗ୍ରହଣ କରିଛନ୍ତି । ସ୍ୱଚକ୍ଷୁ ଦୃଷ୍ଟ ଘଟଣାରେ ବିଶ୍ୱାସ ନ କରି ଲକ୍ଷାଧିକ ଯୋଜନ ଦୂରସ୍ଥ ଲୋକଙ୍କ ବୃଥା ସନ୍ଦେହକୁ କାହିଁକି ହୃଦୟରେ ସ୍ଥାନ ଦେଉଛନ୍ତି ?

 

ରାମଚନ୍ଦ୍ର ପ୍ରଜାରଞ୍ଜନ ନିମନ୍ତେ ସୀତାଙ୍କୁ ତ୍ୟାଗ କରିବାକୁ କୃତସଙ୍କଳ୍ପ ହୋଇ ଅନୁଜଙ୍କୁ ଡକାଇଥିଲେ । ଅନୁଜଙ୍କ ଉପଦେଶ ଶୁଣି ରାମଚନ୍ଦ୍ରଙ୍କ ମନ କିଞ୍ଚିତ ବିଗଳିତ ହେଲା । ମାତ୍ର ତାହା ପୁନର୍ବାର ପରିବର୍ତ୍ତିତ ହେଲା । ପ୍ରଜାଙ୍କ ହିତ ନିମନ୍ତେ, ନିଜର ପ୍ରାଣ, ପ୍ରାଣାଧିକ ଭ୍ରାତା ଓ ପତ୍ନୀଙ୍କୁ ତ୍ୟାଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଅଷ୍ଟାବକ୍ରଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଥିଲେ । ସେହି ଦୃଢ଼ ପ୍ରତିଜ୍ଞାର ଭୀଷଣ ଆବର୍ତ୍ତରେ ଲକ୍ଷ୍ମଣଙ୍କ ଉପଦେଶ କାହିଁ ଲୁଚିଗଲା । ରାମ ମନେ ମନେ ଭାବିଲେ, ଲକ୍ଷ୍ମଣ ବାଳକ, ସେ କେବେହେଲେ ତାଙ୍କର କଥା ପସନ୍ଦ କରନ୍ତି ନାହିଁ, ଅନୁଜ ହୋଇ ସୁଦ୍ଧା ସାଂସାରିକ ବିଚକ୍ଷଣତାର ପରିଚୟ ଦେଇଥାନ୍ତି, ମାତ୍ର ତାଙ୍କ ଅନୁଜ୍ଞା ତିଳେ ହେଲେ ଲଙ୍ଘନ କରନ୍ତି ନାହିଁ । ସେ ଭାବିଲେ, ‘‘ଭାଇ ମୋର ସବୁବେଳେ ଏହିପରି । ସେଇଥର ମଧ୍ୟ ପିତୃସତ୍ୟ ପାଳନର ଆବଶ୍ୟକତା ନ ବୁଝି ପିତାଙ୍କ ପ୍ରତି ଅନୁଚିତ କ୍ରୋଧ ପ୍ରକାଶ କରିଥିଲେ । ମାତ୍ର ବନବାସ କରିବାକୁ ଆଗ୍ରହାନ୍ୱିତ ହେଲେ । ଲକ୍ଷ୍ମଣଙ୍କ ପକ୍ଷରେ ରାଜ-କର୍ତ୍ତବ୍ୟ ନୂତନ । ତାଙ୍କ ପକ୍ଷରେ ତାହା ବୁଝିବା ସହଜ ନୁହେଁ ।’’ ପରେ ଲକ୍ଷ୍ମଣଙ୍କ ଆଡ଼େ ଚାହିଁ କହିଲେ,–‘‘ଭାଇ, ତୁମ୍ଭେ ଏବେ ନ ବୁଝିଲେ ମଧ୍ୟ, ପଛେ ମୋର ସଙ୍କଳ୍ପର ଔଚତ୍ୟ ବୁଝି ପାରିବ । କେବଳ ସଭାଗୃହର ନିନ୍ଦାରେ ମୁଁ ଏହା ସ୍ଥିର କରି ନାହିଁ । ଏହି ନିନ୍ଦା ସର୍ବବ୍ୟାପୀ ହେଲାଣି । ଗୁପ୍ତଚର ଦୁର୍ମୁଖ କାଲି ରାତିରେ ଯାହା କହିଲା ତାହା ଶୁଣି ମୁଁ ନିତାନ୍ତ ଲଜ୍ଜିତ ହେଲି ।’’ ଲକ୍ଷ୍ମଣ କହିଲେ–‘‘କ’ଣ ତାହା ?’’

 

ରାମ-ଜଣେ ରଜକର ଘରେ ମଧ୍ୟ ମୋର ନିନ୍ଦା । ରଜକର ସ୍ତ୍ରୀ କହୁଥିଲା, ‘‘ଲଙ୍କା ଦେଶରେ ରହି ସୀତା ତ ସତୀ, ଆଉ ମୋତେ କେତେ ନିନ୍ଦା କରୁଛ ।’’ ଦୁର୍ମୁଖ ଠାରୁ ଏହା ଶୁଣିଲି । ଲକ୍ଷ୍ମଣ ଅଳ୍ପ ହସିଲେ । ମାତ୍ର ସେହି ହସରେ ଆନନ୍ଦର କୌଣସି ଚିହ୍ନ ନ ଥିଲା । ସେ ଶେଷରେ କହିଲେ, ‘‘ଆଛା ରାଜତ୍ୱ, ମୁଁ କିଛି ବୁଝି ପାରୁନାହିଁ । ମାତ୍ର ମୁଁ ତ ଅଜ୍ଞ । ଆପଣ ଯାହା ଉଚିତ ବୋଧ କରନ୍ତି ତାହା କରନ୍ତୁ । ମୋର ଯାହା କହିବାର ଥିଲା କହିଲି ।’’

 

ରାମ କହିଲେ, ‘‘ପ୍ରଜାଙ୍କ ବିଷୟ ବୁଝିବା ରାଜାର ପ୍ରଥମ କର୍ତ୍ତବ୍ୟ । ପରେ ଆଉ ସବୁ । ରାଜାର ଜୀବନ ପ୍ରଜାଙ୍କ ନିମନ୍ତେ ଗଠିତ । ପ୍ରଜାଙ୍କ ବଳରେ ହିଁ ରାଜାର, ବଳ, ପ୍ରଜାଙ୍କ ଧନରେ ହିଁ ରାଜାର ଧନ, ପ୍ରଜାଙ୍କ ସୁଖ ଦୁଃଖରେ ରାଜାର ସୁଖ ଦୁଃଖ । ପ୍ରଜା ସନ୍ଦେହ କଲେ ରାଜା ସନ୍ଦେହ କରିବାକୁ ବାଧ୍ୟ । ପ୍ରଜାଙ୍କ ମତରେ ଯଦି ସୀତା ଗ୍ରହଣ ଅନ୍ୟାୟ ଓ ସୀତାତ୍ୟାଗ ନ୍ୟାୟ, ତେବେ ତାହାହିଁ କରିବାକୁ ହେବ । ପ୍ରାଣ ଗଲେ ସୁଦ୍ଧା ପ୍ରଜାଙ୍କ ମତ ବିରୁଦ୍ଧରେ ରାଜାର କୌଣସି କର୍ତ୍ତବ୍ୟ ନାହିଁ ।’’

 

ଏହି ସୂକ୍ଷ୍ମ ରାଜନୀତି ଲକ୍ଷ୍ମଣଙ୍କ ମସ୍ତିଷ୍କରେ ପ୍ରବେଶ କରି ପାରିଲା ନାହିଁ । ମାତ୍ର ସେ ସେହି ବିଷୟ ଅଧିକ କହିବା ନିରର୍ଥକ ମନେ କରି କହିଲେ, ‘‘ତେବେ କ’ଣ କରିବାକୁ ହେବ ।’’

 

ରାମଚନ୍ଦ୍ର କହିଲେ-ସୀତାଙ୍କୁ ନେଇ ଗଙ୍ଗାତୀରବର୍ତ୍ତି କାନନରେ ଛାଡ଼ିଦେଇ ଆସ । ତନ୍ନିକଟରେ ମହର୍ଷି ବାଲ୍ମୀକି-ଆଶ୍ରମ ଦେଖିବାକୁ ସୀତା ଇଚ୍ଛା କରୁଥିଲେ । ସେଠାକୁ ଦେଖାଇ ନେଇ ଗଙ୍ଗାକୂଳରେ ତ୍ୟାଗ କରି ଆସ । ଏହାହିଁ ତୁମ୍ଭର ଓ ମୋର କର୍ତ୍ତବ୍ୟ ।

 

ଲକ୍ଷ୍ମଣ ଅବାକ ହେଲେ, ନିର୍ନିମେଷ ନୟନରେ ପ୍ରସ୍ତର ମୂର୍ତ୍ତିବତ୍‌ ଅଗ୍ରଜଙ୍କୁ ଅନାଇ ରହିଲେ । ଏହି କଠୋର ବଚନ ଶୁଣି ସେ ବିସ୍ମିତ ହୋଇ କହିଲେ, ‘‘ପ୍ରଭୃ ! ଏହା ପୁଣି କି ବାତୁଳତା-? ତ୍ୟାଗ କରିବାକୁ ହେଲେ ବନରେହିଁ କଣ ତ୍ୟାଗ କରିବାକୁ ହେବ ? ତ୍ୟାଗର ଅର୍ଥ କି ବନବାସ-? ବନବାସ କି ଆହୁରି ଅଣ୍ଟି ନାହିଁ ? ତ୍ୟାଗ କରନ୍ତୁ ପ୍ରଭୁ, ଆପତ୍ତି ନାହିଁ । ତାଙ୍କୁ ଭିନ୍ନ ଗୃହରେ ରଖାଇ ଦିଅନ୍ତୁ, ଏଥିରେ କି ଅଯୋଧ୍ୟାର ପାଷଣ୍ତବର୍ଗ ସନ୍ତୁଷ୍ଟ ହେବେ ନାହିଁ ?

 

ରାମ ନିରାଶ ସ୍ୱରରେ କହିଲେ–‘‘ନାହିଁ ଭାଇ, ମୁଁ ଯାହା କହୁଛି କର । ସୀତାଙ୍କୁ ଆଉ ଅଯୋଧ୍ୟାରେ ରଖିହେବ ନାହିଁ । ଶୀଘ୍ର ନେଇ ତାଙ୍କୁ ଛାଡ଼ି ଦିଅ ।’’ ଏହା କହି ସେ ବିକଳ ଭାବରେ ରୋଦନ କରିବାକୁ ଲାଗିଲେ । ସୀତାଶୂନ୍ୟ-ଜୀବନର ଜ୍ୱାଳାମୟ ଦୃଶ୍ୟ ତାଙ୍କ ଆଗରେ ଦିଶିଲା । ମାତ୍ର ରଘୁବଂଶ କୀର୍ତ୍ତିରକ୍ଷାର କଠୋର କର୍ତ୍ତବ୍ୟ ମନରେ ଜାଗ୍ରତ ହେଲା । ହୃଦୟରେ ସୀତାଙ୍କ ମୂର୍ତ୍ତି ବିରାଜିତ ହେଲା, ସଙ୍ଗେ ସଙ୍ଗେ ଅଯୋଧ୍ୟାର ରାଜଲକ୍ଷ୍ମୀ ହୃଦୟ ଅଧିକାର କଲା । ସେ ଅଶ୍ରୁପାତ କରି ବସି ରହିଲେ ।

 

କ୍ଷଣକ ପରେ ରାଜ-କର୍ତ୍ତବ୍ୟର ତଡ଼ିତ୍‌ ତାଡ଼ନାର ଆଘାତରେ ସେ ପ୍ରକୃତିସ୍ଥ ହୋଇ କହିଲେ–‘‘ଭାଇ, ଏହାହିଁ ଆମ୍ଭର କର୍ତ୍ତବ୍ୟ । ଯାଇ ଶୀଘ୍ର ସୀତାଙ୍କୁ ଛାଡ଼ି ଆସ । ମରିବା କି ଜୀଇଁବା ପଛେ ଦେଖାଯିବ, ଯାଅ ।’’

 

ଲକ୍ଷ୍ମଣ ଉଠି ବିଦାୟ ନେଲେ । ରାମ ଅର୍ଦ୍ଧ ନିମୀଳିତ ନୟନର ଲକ୍ଷହୀନ ଦୃଷ୍ଟିରେ ବସି ରହିଲେ ।

Image

 

ନିର୍ବାସନ

(ଷଷ୍ଠ ପରିଚ୍ଛେଦ)

 

ସିଂହଦ୍ୱାରା ନିକଟରେ ରଥ ପହଞ୍ଚିବା ଦେଖି ଲକ୍ଷ୍ମଣ ଅନ୍ତଃପୁରାଭିମୁଖେ ଗମନ କରି ସୀତାଦେବୀଙ୍କ କକ୍ଷରେ ଯାଇ ଉପସ୍ଥିତ ହେଲେ । ଅନେକ ଦିନାବଧି ଅନାଗତ ପ୍ରିୟ ଦେବରଙ୍କୁ ଦେଖି ଆନନ୍ଦ ଓ ପ୍ରଫୁଲ୍ଲ ଚିତ୍ତରେ କହିଲେ-‘‘କି, ଆଉ ଦେଖା ମିଳୁନାହିଁ ?’’ ଲକ୍ଷ୍ମଣ କିନ୍ତୁ କୌଣସି ଉତ୍ତର ନ ଦେଇ ଖାଲି ଶୁଖିଲା ହସଟିଏ ହସି ଦେଲେ । ସେ ତ କେବେ ଦେବୀଙ୍କ ମୁଖକୁ ଚାହିଁ କଥୋପକଥନ କରନ୍ତି ନାହିଁ, ଦେବୀଙ୍କ ପାଦଆଡ଼େ ଚାହିଁ ଚାହିଁ, ଅବନତ ବଦନ ଓ ଧୀର ସ୍ୱରରେ କହିଲେ, ‘‘ଦେବୀ, ତୁମ୍ଭଙ୍କୁ, ତପୋବନକୁ ନେବାକୁ ଅଗ୍ରଜଙ୍କ ଆଜ୍ଞା । ସିଂହଦ୍ୱାରରେ ରଥ ଉପସ୍ଥିତ । ଆସିଲେ ମୁଁ ସଙ୍ଗରେ ନେଇ ତୁମ୍ଭଙ୍କୁ ତପୋବନ ଦେଖାଇବି ।’’ ସୀତା ଏହା ଶୁଣିବାକ୍ଷଣି କହିଲେ, ‘‘ଅଗ୍ରଜ ଯିବେ ତ ?’ ଲକ୍ଷ୍ମଣ ଉତ୍ତର ଦେଲେ ଯେ ରାମ ରାଜକାର୍ଯ୍ୟରେ ବିଶେଷ ବ୍ୟସ୍ତ ଥିବାରୁ ଯାଇ ପାରିବେ ନାହିଁ । ଏ ଉତ୍ତରରେ ସୀତାଙ୍କ ତପୋବନ ଦର୍ଶନର ଅଧେ ଇଚ୍ଛା ଭାଙ୍ଗିଗଲା । ମାତ୍ର ଉକ୍ତ ଇଚ୍ଛାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ନ ଥିବାରୁ ସେ ଯିବାକୁ ସ୍ଥିର କରି ଦେବରଙ୍କୁ କହିଲେ, ‘‘ହେଉ, ତେବେ ରହ, ଯାଉଛି ଯାତ୍ରା ପାଇଁ ସବୁ ଯୋଗାଡ଼ କରି ଆସେ ।’’ ଲକ୍ଷ୍ମଣ ସେଠାରେ ବସିଲେ । ସୀତା କକ୍ଷାନ୍ତରକୁ ଯାଇ ତପୋବନ ବାସଯୋଗ୍ୟ ବସନଭୂଷଣ, ଋଷିଗଣଙ୍କୁ ଦେବା ନିମିତ୍ତ ଧନରତ୍ନ ଓ ମୁନିକୁମାରୀମାନଙ୍କ ନିମନ୍ତେ କେତେ ବହୁମୂଲ୍ୟ ଅଳଙ୍କାର–ଏପରି କେତେ ପଦାର୍ଥ ପେଟିକାରେ ପୂର୍ଣ୍ଣ କରି ରଥ ଉପରକୁ ପଠାଇ ଦେଲେ । ଦୁଇ ତିନି ଦିନ ମଧ୍ୟରେ ତ ଫେରିବେ, ସେ ହେତୁରୁ ବେଶି କିଛି ପଦାର୍ଥ ନେଲେ ନାହିଁ । ଦାସୀଟିଏ ମଧ୍ୟ ସଙ୍ଗରେ ନେଲେ ନାହିଁ । ଅନ୍ତଃପୁରବାସିନୀଙ୍କ ଠାରୁ ଦୁଇ ଦିନ ସକାଶେ ବିଦାୟ ନେଇ ଲକ୍ଷ୍ମଣଙ୍କ ପଶ୍ଚାତ ଗମନ କରି ସିଂହଦ୍ୱାରସ୍ଥ ରଥ ନିକଟରେ ପହଞ୍ଚିଲେ । ଦୁହେଁ ରଥାରୋହଣ କଲା ପରେ ସାରଥି ଲକ୍ଷ୍ମଣଙ୍କ ଆଜ୍ଞା ପାଇ ରଥ ଚଳାଇବାକୁ ଲାଗିଲେ ।

 

କ୍ରମେ ଅଯୋଧ୍ୟାର ରାଜପ୍ରାସାଦ, ଓ ଅନ୍ୟାନ୍ୟ ଉଚ୍ଚ ସୌଧଶିଖର ଦୃଷ୍ଟିପଥରେ କ୍ଷୁଦ୍ର ଆକାର ଧାରଣ କଲା । କିଛି ସମୟ ପରେ ନଗରୀ ଅଦୃଶ୍ୟ ହେଲା । ସୀତା ଆଉ ସେ ଆଡ଼େ ଚାହିଁଲେ, ନାହିଁ । ରଥ ନିର୍ଜନ ପ୍ରାନ୍ତରରେ ଚଳିବାକୁ ଲାଗିଲା । ରଥର ଦ୍ରୁତଗତି ହେତୁରୁ ବନ, ଗିରି, ବୃକ୍ଷ, ଲତା ସ୍ଥାବରନିଚୟ ବିପରୀତ ଦିଗରେ ଗତି କଲାପରି ବୋଧ ହେଲା । ସୀତା ଅନେକ ଦିନ ପରେ ପୁନର୍ବାର ମୁକ୍ତବାୟୁ ସେବନ କରି ଆନନ୍ଦିତ ହେଲେ । ମରୁତାଲୋଡ଼ିତ କୁନ୍ତଳ ଲାସ୍ୟରେ ଦେବୀଙ୍କର ପ୍ରଫୁଲ୍ଲ ମୁଖ ଅଧିକ ସୁନ୍ଦର ଦେଖା ଗଲା । ମାତ୍ର ଭାଗ୍ୟହୀନ ରାମଚନ୍ଦ୍ର ସେହି ସୌନ୍ଦର୍ଯ୍ୟ-ମଧୁର ପାନରୁ ବଞ୍ଚିତ ହୋଇଥିଲେ । ଦେବୀ ନିସର୍ଗ ସୁନ୍ଦରୀର ମୋହନ ଛବି ଦେଖି କ୍ଷଣକାଳ ଆତ୍ମବିସ୍ମୃତା ହେଲେ ।

 

ମାତ୍ର ହଠାତ୍‌ ତାଙ୍କ ମନରେ ଆଶ୍ଚର୍ଯ୍ୟ ପରିବର୍ତ୍ତନ ଘଟିଲା । ଦକ୍ଷିଣ ଚକ୍ଷୁ ସ୍ପନ୍ଦନ ଅନୁମାନ କରି ଦେବୀ କାତରା ହେଲେ । ହୃଦୟ ତାଙ୍କର ଛନ ଛନ ହେଲା । ଏବେ ତାଙ୍କର ସ୍ମରଣ ହେଲା ଯେ ସେ ଆସିବା ବେଳେ ସ୍ୱାମୀଙ୍କଠାରୁ ବିଦାୟ ନେଇ ନାହାନ୍ତି । ସେ ରାମଙ୍କ ଚିନ୍ତାରେ ବ୍ୟାକୁଳ ହୃଦୟା ହୋଇ ଲକ୍ଷ୍ମଣଙ୍କୁ କହିଲେ, ‘‘ଚାଲ, ଫେରି ଯିବା, ଆଉ ଦିନେ ଆସିବା । ମୋ ମନଟା କିଛି ସୁଖ ଲାଗୁ ନାହିଁ । ସ୍ୱାମୀଙ୍କଠାରୁ ବିଦାୟ ନେବାକୁ ଭୁଲି ଗଲି ।’’ ଏହା ଶୁଣି ଲକ୍ଷ୍ମଣ ଉପାୟଶୂନ୍ୟ ହେଲେ । କ୍ଷଣେ ନୀରବ ରହି କହିଲେ, ‘‘ଦେବୀ, କାହିଁକି ଏପରି କହୁଛ ? ଭ୍ରାତାଙ୍କର ତ ଆଜ୍ଞା ହୋଇଛି । ଏଥିରେ ଦୁଃଖର କଥା କଣ ଅଛି ? ମନ ତ ସର୍ବଦା ପରିବର୍ତ୍ତନଶୀଳ । ମନଟାକୁ ଅଳ୍ପ ମାରିଦେଲେ ତ ହେବ । ହେଟି ଦେଖ, ଗୋମତୀ ନଦୀ ନିକଟ ହେଲାଣି ।’’

 

ସୀତା ଦେବରଙ୍କ କଥାରେ କିଞ୍ଚିତ ଆଶ୍ୱସ୍ତ ହୋଇ ଅଯୋଧ୍ୟାକୁ ଫେରିବା ମନ ଭାଙ୍ଗି ଦେଲେ । ଗୋମତୀ-ସ୍ରୋତ-ସ୍ପର୍ଶୀ ଶୀତଳ ସମୀରଣର ମୃଦୁ ସ୍ପର୍ଶରେ ଦେବୀଙ୍କର ଚିନ୍ତାଧିକ ଲଲାଟର ଘର୍ମ ଶୁଷ୍କ ହେଲା । ସୁବର୍ଣ୍ଣ-ତେଳ ପରିହିତା ବାରୁଣୀ ରାଣୀଙ୍କ ଫଗୁକ୍ରୀଡ଼ା ସନ୍ଦର୍ଶନରେ ମନ ହର୍ଷୋତ୍‌ଫୁଲ୍ଲ ହେଲା । ଅସ୍ତଗାମୀ ସୂର୍ଯ୍ୟଙ୍କର ମଞ୍ଜୁଳ ପ୍ରଭା ସନ୍ଦର୍ଶନ କରୁ କରୁ ରଥ ଗୋମତୀ ତୀରଦେଶରେ ଯାଇ ଉପସ୍ଥିତ ହେଲା । ରାତିଟି ସେଠାରେ କଟାଇବାକୁ ସ୍ଥିର କରି ଲକ୍ଷ୍ମଣ ରଥ ବନ୍ଦ କରିବାକୁ ସାରଥିକୁ ଆଜ୍ଞା ଦେଲେ । ଗୋମତୀ ଜଳରେ ସାନ୍ଧ୍ୟକ୍ରିୟା ସମାପନାନ୍ତର ସୀତା ଓ ଲକ୍ଷ୍ମଣ ରଥ ଉପରେ ରହିଲେ, ସାରଥି ରଥଚ୍ୟୁତ ଅଶ୍ୱଦ୍ୱୟଙ୍କ ଖାଦ୍ୟପେୟର ବ୍ୟବସ୍ଥା କରି ବିଶ୍ରାମ ଲାଭ କଲେ ।

 

ରାତ୍ରି ଶେଷ ହେବାକ୍ଷଣି, ପ୍ରତ୍ୟୂଷରୁ ସାରଥି ଘୋଟକ ଦ୍ୱୟଙ୍କୁ ରଥରେ ବାନ୍ଧି ଗଙ୍ଗାନଦୀ ଅଭିମୁଖରେ ରଥ ଚଳାଇବାକୁ ଲାଗିଲା । କ୍ଷିପ୍ରଗତି ଅଶ୍ୱ ଦୁଇଟି ମଧ୍ୟାହ୍ନ ପୂର୍ବରୁ ରଥ ଗଙ୍ଗା କୂଳରେ ପହଞ୍ଚାଇ ଦେଲେ । ନଦୀ କୂଳରେ ଗୋଟିଏ ଛୋଟ ନାବ । ଦୁହେଁ ବସି ନଦୀର ଆର ତୀରରେ ଯାଇ ଅବତରଣ କଲେ । ଏବେ ଲକ୍ଷ୍ମଣ ତାଙ୍କର ଦୁଃଖ ଲୁଚାଇ ରଖି ପାରିଲେ ନାହିଁ । ତାଙ୍କର ଅଶ୍ରୁଧାରା ଗଣ୍ତଦେଶ ଦେଇ ବହିଗଲା । ଏହା ଦେଖି ସୀତାଙ୍କର ଧୈର୍ଯ୍ୟଚ୍ୟୁତ ହେଲା । ପ୍ରଥମେ ଯେଉଁ ସବୁ ଅପଶକୁନ ଘଟିଥିଲା ଏବେ ସବୁ ମନେ ପଡ଼ିଗଲା । ଗଙ୍ଗା ନଦୀର ବିସ୍ତାରିତ ସ୍ରୋତ ଉଚ୍ଛ୍ୱାସିତ ତରଙ୍ଗ ଲାସ୍ୟରେ, ଗଭୀର ନିନାଦରେ ଚାଲିଛି ମାତ୍ର, ସୀତାଙ୍କର ସେଥି ପ୍ରତି ଦୃଷ୍ଟି ନାହିଁ । ଲକ୍ଷ୍ମଣଙ୍କ ମ୍ଳାନ ବଦନ ନିରୀକ୍ଷଣ କରି ସେ ଏବେ କାତରା, ଅସ୍ଥିରା, ତାଙ୍କ ହୃଦୟ ଭୟରେ ବିହଳ । ମନ ଆଶଙ୍କାରେ ପରିପୂର୍ଣ୍ଣ । ସହଜେ ତ ସେ ଅବଳା ନିକଟରେ ସ୍ୱାମୀ ନାହାନ୍ତି-। ଦେବର ଲକ୍ଷ୍ମଣ ତ କିଛି ନ କହି ବିକଳ ଭାବରେ କ୍ରନ୍ଦନ କରୁଅଛନ୍ତି । ସେ ଏହି ଅବସ୍ଥାରେ ଅଧୈର୍ଯ୍ୟ ହେବା ବିଚିତ୍ର କ’ଣ ! ସେ କାତର ସ୍ୱରରେ କହିଲେ, ‘‘କ’ଣ ହେଲା, ସତ କହ । କହ, ମୋଠାରେ କିଛି ଲୁଚାଅ ନାହିଁ । ମୁଁ କହିଲି, ତୁମେ ଶୁଣିଲ ନାହିଁ । ସେତେବେଳେ ଅଯୋଧ୍ୟାକୁ ଫେରିଥିଲେ ଆମର କି କୌଣସି ବିପଦ ହୁଅନ୍ତା ?’’ ଏହା ଶୁଣି ଲକ୍ଷ୍ମଣଙ୍କ ଶୋକ ଦ୍ୱିଗୁଣିତ ହେଲା-। ଦୁଃଖରେ କଣ୍ଠରୁଦ୍ଧ ହେଲା । ଦେବୀ ପୂନର୍ବାର କାତରକଣ୍ଠରେ ପଚାରିଲେ, ‘‘କହ, ଲକ୍ଷ୍ମଣ, କ’ଣ ହେଲା ?’’ ଲକ୍ଷ୍ମଣ ବାଷ୍ପାକୂଳ ନୟନରେ ଓ ଭଗ୍ନ ସ୍ୱରରେ କହିଲେ, ‘‘ଦେବୀ, କ’ଣ କହିବି, ଏହି ଅଭାଗା ଯେଉଁ କାର୍ଯ୍ୟ କରିବାକୁ ଯାଉଛି ତାହା ଅତି କ୍ରୂର ଓ ଅନ୍ୟାୟ, ମାତ୍ର ମୋର ଅନ୍ୟ କର୍ତ୍ତବ୍ୟ ନାହିଁ । ଅଗ୍ରଜଙ୍କ ଆଜ୍ଞା ପାଳନହିଁ ମୋ ଜୀବନର ଏକ ମାତ୍ର ବ୍ରତ ।’’

 

ସୀତା କିଛି ବୁଝିପାରିଲେ ନାହିଁ । ତାଙ୍କର ଆଶଙ୍କା ଅଧିକ ହେଲା । ସେ ପୂନର୍ବାର କହିଲେ, ‘‘କଥା କଣ, ଫିଟାଇ କହ ଲକ୍ଷ୍ମଣ ।’’ ଲକ୍ଷ୍ମଣ କହିଲେ, ‘‘କିପରି କହିବି ? କହି କିପରି ଏହି ମୁଖ ସଂସାରରେ ଦେଖାଇବି ? ମାତ୍ର ଏହା ତ ଅଗ୍ରଜଙ୍କ ଆଦେଶ । ତାଙ୍କ ଆଜ୍ଞା ପ୍ରକାରେ ଦେବୀ, ଏହିକ୍ଷଣି ତୁମ୍ଭଙ୍କୁ ଗଙ୍ଗାର ଆର ତୀରରେ ତ୍ୟାଗ କରି ଅଯୋଧ୍ୟାକୁ ଫେରିବି । ବାଲ୍ମୀକି ଆଶ୍ରମକୁ ନେଉଛି ବୋଲି ତୁମ୍ଭଙ୍କୁ ବଞ୍ଚନା କରିଛି ମାତ୍ର । ପ୍ରକୃତରେ ତୁମ୍ଭଙ୍କୁ ନିର୍ବାସନ ଦଣ୍ତ ଦେବାକୁ ମୁଁ ଏଠାକୁ ଆସିଛି ।

 

ଏହା ଶୁଣି ଦେବୀ ତାଟକା ହୋଇ ଲକ୍ଷ୍ମଣଙ୍କ ଆଡ଼େ ଚାହିଁ ରହିଲେ । ସେ କଥାଟା ପ୍ରାଞ୍ଜଳ ଭାବରେ ବୁଝି ପାରିଲେ ନାହିଁ । ଏହି ଉକ୍ତି ତାଙ୍କ ମସ୍ତିଷ୍କରେ ତଡ଼ିତ୍‌ବେଗରେ ଆଘାତ କଲା-। ଏହି ଆଘାତରେ କେତେକ ସମୟ କିଛିହେଲେ ଭାବି ପାରିଲେ ନାହିଁ । ତାଙ୍କ ମସ୍ତିଷ୍କ ରେଖାଶୂନ୍ୟ ହେଲା । ସେ ସୁଖ କି ଦୁଃଖ କିଛି ଜାଣି ପାରିଲେ ନାହିଁ । ଉଦାସ ଓ ଆତୁର ନୟନରେ ଚାହିଁ ରହିଲେ ମାତ୍ର । ଲକ୍ଷ୍ମଣ ତାଙ୍କର ଏହି ଭାବଶୂନ୍ୟ ବ୍ୟର୍ଥ ଦୃଷ୍ଟି ପ୍ରତି ଲକ୍ଷ୍ୟ କରି ନିତାନ୍ତ ବ୍ୟଥିତ ହେଲେ । ସେ କହିଲେ, ‘‘ଏପରି ଦେଖି ରହିଛ କଣ ?’’ ଏହି କଥା ଶୁଣି ସୀତା ପ୍ରକୃତିସ୍ଥା ହେଲେ । ନିଜର ନିର୍ବାସନ ଦଣ୍ତ ବିଷୟ ତାଙ୍କ ମନରେ ପୁନଃପ୍ରବେଶ କଲା । ସେ ଜିଜ୍ଞାସା କଲେ, ‘‘ବତ୍ସ, ଏହି କଠୋର ଦଣ୍ତର ଦୋଷ କ’ଣ ?’’ ଲକ୍ଷ୍ମଣଙ୍କ ମସ୍ତକ ଲଜ୍ଜାରେ ନତ ହେଲା, ମାତ୍ର ଉତ୍ତର ଦେବା ଆବଶ୍ୟକ ମନେ କରି କହିଲେ, ‘‘ଦେବୀ, ଦୋଷ ତୁମ୍ଭର ନୁହେଁ । ଦୋଷ ମୋ’ର, ଆଉ ଭାଇଙ୍କର-। ମୂର୍ଖ ପ୍ରଜାବୃନ୍ଦ ତୁମ୍ଭ ଚରିତ୍ରରେ କଳଙ୍କାରୋପ କରୁଅଛନ୍ତି । ସେ ହେତୁରୁ ତାହା ନିଜ ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ସୁଦ୍ଧା, ଅଗ୍ରଜ ରାଜୋଚିତ ପ୍ରଜାରଞ୍ଜନ କାର୍ଯ୍ୟ କରିବା ନିମନ୍ତେ ମୋତେ ଏହି ନୃଶଂସ ଆଜ୍ଞା ଦେଇଅଛନ୍ତି । ସୀତା ଏହା ଶୁଣି ଆଉ କିଛି କହିଲେ ନାହିଁ । ମାଧ୍ୟାହ୍ନିକ ସୂର୍ଯ୍ୟରଶ୍ମିର ପ୍ରଖର ତାପ ଦୁଃଖ ସନ୍ତପ୍ତ ଦୁହିଁଙ୍କୁ କିଛି ଜଣା ଗଲା ନାହିଁ । ଖଣ୍ତେ ଦୂର ଯାଇ, ସୀତା, ଠିଆ ରହି କହିଲେ, ‘‘ତେବେ ମୋତେ ଏଠାରେ ତ୍ୟାଗ କରି ଯିବ ? କି କଷ୍ଟ ଲକ୍ଷ୍ମଣ ! ଭାବିଥିଲି ଲଙ୍କାରୁ ଉଦ୍ଧାର ପାଇ ପ୍ରଭୃପାଦ ସେବାରେ ଅବଶିଷ୍ଟ ଜୀବନ କଟାଇବି । ମାତ୍ର ବିଧିର ବିଧାନ ଏପରି । ପ୍ରଭୁଙ୍କୁ ନ ଦେଖି କିପରି ବଞ୍ଚି ରହିବି ଜାଣି ପାରୁନାହିଁ, ଯାହା ହେବାର ହେଲା । ପାପିନୀର କପାଳରେ ଆହୁରି କଣ ଲେଖା ଅଛି କିଏ କହିବ ? ବଡ଼ କଷ୍ଟ ଲକ୍ଷ୍ମଣ ଅବଳା ଜନ୍ମପାଇ ମୋ ପରି ଅଭାଗିନୀ ଜଗତରେ କେହି ନଥିବେ । ଲକ୍ଷ୍ମଣ ଚିନ୍ତିତ ହୋଇ କହିଲେ,–‘‘ନିକଟରେ ବାଲ୍ମୀକି ମୁନିଙ୍କ ଆଶ୍ରମ, ସେଠାରେ ରହିବାର ଅଳ୍ପ ସୁବିଧା ହେବ ।’’

 

ସୀତା ଲକ୍ଷ୍ମଣଙ୍କ ମୁଖରୁ, ସୁବିଧା ପଦଟି ଶ୍ରବଣ କରି କହିଲେ, ସୁବିଧା ଅସୁବିଧା ମୁଁ ଖୋଜୁନାହିଁ, ବାବୁ; ଚଉଦ ବର୍ଷ ବନରେ ରହି ବନବାସ ମୋର ଚିର ଅଭ୍ୟାସ ହୋଇ ଯାଇଛି । ପ୍ରାଣ ଗଲେ ବି ମୋର ଚିନ୍ତା ନାହିଁ । ମାତ୍ର ବଞ୍ଚି ରହିଥିବା ସମୟତକ ପ୍ରଭୁଙ୍କ ନିକଟରେ ରହନ୍ତି-ଏହି ଇଚ୍ଛାହିଁ ଏବେ ହୃଦୟକୁ କଲବଲ କରି ଦେଉଛି । ରାମ ବିନା ମୋର ସଂସାରରେ ଆଉ କିଏ ଅଛି ? ସେ ତ୍ୟାଗ କଲେ ମୋର ଗତି କଣ, ଏବେ କ’ଣ କରିବି ବୁଝି ପାରୁନାହିଁ । କିପରି ରହିବି ଜାଣିପାରୁ ନାହିଁ ।’’ ଦୀର୍ଘ ନିଶ୍ୱାସଟିଏ ତ୍ୟାଗ କରି ସଜଳ ନୟନରେ କହିଲେ,-‘‘କିଏ କ’ଣ କରିପାରିବ ? ସବୁ ତ ମୋର ପୂର୍ବଜନ୍ମକୃତ ଫଳ । ଲକ୍ଷ୍ମଣ, ଏହି ଜନ୍ମରେ ମୁଁ କାହାର କୌଣସି ଅନିଷ୍ଟ କରିନାହିଁ । କାହିଁକି ତେବେ ମୋ ଉପରେ ଏତେ ବିପଦ ଆସି ପଡ଼ୁଛି । ମୋର ପୂର୍ବଜନ୍ମରେ ବୋଧହୁଏ କାହାକୁ ଏପରି ଦୁଃଖ ଦେଇଥିଲି । ସେହି ପାପର ଫଳ ଏବେ ଭୋଗ କରୁଛି । ଗର୍ଭସ୍ଥିତ ସନ୍ତାନ ଲାଗି ପ୍ରାଣର ମମତା ତୁଟାଇ ପାରୁନାହିଁ । ଲକ୍ଷ୍ମଣ, ତୁମ୍ଭେ ଏହିକ୍ଷଣି ଯାଇ ଅଗ୍ରଜଙ୍କୁ ଦେଖିବ । ଆଉ ମୁଁ ଏହି ନିର୍ଜ୍ଜନ ଅରଣ୍ୟରେ ନିଃସହାୟା ଏକାକିନୀ ହୋଇ ପଡ଼ି ରହିବି–କିପରି-ଉଃ କି କଷ୍ଟ ।’’ କହୁ କହୁ ସୀତା ସେଠାରେ ଆୟାସବଶରୁ ବସି ବିକଳ କଣ୍ଠରେ ରୋଦନ କଲେ ।

 

ଲକ୍ଷ୍ମଣ ନିର୍ବାକ୍‌ । କ’ଣ କହି ସାନ୍ତ୍ୱନା ଦେବେ ? ସ୍ୱାମୀ-ପଦସେବା ବିନା କି ତାଙ୍କର ମନୋବେଦନା ଲାଘବ ହେବ ? ସୀତା ପୁନର୍ବାର ଧକେଇ ଧକେଇ ଲକ୍ଷ୍ମଣଙ୍କ ଆଡ଼େ ଅନାଇ କହିଲେ, ‘‘ଯାଅ ବତ୍ସ, ଏକାକିନୀ ମୁଁ ଏଠାରେ ରହେଁ । ମୋର ଆର୍ଶୀର୍ବାଦ ନେଇ ତୁମ୍ଭେ ସୁଖରେ ଯାଅ ।’’ ଲକ୍ଷ୍ମଣ ଏହା ଶୁଣି କାନ୍ଦିବାକୁ ଲାଗିଲେ । ସୀତା ତାଙ୍କୁ ଆଶ୍ୱାସନା ଦେବା ନିମନ୍ତେ ବହୁ କଷ୍ଟରେ ଶୋକ ସମ୍ବରଣ କରି କହିଲେ, ‘‘କାନ୍ଦ ନାହିଁ । ଲକ୍ଷ୍ମଣ ମୋର, ଏ ସବୁ ଭଗବାନଙ୍କର ଇଚ୍ଛା ମାତ୍ର । ତୁମ୍ଭର ଆଉ ମୋର ହାତରେ କିଛି ନାହିଁ । ଆମ୍ଭେମାନେ ତାଙ୍କର କ୍ରୀଡ଼ନକ ମାତ୍ର । ଅଯୋଧ୍ୟାକୁ ଲେଉଟି ଯାଇ ଅଗ୍ରଜଙ୍କ ସେବାରେ ଅବହେଳା କରିବ ନାହିଁ । ପ୍ରଭୁଙ୍କୁ ମୋର ଜଣାଇ ଦେବ ଯେ, ନିର୍ବାସନରେ ମଧ୍ୟ ତାଙ୍କ ପଦପଙ୍କଜ ଧ୍ୟାନରେ ହିଁ ଏହି ଦାସୀ ତାହାର ଜୀବନ କଟାଇବ-। କହିଦେବ ଯେପରି ଦାସୀକୁ ପ୍ରଭୁ ସ୍ମୃତିପଟରୁ ଏକ ବେଳକେ ପୋଛି ନ ଦିଅନ୍ତି । ଯାଅ ବାବା ଯାଅ ।’’ ଅଳ୍ପ ନୀରବ ରହି ପୁନରପି କହିଲେ, ‘‘ମା’ମାନଙ୍କୁ ମୋର ପ୍ରଣାମ ଜଣାଇ ଦେବ । ଉର୍ମିଳା ଆହା, ଆସିଲାବେଳେ କାହାକୁ ଦେଖିଲି ନାହିଁ–ଉର୍ମିଳା ପ୍ରଭୃତିଙ୍କୁ ମୋର ବହୁତ ବହୁତ କହିବ । ଯା’ ବତ୍ସ, ଅଧିକ କିଛି ଚିନ୍ତା କରନାହିଁ ।’’

 

ଲକ୍ଷ୍ମଣ ମୁଖର ଅଶ୍ରୁ ପୋଛୁ ପୋଛୁ ବାଷ୍ପରୁଦ୍ଧ କଣ୍ଠରେ କହିଲେ, ‘‘ଦେବୀ, କ୍ଷମା କର । ଅଗ୍ରଜଙ୍କ ଆଜ୍ଞା ପାଳନ ବ୍ୟତୀତ ଜୀବନରେ ମୋର ଅନ୍ୟ କର୍ତ୍ତବ୍ୟ ନାହିଁ । ସେହେତୁରୁ ମୁଁ ତୁମ୍ଭଙ୍କୁ ଏହି ନିବିଡ଼ ଅରଣ୍ୟ ମଧ୍ୟରେ ଛାଡ଼ି ଯାଉଛି । ଅଗ୍ରଜ ନିଜ ଇଚ୍ଛା ଓ ବିଶ୍ୱାସ ବିରୁଦ୍ଧରେ କୁଟିଳ ପ୍ରଜାଙ୍କୁ ସନ୍ତୁଷ୍ଟ କରିବାକୁ ଏହି ନୃଶଂସ ଆଜ୍ଞା ଦେଇ ଅଛନ୍ତି, କ୍ଷମାକର ।’’

 

ସୀତା କହିଲେ, ‘‘ସବୁ ମୋର କପାଳର ଦୋଷ । ଏ ସବୁ ବିଧିର ବିଧାନ । ତୁମ୍ଭେ ବା କଣ କରିପାରିବ ?’’

 

ଲକ୍ଷ୍ମଣ ଦେବୀଙ୍କ ସମୀପରୁ ବିଦାୟ ନେଇ ଗଙ୍ଗା ପାର ହୋଇ ରଥାରୋହଣ କଲେ । ସାରଥି ଅଯୋଧ୍ୟାଭିମୁଖରେ ରଥ ଚଳାଇବାକୁ ଲାଗିଲେ । ଅଶ୍ୱ ଦ୍ୱୟ ପୂର୍ବ ପରିଚିତ ମାର୍ଗରେ ଶୀଘ୍ର ଯିବାକୁ ଲାଗିଲେ । ଚଳନ୍ତି ରଥଟି ଦେଖୁଁ ଦେଖୁଁ କ୍ଷଣକ ପରେ ସୀତାଙ୍କର ଦୃଷ୍ଟିପଥରୁ ଅନ୍ତର୍ହିତ ହେଲା । ପ୍ରଖର ସୂର୍ଯ୍ୟରଶ୍ମି-ବିତ୍ସୂରିତ ମଧ୍ୟାହ୍ନରେ ଜଗତ ତାଙ୍କୁ ଅନ୍ଧକାରମୟ ପ୍ରତୀତ ହେଲା । ମସ୍ତିଷ୍କ ବିଘୂର୍ଣ୍ଣିତ ହେଲା । ମନ ଅସ୍ଥିର ହେଲା । ଦୁଃଖର ମାତ୍ରା ବହନାତୀତ ହେଲା । ସେହି ଆଡ଼େ ଚାହୁଁ ଚାହୁଁ, ରଥଟି ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ସେ ସଜ୍ଞା ଶୂନ୍ୟ ହୋଇ ଭୂତଳରେ ପତିତ ହେଲେ ।

 

ବିଧିର ବିଧାନ ଅତି ବିଚିତ୍ର । ଜନକଆତ୍ମଜା, ରାମହୃଦୟଜ୍ୟୋତ୍ସ୍ନା, ଅଯୋଧ୍ୟାର ମହାରାଣୀ, ଆଜି ପ୍ରଜାଙ୍କ ନିନ୍ଦା ବାକ୍ୟରେ ଲାଞ୍ଛିତା, ପତିଙ୍କ ଦ୍ୱାରା ବର୍ଜିତା । ନିଃସହାୟ ଭାବରେ ଶ୍ୱାପଦସଙ୍କୁଳ ନିର୍ଜ୍ଜନ ଅରଣ୍ୟରେ ସଂଜ୍ଞା ଶୂନ୍ୟ ହୋଇ ଭୂତଳରେ ପତିତ । ଚକ୍ଷୁ ମୁଦ୍ରିତ । ନାସିକାରୁ ଧୀରେ ଧୀରେ ପବନ ଗତାଗତ । କେଶଗୁଚ୍ଛ ମୁକ୍ତ ହୋଇ ଭୂତଳରେ ବିଶୃଙ୍ଖଳ ଭାବରେ ପଡ଼ିଛି । ଅଯୋଧ୍ୟାର ରାଣୀଙ୍କର କୁଙ୍କୁମ ସୁବାସିତ କୋମଳ କଳେବର ଆଜି ବନର ଧୂଳିରେ ଧୂସରିତ । ନିକଟରେ ଦାସୀଟିଏ ନାହିଁ । ଯାହାର ପାଦସେବା ଅପେକ୍ଷାରେ ଶତ ଶତ ସେବିକା ଆଜ୍ଞାକୁ ଚାହିଁ ରହିଥାନ୍ତି, ସେ ଆଜି ଚେତନା ଶୂନ୍ୟ ହୋଇ ଭୂତଳରେ ପଡ଼ି ବନଭୂମିରେ ଲୁଣ୍ଠିତ ହେଲେ ସୁଦ୍ଧା ପାଖରେ ବସିବାକୁ ଜଣେ ଦାସୀ ନାହିଁ । ବଳବାନ୍‌ ଦୈବର ବିଧାନକୁ କିଏ ଲଙ୍ଘିପାରେ ? ଭାଗ୍ୟ ପରିବର୍ତ୍ତନର ବିଚିତ୍ର ଗତି କିଏ ବୁଝାଇପାରେ ?

 

ସଂଜ୍ଞା ଶୂନ୍ୟ ହେବାର କିଛି ସମୟ ପରେ ଆକାଶ ମେଘାଛାଦିତ ହେଲା । ସୂର୍ଯ୍ୟଦେବଙ୍କ ପ୍ରଚଣ୍ତ କିରଣରୁ ଧରଣୀ ରକ୍ଷା ପାଇଲା । ଦକ୍ଷିଣ ଦିଗରୁ ମୃଦୁ ମନ୍ଦ ମରୁତ ବହିବାକୁ ଲାଗିଲା । ଗଙ୍ଗାପ୍ରବାହ-ସ୍ପର୍ଶୀ ଶୀତଳ ସମୀରଣ ସତୀଙ୍କର ଘର୍ମାସକ୍ତ ଲଲାଟ ସ୍ପର୍ଶ କଲା । ଶୀତଳ ବାୟୁର ମୃଦୁ ମନ୍ଦ ସ୍ପର୍ଶରେ ଦେବୀ କିଞ୍ଚିତ ସଂଜ୍ଞା ଲାଭ କରି, ଚକ୍ଷୁ ଉନ୍‌ମୀଳିତ କରି ଦେଖିଲେ, ଊର୍ଦ୍ଧ୍ୱରେ ଆକାଶ ମେଘାଛନ୍ନ । ଏହା ଦେଖି ସେ ପୁନର୍ବାର ଚକ୍ଷୁ ମୁଦ୍ରିତ କଲେ । ଘନ ଘନ ବାୟୁ ସ୍ପର୍ଶରେ କଥଞ୍ଚିତ ଆଶ୍ୱାସନା ପାଇ ଉଠି ବସିଲେ । କେଶ ଗୁଚ୍ଛ ଫିଟି ପିଠିଉପରେ ପଡ଼ିଛି–ବାନ୍ଧିବା ନ ବାନ୍ଧିବା ମନେ ନାହିଁ । ଦେଖିଲେ ନିକଟରେ ରଥଟି ନାହିଁ କି ଲକ୍ଷ୍ମଣ ନାହାନ୍ତି । ତାଙ୍କୁ ଏବେ ପୂର୍ବଘଟନା ସବୁ ଗୋଟି ଗୋଟି ହୋଇ ସ୍ୱଚ୍ଛ ଦିଶିଲା । ସେ ଏବେ ନିର୍ବାସିତା, ଅପରାଧ ନ ଥାଇ ସୁଦ୍ଧା ସେ ଏବେ ପତିତ୍ୟକ୍ତା । ନିର୍ବାସନ ପତିଙ୍କର ଆଜ୍ଞା l ତାହା ପାଳିବାକୁ ସେ ବାଧ୍ୟ । ମାତ୍ର ପତିଙ୍କୁ ନ ଦେଖି କିପରି ଯେ ରହିବେ ତାହା ଭାବିଲେ ହୃଦୟ ଖଣ୍ତ ଖଣ୍ତ ହୋଇ ଯାଏ । ‘‘ନିଃସହାୟା ନାରୀ ମୁଁ, କେଉଁ ଆଡ଼େ ଯିବି ? କ’ଣ କରିବି ? ଏହି ଜନ ଶୂନ୍ୟ ଅରଣ୍ୟରେ ମୋର କିଏ ସହାୟ ହେବ ? ହେଟି ତ ରାତି ହୋଇ ଯିବ; ଏହି ବନରେ, ମୁଁ ଏହି ଭୀଷଣ ରାତ୍ରିରେ କିପରି ରହିବି । ଶ୍ୱାପଦଗଣ କି ମୋତେ ନ ଖାଇ ଛାଡ଼ି ଦେବେ ? ମୋ ମରଣରେ ଗର୍ଭସ୍ଥିତ ସନ୍ତାନର ମଧ୍ୟ ମୃତ୍ୟୁ ହେବ । କ’ଣ କରିବି–କି ବୁଦ୍ଧି କରିବି । ଭଗବାନ !’’

 

ଏପରି ଭାବି ଭାବି ସୀତା ବ୍ୟାକୁଳ ହୋଇ ରୋଦନ କରିବାକୁ ଲାଗିଲେ । ନିର୍ଜ୍ଜନ ଅରଣ୍ୟରେ ଦେବୀଙ୍କର ବିଳାପ ଧ୍ୱନିରେ ପ୍ରତିଧ୍ୱନି ଚତ୍ତୁର୍ଦ୍ଦିଗବ୍ୟାପି ଗଲା । ସେ ଗତି ଶୂନ୍ୟ ନିରୁପାୟ ହୋଇ କାନ୍ଦିବା ଛଡ଼ାଆଉ କ’ଣ କରିବେ ଜାଣିପାରିଲେ ନାହିଁ ।

Image

 

ତପୋବନ

(ସପ୍ତମ ପରିଚ୍ଛେଦ)

 

ଗଙ୍ଗାତୀରରେ ଅନତିଦୂରରେ ବାଲ୍ମୀକି ମୁନିଙ୍କର ଆଶ୍ରମ । ବାଲ୍ମୀକି ଆଶ୍ରମରେ ବସିଥିଲା ବେଳେ ସୀତାଙ୍କର ଉଚ୍ଚ କରୁଣ ରୋଦନ ତାଙ୍କୁ ଶୁଭିଲା । ସେ କିଛି ସମୟ ଧ୍ୱନି ପ୍ରତି କର୍ଣ୍ଣ ଡେରି ଦୁଇଜଣ ବୟସ୍କ ବାଳକଙ୍କୁ ଡାକି କହିଲେ, ‘‘ଗଙ୍ଗାତୀରରୁ ଗୋଟିଏ ଧ୍ୱନି ଶୁଭୁଛି । ମୋର ଅନୁମାନ ହେଉଛି ଯେ, ଏହା ଲଳନାକଣ୍ଠରେ କରୁଣ ବିଳାପ । କୌଣସି ଅଭାଗିନୀ ଆସି ନିଃସହାୟ ଭାବରେ ବିକଳସ୍ୱରରେ କ୍ରନ୍ଦନ କରୁଛି । ତୁମ୍ଭେ ଦୁହେଁ ଦେଖି ଆସ ।’’

 

ଆଜ୍ଞାପାଳନ ତତ୍ପର ଶିଷ୍ୟଦ୍ୱୟଙ୍କୁ ପଠାଇ ଦେଇ ମୁନି ସେମାନଙ୍କ ପ୍ରତୀକ୍ଷାରେ ରହିଲେ । ସେ ଠିକ୍‌ କଥା କ’ଣ ଜାଣିବାକୁ କିଞ୍ଚିତ ଉଦ୍‌ବିଗ୍ନ ହେଲେ । ଅଳ୍ପ ସମୟ ପରେ ଶିଷ୍ୟ ଦୁହେଁ ଫେରିବାରୁ ମୁନି ପ୍ରଶ୍ନ କଲେ, ‘‘କ’ଣ ଦେଖିଲ’’ ? ଜଣେ ଶିଷ୍ୟ କହିଲା, ‘‘ଗୁରୁଦେବ, ଆପଣଙ୍କ ଅନୁମାନ ଠିକ୍‌ । କେହି ଜଣେ ନାରୀ ଗଙ୍ଗା ତୀରରେ କିୟତ୍‌ ଦୂରରେ ବସି ଅତି ଆକୁଳ ଭାବରେ କ୍ରନ୍ଦନ କରୁଅଛି । ପତି, ପତି ବୋଲି ନିର୍ଜ୍ଜନ ବନ ମୁଖରିତ କରୁଛି । ତା’ଙ୍କର କରୁଣ ରୋଦନରେ ବନ ନିସ୍ପନ୍ଦ ବୋଧ ହେଉଛି l ବୃକ୍ଷନିଚୟ ନିଷ୍କମ୍ପ, ପକ୍ଷୀକୁଳ ନିସ୍ତବ୍ଧ ଓ ହରିଣୀଯୂଥ ନିଶ୍ଚଳ । ଅଜଶ୍ର ଅଶ୍ରୁବର୍ଷଣରେ ଭୂତଳ ସିକ୍ତ ହୋଇଅଛି । ତା’ର ସେହି ବିଳାପ ଶୁଣି ଆମମାନଙ୍କ ହୃଦୟ ଦୟାରେ ବିଗଳିତ ହେଲା । ତା’ ନିକଟକୁ ଗଲୁ । ମାତ୍ର ଆମ ପ୍ରତି ତା’ର ଦୃଷ୍ଟି ନାହିଁ । ପୃଥିବୀ ତା’ପକ୍ଷରେ ଯେପରି ଘୋର ଅନ୍ଧକାରମୟ । ଆପଣଙ୍କୁ ଏହା ଜଣାଇବାକୁ ଧାଇଁ ଆସିଲୁ । ନିଃସହାୟା ଅବଳାଟିକୁ ଆଶ୍ରମରେ ସ୍ଥାନ ଦେବା ନିତାନ୍ତ ବାଞ୍ଛନୀୟ ।’’

 

ମହର୍ଷି ବାଲ୍ମୀକି ଏହା ଶ୍ରବଣ କରି ସେହିକ୍ଷଣି କେତେ ଶିଷ୍ୟଙ୍କ ସଙ୍ଗେ ଗଙ୍ଗାତୀରରେ ଯାଇ ଉପସ୍ଥିତ ହେଲେ । ଦେଖିଲେ ରୋରୁଦ୍ୟମାନା ରମଣୀ ଅଯୋଧ୍ୟାର ରାଣୀ, ରାମଚନ୍ଦ୍ରଙ୍କ ପତ୍ନୀ–ସୀତା । ଅତିଶୟ ବିସ୍ମିତ ହୋଇ ନିକଟକୁ ଯାଇ କହିଲେ, ‘‘ବତ୍ସେ, ତୁମେ କିଏ ମୁଁ ଜାଣିଲି । ତୁମେ ମୋର ଅପରିଚିତା ନୁହଁ । ତୁମ ପିତା ଜନକ ମହାରାଜ ଓ ଶ୍ୱଶୁର ଦଶରଥ ମୋର ପରମ ବନ୍ଧୁ । ମୋର ନାମ ବାଲ୍ମୀକି । ସେହେତୁରୁ ତୁମେ ମୋର କନ୍ୟାସମାନ । କିଛି ଭୟ କର ନାହିଁ । କାହିଁକି ତୁମେ ଏଠାରେ ଏକାକିନୀ ବସି କ୍ରନ୍ଦନ କରୁଛ ? ତୁମର ଏହି ବିପଦର କାରଣ କ’ଣ ?’’

 

ସୀତା ବାଲ୍ମୀକିଙ୍କର ପରିଚୟ ପାଇ ତାଙ୍କ ପାଦରେ ନମସ୍କାର କଲେ । ଋଷି, ‘‘ପୁତ୍ରବତୀ ହୁଅ’’ ବୋଲି ଆଶୀସ୍‌ ଦେଲେ । ସୀତା ମୁନିଙ୍କୁ ନିଜ ଦୁଃଖର କାରଣ କହିଲେ । କହୁଁ କହୁଁ ତାଙ୍କର କଣ୍ଠରୁଦ୍ଧ ହୋଇଗଲା । ଦୁଃଖାବେଗ ସମ୍ଭାଳି ନପାରି ପୁନର୍ବାର କ୍ରନ୍ଦନ କଲେ । ବାଲ୍ମୀକି ଦେବୀଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ସବୁ ବୁଝିଲି । ବତ୍ସ ଲୋକଙ୍କର ପାପ ଅପବାଦ ଭୟରେ କେବଳ ରାମଚନ୍ଦ୍ର ଏହି ନିଷ୍ଠୁର କାର୍ଯ୍ୟ କରି ଅଛନ୍ତି । ତୁମ୍ଭଠାରେ ତାଙ୍କର ଅଣୁମାତ୍ର ଅବିଶ୍ୱାସ ନାହିଁ । ହେଉ, କ’ଣ ହେଲା, ଏବେ ମୋ ଆଶ୍ରମରେ ନିଶ୍ଚିନ୍ତ ମନରେ କାଳାତିପାତ କର-। ସେଠାରେ ତୁମ୍ଭର କୌଣସି ଅସୁବିଧା ହେବ ନାହିଁ । ମୁନିକୁମାରୀଙ୍କ ସହିତ ସୁଖରେ ଦିନ କଟାଇବ । ହସି ଖେଳି, ଆଶ୍ରମର ଲତାବଳୀ ଯତ୍ନରେ ପାଳନ କରି ଅତି ଆନନ୍ଦରେ ରହିବ । ଅଳ୍ପ ଦିନରେ ତୁମ୍ଭ ପୁତ୍ରମୁଖ କରଣରେ ତପୋବନ ଉଜ୍ଜ୍ୱଳ ହେବ । ଆସ, ଆଶ୍ରମକୁ ଯିବା ।’’ ସୀତାଙ୍କୁ ଏହା କହି ଶିଷ୍ୟ ଗଣଙ୍କୁ କହିଲେ, ‘‘ପେଡ଼ି ଗୁଡ଼ିକ ନେଇ ଆଶ୍ରମରେ ଥୋଇ ଦିଅ । କହିବ ଅଯୋଧ୍ୟାର ରାଣୀ ଆମ୍ଭ ଆଶ୍ରମର ଅତିଥି ହୋଇ ଆସୁଛନ୍ତି । ତୁମ୍ଭେମାନେ ଆଗରେ ଯାଅ, ମୁଁ ଆସୁଛି ।’’ ଏହା କହିବା କ୍ଷଣି ଶିଷ୍ୟଗଣ ହୃଷ୍ଟ ଚିତ୍ତରେ ପେଡ଼ିସବୁ ମୁଣ୍ତରେ ବହି ଚାଲିବାକୁ ଲାଗିଲେ । ବାଲ୍ମୀକି ସୀତାଙ୍କୁ ଉଠି ଯିବାକୁ ପୁନର୍ବାର କହିଲେ, ଦେବୀ ଧୀରେ ଉଠି ମୁନିଙ୍କ ପଦାଙ୍କାନୁସରଣ କରି, ବନପଥରେ ଚାଲିବାକୁ ଲାଗିଲେ ।

 

ଦୁହେଁ ତପୋବନରେ ପ୍ରବେଶ କଲାବେଳେ ସୂର୍ଯ୍ୟଦେବ ଅସ୍ତମିତ ପ୍ରାୟ । ତପୋବନ ସନ୍ଧ୍ୟାଲୋକରେ ରଞ୍ଜିତ । ପକ୍ଷୀକୁଳ ସ୍ୱ ସ୍ୱ ନୀଡ଼ାଭିମୁଖରେ ଗମନୋଦ୍ୟତ । ସୀତା ଅବନତ ମସ୍ତକରେ ମୁନିଙ୍କ ପଛେ ପଛେ ଆଶ୍ରମରେ ପ୍ରବେଶ କଲେ । ମୁନି କନ୍ୟାମାନେ ସୀତାଙ୍କୁ ଦେଖି ମହାଆନନ୍ଦରେ ନେଇ ଗୋଟିଏ ଛୋଟ କୁଟୀରରେ ବସାଇ ଦେଲେ । ଜଣେ ଜଳପୂର୍ଣ୍ଣ କୁମ୍ଭଟିଏ ଆଣି ସତୀଙ୍କ ଧୂଳିଧୂସରିତ ପାଦଦ୍ୱୟ ପ୍ରକ୍ଷାଳନ କରିଦେଲ । ଆଉଜଣେ ଦେବୀଙ୍କ ମୁଖଟି ଜଳରେ ଧୋଇ ଦେଇ ବକୃଳାଞ୍ଚଳରେ ପୋଛି ଦେଲା । ଆଉ ଜଣେ ତାଙ୍କର ବିଶୃଙ୍ଖଳ କେଶରାଶି ହସ୍ତାଙ୍ଗୁଳିରେ ବିନ୍ୟସ୍ତ କରି ଦେଇ ଶେଷରେ ଗୋଟିଏ ମନୋହର ଗଣ୍ଠି ପକାଇଦେଲା l ସୀତା କୁମାରୀମାନଙ୍କ ଆଦରରେ କ୍ଷଣକ ନିମନ୍ତେ ନିଜର ଦୁଃଖ ପାସୋରି ଦେଲେ । ସେମାନଙ୍କ ସହିତ ସ୍ନେହାଳାପ କରି ହୃଦୟର ଦୁଃଖଭାର ଲଘବ କଲେ । ଆଦର ସମ୍ଭାଷଣ ହେଉ ହେଉ ଜଣେ କୁମାରୀ ଗୋଟିଏ ସୁନ୍ଦର କଦଳି ପତ୍ରରେ କେତେ ଫଳ ଓ ମୂଳ ଦେବୀଙ୍କ ଆହାରାର୍ଥେ ବାଢ଼ିଦେଲା-। ସୀତା ଏତେ ଲୋକଙ୍କ ସମ୍ମୁଖରେ ଆହାର କରିବାର କେବେ ଜାଣି ନଥିଲେ । ତାଙ୍କର ଲଜ୍ଜା ଅନୁମାନ କରି ସମସ୍ତେ ସେଠାରୁ ଚାଲିଗଲେ । ଜଣେ କେବଳ ରହିଲା । ଆହାରାନ୍ତର କମଣ୍ତଳରୁ ଅଳ୍ପ ଥଣ୍ତା ଜଳ ପାନ କଲେ ।

 

ଆହାର ପରେ ଜଣେ ଆଶ୍ରମକନ୍ୟା ତଳେ କେତେ ନୀବାରନାଳ ବିଛାଇ ଦେଇ ତହିଁ ଉପରେ ଗୋଟିଏ ମୃଗଚର୍ମ ପାରିଦେଲା । ସୀତା ଅଧିକ କିଛି କଥାବାର୍ତ୍ତା ନ କରି ଧୀରେ ଶୟନ କଲେ । ଶୋଇଛନ୍ତି କି ନାହିଁ ଘୋର ନିଦ୍ରାରେ ଅଭିଭୂତା । ଦେବୀ ଜୀବନର ଭାର, ଜୀବନର ଅକାରଣ ଦୁଃଖ ଓ ଲାଞ୍ଛନା ପାସୋରି ଦେଲେ ।

Image

 

ଉଦ୍ୟାନ ଭ୍ରମଣ

(ଅଷ୍ଟମ ପରିଚ୍ଛେଦ)

 

ବିହଙ୍ଗ କାକଳି ମୁଖରିତ, ସୁମନ ସୁବାସିତ, ତପୋବନରେ ମନ୍ଦ ଗନ୍ଧ ବହର ପ୍ରାଭାତିକ ଶୀତଳ ସ୍ପର୍ଶରେ ସୀତାଦେବୀ ନିଦ୍ରା ପରିହାରପୂର୍ବକ ଗାତ୍ରୋତ୍ଥାନ କରି କୁଟୀର ସମ୍ମୁଖୀନ ପ୍ରାଙ୍ଗଣକୁ ଆଗମନ କଲେ । ବିହଙ୍ଗମନିଚୟ ଖାଦ୍ୟ ଅନ୍ୱେଷଣାର୍ଥ ସ୍ୱ ସ୍ୱ ନୀଡ଼ରୁ ବହିର୍ଗତ ହେଲେ-। ଆଶ୍ରମସ୍ଥ ହରିଣୀଶାବକଗଣ ଭୂ-ଶଯ୍ୟା ପରିତ୍ୟାଗ କରି, ମାତୃବକ୍ଷର ଅମୃତଧାରା ପାନ କଲେ ଓ ଅତି ଉଲ୍ଲାସରେ ଆଶ୍ରମରେ ଏ ପାଖରୁ ସେ ପାଖକୁ ଚଞ୍ଚଳ ବିଚରଣ କରିବାକୁ ଲାଗିଲେ-। ଧେନୁଗଣ ସ୍ୱ ସ୍ୱ ବଛାମାନଙ୍କୁ ଦୁଗ୍ଧ ପାନ କରାଇ ବାଲ୍ମୀକି ଶିଷ୍ୟମାନଙ୍କୁ ଦୁଗ୍ଧ ଦାନରେ କୁଣ୍ଠିତ ହେଲେ । ମାତ୍ର ଚତୁର ଶିଷ୍ୟବର୍ଗ କଳେ ବଳେ ଦୁଗ୍ଧ ଆଦାୟ କରିବାକୁ ଲାଗିଲେ । ଶିଷ୍ୟବୃନ୍ଦ ହୋମାଗ୍ନି ନିମନ୍ତେ ସାମଗ୍ରୀମାନ ସଂଗ୍ରହ କରିବାରେ ରତ ହେଲେ । କେତେ ଶିଷ୍ୟ କୁଶ ସମିଧ ଆହରଣାର୍ଥ ବନାନ୍ତରେ ପ୍ରବେଶ କଲେ । ତାପସଗଣ ନୀବାରନାଳ ଉପରେ ଥିବା କୃଷ୍ଣାଜିନ ଗୋଟାଇ ରଖି ଅନତିଦୂରସ୍ଥ ତମସାରେ ଅବଗାହାନାର୍ଥ କମଣ୍ତଳୁ ଧରି ଗଲେ ।

 

ଅରୁଣରଞ୍ଜିତ ପ୍ରଭାତର ଶୁଭ୍ର ସୁନ୍ଦର ଆଲୋକରେ ତପୋବନର ଶାନ୍ତ ଓ ସରଳ ଶୋଭା ଶତଗୁଣ ବର୍ଦ୍ଧିତ ହେଲା । ଦେବୀ ପ୍ରଶାନ୍ତ ଚିତ୍ତରେ ତପୋବନର କର୍ମନିଚୟ ଦେଖି ଅତି ସନ୍ତୁଷ୍ଟ ହେଲେ । କୌତୁହଳାକ୍ରାନ୍ତ ଦୃଷ୍ଟିରେ ଆଶ୍ରମର ଚତୁର୍ଦ୍ଦିଗ ଚାହୁଁ ଚାହୁଁ ତାପସକୁମାରୀଗଣ ତାଙ୍କର ଚତୁର୍ଦ୍ଦିଗ ଘେରାଇ ରଖିଲେ । ସେମାନଙ୍କୁ ନିକଟରେ ଦେଖି ସୀତା ଅଳ୍ପ ହସିଲେ, ମାତ୍ର କ’ଣ କହିବେ ନ ଜାଣି ନୀରବ ରହିଲେ । ମାତ୍ର ଋଷିକନ୍ୟାଗଣ ମୁହୁର୍ମୁହୁଃ ପ୍ରଶ୍ନ-ଶର-ନିକ୍ଷେପରେ ଦେବୀଙ୍କ ନୀରବତାକୁ ସଂପୂର୍ଣ୍ଣ ପରାଜିତ କଲେ । ସେମାନଙ୍କ ସଙ୍ଗେ ସୀତା ତମସାଭିମୁଖରେ ସ୍ନାନ କରିବାକୁ ଗଲେ ।

 

କଳକଳ ନାଦିନୀ ତମସାର ସୁଶୀତଳ ଜଳରେ ଅବଗାହନ କରି ସୀତା ମନରୁ ତାପ ଓ ଦୁଃଖ ଛଡ଼ାଇ ଦେଲେ । ନଦୀର କଳ ନାଦରେ କନ୍ୟାଗଣଙ୍କ ବୀଣାବିନିନ୍ଦୀ ସ୍ୱର ମିଶି ଅପୂର୍ବ ସଙ୍ଗୀତ ସୃଷ୍ଟ ହେଲା । ସ୍ନାନ ପରେ କୂଳରୁ କୁମ୍ଭମାନ ଆଣି ଜଳପୂର୍ଣ୍ଣ କରିବାକୁ ଲାଗିଲେ । ଜଳପୂର୍ଣ୍ଣ କଳଶ କକ୍ଷରେ ଧରି ବକଳ ପରିହିତା ମୁନିକନ୍ୟାଗଣ ମନ୍ଥର ଗତିରେ ତପୋବନ ଆଡ଼େ ଚାଲିଲେ । ମନ୍ଥରଗତି ଏମାନଙ୍କ ପକ୍ଷରେ ନୂତନ । ସୀତାଙ୍କର ଗର୍ଭଲକ୍ଷଣ ଦେଖି ତାଙ୍କ ପ୍ରତି ସମସ୍ତଙ୍କର ସହାନୁଭୂତି । ସୀତାଙ୍କୁ ମଧ୍ୟରେ ରଖି ସମସ୍ତେ ଧୀରେ ଧୀରେ ଚାଲିବାକୁ ଲାଗିଲେ । ଯୁବତୀମାନଙ୍କର ସରସ ଶୁଭ୍ର ବଦନ ନିଶୀଥ ତାରା ସଦୃଶ ଉଜ୍ଜ୍ୱଳ ଦେଖା ଗଲା । ମଧ୍ୟରେ ଦେବୀଙ୍କ ମୁଖ ଶଶଧର ତୁଲ୍ୟ ଶୋଭା ପାଉଥିଲା । ମାତ୍ର ସେହି ମୁଖଚନ୍ଦ୍ରରେ କିଞ୍ଚିତ ବିଷାଦ-କଳଙ୍କ ରହି ଯାଇଥିଲା ।

 

ଜଳପୂର୍ଣ୍ଣ କୁମ୍ଭ ଧରି ସମସ୍ତେ ତପୋବନସ୍ଥ ଉଦ୍ୟାନରେ ପ୍ରବେଶ କଲେ । ଉଦ୍ୟାନଟି ଭିନ୍ନ ଭିନ୍ନ ଭାଗରେ ବିଭକ୍ତ । ଜଣ ଜଣକର ଗୋଟିଏ ଗୋଟିଏ ଭାଗ । ଯୁବତୀଗଣ ନିଜ ନିଜ ଭାଗର ବୃକ୍ଷରେ ଜଳସେଚନ କରନ୍ତି । ଏପରି ଥରକୁ ଥର ସେମାନେ ଜଳ ଆଣି ବୃକ୍ଷମୂଳରେ ପକାଇବାକୁ ଲାଗିଲେ । ମାତ୍ର ସୀତା ସଖୀଗଣଙ୍କ ପରାମର୍ଶାନୁଯାୟୀ ଉଦ୍ୟାନ ଭ୍ରମଣରେ ରତ ହେଲେ । ଦେବୀଙ୍କ ସ୍ମୃତିପଟରେ ଅଯୋଧ୍ୟା ଉଦ୍ୟାନର ଚିତ୍ର ପ୍ରତିଫଳିତ ହେଲା । ମାନସଚକ୍ଷୁରେ ସ୍ୱାମୀଙ୍କ ସୌମ୍ୟ ବଦନ ଦିଶିଲା । ଦୀର୍ଘନିଶ୍ୱାସ ତ୍ୟାଗ କରି ସେଠାରୁ ପଦଚାଳନ କଲେ ।

 

ଉଦ୍ୟାନଟି ଅତି ରମଣୀୟ । ଚତୁର୍ଦ୍ଦିଗରେ ଇଙ୍ଗୁଦୀ ବୃକ୍ଷଗୁଡ଼ିକ ପ୍ରହରୀ ସଦୃଶ ଦଣ୍ତାୟମାନ । ସ୍ଥାନେ ସ୍ଥାନେ ଅଶୋକ ମହାଦ୍ରୁମ ବିଶାଳ କାୟା ବିସ୍ତାର କରି ରକ୍ତ ପ୍ରବାଳନିଭ କୋମଳ ସୁନ୍ଦର ସୁମନ ବନଦେବୀଙ୍କୁ ଉପହାର ଦେଉଛି । ସୀତା ଏହି ବୃକ୍ଷଟିତଳେ ଠିଆ ହୋଇଛନ୍ତି, ଉପରୁ ଦୁଇଟି ଫୁଲ ତାଙ୍କ ଉପରେ ପଡ଼ିଲା । ଲଙ୍କାର ଅଶୋକବନ ବୃତ୍ତାନ୍ତ ଦେବୀଙ୍କ ମାନସାକାଶରେ ବିଜୁଳି ପରି ଖେଳିଗଲା । ସେ ତ୍ରସ୍ତ ହୋଇ ସେଠାରୁ ଗମନ କଲେ ।

 

ଅଳ୍ପ ଦୂରରେ ଜଳପୂର୍ଣ୍ଣ ଏକ କ୍ଷୁଦ୍ର ବାମ୍ଫି । ମଧ୍ୟଭାଗରେ ଛୋଟ ପଦ୍ମବନ । ଦୁଇ ତିନୋଟି ଫୁଲ ବାୟୁ ହିଲ୍ଲୋଳରେ ମସ୍ତକ ଅବନତ କରି ଦେବୀଙ୍କୁ ଆହ୍ୱାନ କଲେ । ସେଠାରେ କ୍ଷଣକାଳ ପଦ୍ମଶୋଭା ନିରୀକ୍ଷଣ କରି ଅନ୍ୟ ସ୍ଥାନକୁ ଗଲେ ।

 

ଏପରି ଦେଖୁ ଦେଖୁ ଅନେକ ସମୟ ହୋଇଗଲା । କୁମାରୀଗଣଙ୍କ ଉଦ୍ୟାନ କର୍ମ ମଧ୍ୟ ଶେଷ ହେଲା । ସେମାନେ ଦେବୀଙ୍କୁ ସଙ୍ଗେ ନେଇ କୁଟୀର ଆଡ଼େ ଚାଲିଲେ । କଥାବାର୍ତ୍ତା କଲାବେଳେ କେତେଜଣ ଉଦ୍ୟାନ ବିଷୟରେ ସୀତାଙ୍କର ଅଭିମତ ଲୋଡ଼ିଥିଲେ । ସୀତାଙ୍କଠାରୁ ଉକ୍ତ ବିଷୟରେ ଯତ୍‌ପରୋନାସ୍ତି ପ୍ରଶଂସା ଶୁଣି ସମସ୍ତେ ସନ୍ତୁଷ୍ଟ ହେଲେ ।

 

କର୍ମନିରତା ମୁନିକୁମାରୀମାନଙ୍କ ଦିବସ ଶୀଘ୍ର ଶୀଘ୍ର ଚାଲିଯାଉଥାଏ । ସେମାନେ କେବଳ କାୟିକ ପରିଶ୍ରମ କରି ତୃପ୍ତ ନ ଥିଲେ । ମାନସିକ ଉତ୍‌କର୍ଷ ଲାଭ ଓ ଆତ୍ମାର ଶାନ୍ତି ନିମନ୍ତେ ମଧ୍ୟ ସେମାନେ ତତ୍ପର ଥିଲେ । ସରଳ, କର୍ମମୟ ଜୀବନ ଓ ଉନ୍ନତ ମନ–ଏହାହିଁ ଆଶ୍ରମର ଆଦର୍ଶ ଥିଲା । ଏହି ଆଦର୍ଶରେ କି ସ୍ତ୍ରୀ କି ପୁରୁଷ ଆଶ୍ରମବାସୀ ସମସ୍ତେ ଅନୁପ୍ରାଣିତ ହୋଇ ନିଜ ନିଜର ଜୀବନ ନିର୍ବାହ କରୁଥିଲେ ।

 

ସନ୍ଧ୍ୟାହେବା ମାତ୍ରେ ଇଙ୍ଗୁଦୀ ଦୀପାଲୋକରେ ଆଶ୍ରମ ଆଲୋକିତ ହେଉଥାଏ । ଭୋଜନାନନ୍ତର ଦେବୀଙ୍କ ସହିତ କଥାବାର୍ତ୍ତା କରିବାକୁ ଯୁବତୀମାନେ ଆସନ୍ତି–ନାନା ପ୍ରକାର କଥାବାର୍ତ୍ତା ଚାଲେ । ଦେବୀଙ୍କ ନିଦ୍ରା ସମୟ ହେବା ଜାଣି ସମସ୍ତେ ଫେରନ୍ତି ।

 

ଏପରି, ଅଯୋଧ୍ୟା ଭବନ ତ୍ୟାଗକରି, ସ୍ୱାମୀଙ୍କର ପଦସେବାରୁ ବଞ୍ଚିତ, ଲୋକାପବାଦରେ ଲାଞ୍ଛିତା ହୋଇ ସୀତା ବାଲ୍ମୀକି ଆଶ୍ରମରେ ତପସ୍ୱିନୀମାନଙ୍କ ସହିତ ତପସ୍ୱିନୀ ପରି ଦିନ କଟାଉଥାନ୍ତି । ସେଠାରେ ସୁଖରେ ଅଛନ୍ତି ସତ; ମାତ୍ର ସ୍ୱାମୀ-ସ୍ମୃତିକୀଟ ତାଙ୍କ ହୃଦୟକୁ ଖଣ୍ଡ ଖଣ୍ଡ କରି ଦେଉଛି ।

Image

 

ଆତ୍ମକଥା

(ନବମ ପରିଚ୍ଛେଦ)

 

ମଧ୍ୟାହ୍ନ ସମୟ । ଆଶ୍ରମ ନୀରବ । ସମସ୍ତେ ବିଶ୍ରାମ ଉଦ୍ଦେଶ୍ୟରେ ନିଦ୍ରାରତ । ପକ୍ଷୀମାନେ ତରୁଛାୟାରେ ବସି ରବ କରୁଅଛନ୍ତି । ହରିଣଶାବକ ମୁଦ୍ରିତ ଚକ୍ଷୁରେ ଦୁର୍ବାଦଳ ଚର୍ବଣରେ ରତ । ସୀତା ଆଶ୍ରମରେ ବାସ କରି ୪।୫ ମାସ ହେଲାଣି । ମୁନିକୁମାରୀଙ୍କ ସହବାସରେ, ସେମାନଙ୍କ କଥୋପକଥନ ଗହଳରେ ଚିରଦୁଃଖିନୀ ସୀତାଙ୍କ ଦୁଃଖ ବାହାରକୁ ନ ଫୁଟି ଭିତରେ ହିଁ ରହିଛି । ଆଶ୍ରମର ନୀରବତା ଦେଖି ଦୁଃଖ ହୃଦୟ ଭିତରୁ ଧୀରେ ବାହାରି ଦେବୀଙ୍କର ମନ ଆକ୍ରମଣ କଲା । ନିର୍ବାସନଦଣ୍ଡ ଭୀଷଣ ଆକୃତି ଧାରଣ କରି ସୀତାଙ୍କ ଆଗରେ ଆସି ଠିଆ ହୋଇଗଲା । ପତିସେବା ଏହି ଜୀବନରେ ସ୍ୱପ୍ନ, ପତି-ମୁଖ-ଦର୍ଶନରୁ ସେ ଚିରଦିନ ବଞ୍ଚିତ; ଏପରି ଭାବ ପରେ ଭାବ ସମୁଦ୍ର ବକ୍ଷରେ ଲହରୀ ମାଳା ପରି ଖେଳିବାକୁ ଲାଗିଲା । ସେ ଦୁଃଖରେ ଅତି ବିକଳ ହେଲେ । ନୀରବ ଅଶ୍ରୁପାତ ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନ ଥିଲା । ଶିଳା ଉପରୁ ନିର୍ଝରିଣୀ ପରି ଗଣ୍ଡଦେଶରୁ ଅଶ୍ରୁଧାରା ବହି ବକ୍ଷବାସ ସିକ୍ତ କଲା । କେତେକ ଲୋତକ ବିନ୍ଦୁ ଦେବୀଙ୍କ ଅଜ୍ଞାତସାରରେ ନିକଟସ୍ଥ ଜଣେ କନ୍ୟା ଉପରେ ପତିତ ହେଲା । ତା’ ନାମ ସୌଦାମିନୀ । କନ୍ୟାଟି ଚକ୍ଷୁ ଉନ୍ମୀଳନ କରି ଦେଖିଲା, ସୀତା ରୋଦନ କରୁଅଛନ୍ତି । ବାଳିକାଟିର ଅତି ସରଳ ପ୍ରକୃତି । ସେ କେବେ ମାୟା ମମତା ଜାଣି ନ ଥିଲା । ତାହାର ସରଳତାରେ ମୁଗ୍ଧ ହୋଇ ସୀତା ସୌଦାମିନୀକୁ ନିଜର ଛୋଟ ଭଉଣୀ ପରି ଆଦର କରନ୍ତି । ତାହାକୁ ଦେଖିଲେ ଉର୍ମିଳାଙ୍କୁ ଦେଖିଲା ପରି ସୀତାଙ୍କୁ ବୋଧହୁଏ । ସୌଦାମିନୀ ମଧ୍ୟ ସୀତାଙ୍କୁ ବଡ଼ ସୁଖ ପାଏ ଓ ଜ୍ୟେଷ୍ଠା ଭଗିନୀ ସଦୃଶ୍ୟ ଜ୍ଞାନ କରେ । ସୀତାଦେବୀଙ୍କ ରଚିତ, ତାଙ୍କର ଅକାରଣ ନିର୍ବାସନ ଦଣ୍ଡ ବିଷୟ ସେ ଆଶ୍ରମବାସୀଙ୍କ ଠାରୁ ଶୁଣିଛି; ମାତ୍ର କେବଳ ଏଥି ପାଇଁ ସୀତା ଦୁଃଖ କରୁଛନ୍ତି ବୋଲି ସେ ଜାଣି ନାହିଁ । ତାହା ସହିତ ହସି ଖେଳି ରହି ଥିବାର ଦେଖି ସେ ଭାବିଛି ଯେ, ସେ ଯେପରି ସୁଖରେ ଅଛି ଦେବୀ ମଧ୍ୟ ସେପରି ସୁଖରେ ଅଛନ୍ତି । ପତି ବିରହ ଦୁଃଖ, ଅକାରଣ ନିନ୍ଦା ଓ ଅପବାଦ ଜନିତ ହୃଦୟଖେଦ ସରଳା ସୌଦାମିନୀର ଅଗୋଚର । ସେହେତୁରୁ ଦେବୀଙ୍କୁ କାନ୍ଦୁଥିବା ଦେଖି ସେ ବିସ୍ମିତା ହେଲା । ତାଙ୍କ ଚକ୍ଷୁରେ ଜଳ ଦେଖି ସୌଦାମିନୀର ଚକ୍ଷୁ ମଧ୍ୟ ଅଶ୍ରୁପୂର୍ଣ୍ଣ ହେଲା । ସେ ଧୀରେ ଉଠି ସୀତାଙ୍କ ମୁଖ ବଳ୍କଳାଞ୍ଚଳରେ ପୋଛୁ ପୋଛୁ କହିଲା, ‘‘କ’ଣ ହେଲା, କାନ୍ଦୁଚ କାହିଁକି ?’’

 

ସୀତା ବାଳିକାର ମୁଖକୁ ଚାହିଁ ଧୀର ସ୍ୱରରେ କହିଲେ, ‘‘କିଛି ନାହିଁ;’’ ମାତ୍ର ଏହି, ‘‘କିଛି ନାହିଁ’’ ରେ ସୌଦାମିନୀର ବିଶ୍ୱାସ ହେଲା ନାହିଁ । ସେ ବାରମ୍ବାର କହିଲେ, ‘‘ନାହିଁ, କ’ଣ ହେଇଚି କହ ।’’ ସୀତା ଅନ୍ୟ ଉପାୟ ନ ଦେଖି କହିଲେ, ‘‘କିଛି ନାହିଁ, ମୋର ଜୀବନ କଥା ମନେ ପଡ଼ିବାରୁ ଦୁଃଖ ଲାଗିଲା । ଏତିକି ମାତ୍ର ।’’

 

କ୍ରନ୍ଦନ କରିବା ଭଳି ଜୀବନ ଚରିତ ସୀତାଙ୍କର ଅଛି ବୋଲି ସୌଦାମିନୀ ଆଜି ଜାଣିଲା-। ସେହି ଚରିତ ଶୁଣିବାକୁ ସେ ନିତାନ୍ତ ଉତ୍ସୁକ ହେଲା । ସୌଦାମିନୀ ଯାହା ଧରିଥିବ ତାହା ହେଲାଯାଏ ଛାଡ଼ିବ ନାହିଁ । ସେ ସୀତାଙ୍କୁ ଥରକୁ ଥର କହିଲା, ‘‘ତମ ବୃତ୍ତାନ୍ତ କହ, କହ, ମୁଁ ଶୁଣିବି-।’’ ସୀତା କହିବାକୁ ବାଧ୍ୟ ହେଲେ । କୌତୁହଳାକ୍ରାନ୍ତା ସରଳା ସୌଦାମିନୀକୁ ନିରାଶ କରିବାକୁ ଇଚ୍ଛା କଲେ ନାହିଁ । ବାଳିକାଟିର ମୁଖକୁ ଚାହିଁ ସେ ନିଜର ଆତ୍ମ କାହାଣୀ କହିବାକୁ ଲାଗିଲେ । ‘‘ମୋର ପିତାଙ୍କ ନାମ ଜନକ । ସେ ମିଥିଳା ଦେଶର ରାଜା । ସେ ରାଜା ହୋଇ ମଧ୍ୟ ଋଷି ଥିଲେ । ତାଙ୍କର ମୁଁ ଦୁହିତା । ମୋର ବିବାହ-ଯୋଗ୍ୟ ବୟସ ଦେଖି ପିତା ଗୋଟିଏ ପଣ କଲେ ଯେ, ଯେଉଁ ବୀର ଶିବଧନୁଠାରେ ଗୁଣ ଦେବ, ସେ କେବଳ ମୋର ପାଣିଗ୍ରହଣ କରିବ । ବାପାଙ୍କଠାରେ ଶିବଧନୁଟି ଥିଲା ।

 

ସୌଦା–କି, ଏପରି କାହିଁକି ପଣଟିଏ କଲେ ।

 

ସୀତା–ପଣକରି ସେ ମୋତେ ଜଣେ ଶ୍ରେଷ୍ଠ ବୀର ହାତରେ ସମର୍ପଣ କରିବା ଇଚ୍ଛା କରିଥିଲେ । ମୋର ପାଣିଗ୍ରହଣାର୍ଥ ଦେଶାନ୍ତରରୁ ରାଜା ଓ ରାଜପୁତ୍ରମାନେ ଆଗମନ କଲେ । ମାତ୍ର କେହି ହେଲେ ଉକ୍ତ ଧନୁରେ ଗୁଣ ଚଢ଼ାଇ ପାରିଲେ ନାହିଁ । ସେମାନେ ଲଜ୍ଜିତ ହୋଇ ସ୍ୱ ସ୍ୱ ଦେଶକୁ ପ୍ରତ୍ୟାଗମନ କଲେ । ଶେଷରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଅଯୋଧ୍ୟାରାଜପୁତ୍ର ରାମଚନ୍ଦ୍ର ଓ ଲକ୍ଷ୍ମଣ ସେହି ଧନୁଟି ଦେଖିବାକୁ ଆମ୍ଭ ନଗରକୁ ଆସିଲେ । ରାମଚନ୍ଦ୍ର ଅତି ଅନାୟାସରେ ଧନୁଟିରେ ଗୁଣ ଚଢ଼ାଇ ବିନ୍ଧିଲେ । ରାମଙ୍କ ପ୍ରତାପରେ ଧନୁଟି ଦୁଇଖଣ୍ଡ ହୋଇ ତଳେ ପତିତ ହେଲା । ଜନକ ମହାରାଜ ଅତି ଆହ୍ଲାଦିତ ହୋଇ ମୋତେ ରାମଚନ୍ଦ୍ରଙ୍କ କରରେ ସମର୍ପଣ କଲେ । ମିଥିଳାରୁ ଅଯୋଧ୍ୟାକୁ ଯାଇ ମୁଁ ଅତି ସୁଖରେ ପତିଙ୍କ ସଙ୍ଗେ ଦିନ କଟାଇଲି । ସୁଖର ଅଭିବୃଦ୍ଧି ହେବା ବେଳେ ପ୍ରତିବନ୍ଧକ ଆସି ଘଟିଲା ।

 

ସୌଦାମିନୀ–କି ?

 

ସୀତା-ଶ୍ୱଶୁର ମୋର ମହାରାଜ ଦଶରଥ ବୃଦ୍ଧ ବୟସରେ ତାଙ୍କର ଜ୍ୟେଷ୍ଠ ପୁତ୍ର ସୁଗୁଣାଗାର ରାମଚନ୍ଦ୍ରଙ୍କ ଉପରେ ରାଜ୍ୟଭାର ଅର୍ପଣ କରି ଜୀବନର ଶେଷ ଅଂଶତକ ବିଶ୍ରାମ ନେବାକୁ ଇଚ୍ଛା କଲେ । କାଲି ଯୁବରାଜ ହୋଇ ଅଭିଷିକ୍ତ ହେବାର ଥିଲା, ମାତ୍ର ଆଜି ବନବାସୀ ହୋଇ ଅଯୋଧ୍ୟା ପରିତ୍ୟାଗ କଲେ ।

 

ସୌଦାମିନୀ–କାହିଁକି ?

 

ସୀତା–ଏସବୁ ତ ବିଧିର ବିଧାନ । କୈକେୟୀ ମୋର ଦ୍ୱିତୀୟ ଶାଶୁ, ସେ ନିଜ ପୁତ୍ର ଭରତଙ୍କୁ ଯୁବରାଜ କରିବା ଉଦ୍ଦେଶ୍ୟରେ ଦଶରଥଙ୍କୁ କହିଲେ । ଦଶରଥ ଅନିଚ୍ଛାସତ୍ତ୍ୱେ କୈକେୟୀଙ୍କ କଥାରେ ସମ୍ମତ ହୁଅନ୍ତେ ସ୍ଥିର ହେଲା ଯେ, ସ୍ୱାମୀ ମୋର ଚୌଦ ବର୍ଷ ବନରେ ରହିବେ, ଆଉ ଭରତ ଯୁବରାଜ ପଦରେ ଅଭିଷିକ୍ତ ହେବେ । ସୌଦାମିନୀ କହିଲା–ଓହୋ ! କଣ ହେଲା ! ତହିଁ ଉତ୍ତାରୁ ।

 

ସୀତା–ସ୍ୱାମୀ ମୋତେ କହିଲେ ଯେ ପିତୃସତ୍ୟ ପାଳନାର୍ଥେ ସେ ଅରଣ୍ୟକୁ ଯିବେ । ମୁଁ ପ୍ରଥମେ ବିଶ୍ୱାସ କଲି ନାହିଁ । ପଛେ କହିଲି ଯେ, ସେ ବନବାସୀ ହେଲେ, ମୁଁ ନିଶ୍ଚୟ ତାଙ୍କ ସଙ୍ଗେ ବନବାସିନୀ ହେବି । ସ୍ୱାମୀ ବହୁତ ମନା କଲେ । ବହୁତ ବୁଝାଇ କହିଲେ, ମାତ୍ର ମୁଁ ଶୁଣିଲି ନାହିଁ । ମୁଁ କହିଲି ଜଳରେ ହେଉ ସ୍ଥଳରେ ହେଉ, ବନରେ ହେଉ ନଗରରେ ହେଉ ସେ ଯେଉଁଠାରେ ମୁଁ ସେହିଠାରେ । ଇହ ଜୀବନରେ ଓ ପର ଜୀବନରେ ତାଙ୍କ ବିରହ ଅସହନୀୟ । ଓଃ ଏବେ କିପରି ମୁଁ ସ୍ୱାମୀଙ୍କୁ ହରାଇ ବଞ୍ଚି ରହିଛି । ଧିକ ମୋ ଜୀବନ ।

 

ସୌଦା–କ’ଣ ହେଲା ତା’ପରେ ।

 

ସୀତା–ତା’ପରେ ପ୍ରଭୁଙ୍କୁ ବହୁତ ମିନତି କରି କହିବାରୁ ବନକୁ ସଙ୍ଗରେ ନେବାକୁ ସମ୍ମତ ହେଲେ । ଅନୁଜ ଲକ୍ଷ୍ମଣ ମଧ୍ୟ ସଙ୍ଗରେ ଗଲେ । ଅରଣ୍ୟରେ ଏପରି ତିନି ଜଣ ଆମେ କେତେବର୍ଷ କଟାଇ ଦେଲୁ । କୁଟୀରର ରାଣୀ ହୋଇ, ସ୍ୱାମୀଙ୍କ ପ୍ରେମାଧିକାରିଣୀ ହୋଇ, ଲକ୍ଷ୍ମଣଙ୍କ ଭକ୍ତି ଓ ସେବା ଲାଭ କରି ବନବାସ କଷ୍ଟ ଭୁଲି ଯାଇଥିଲି । ମୋର କୋଟି ସଂପଦରେ ସୁଦ୍ଧା ପଞ୍ଚବାଟୀର ଆନନ୍ଦ ହୋଇ ନ ପାରେ । ଯାହା ମନ ହୁଏ ସ୍ୱାମୀ ଆଣିବାକୁ ସର୍ବଦା ତତ୍ପର । ସ୍ୱାମୀଙ୍କ ଆଜ୍ଞା ପାଳନ ନିମନ୍ତେ ସର୍ବଦା ପ୍ରସ୍ତୁତ ଥିଲେ ଦେବର ଲକ୍ଷ୍ମଣ । ବନବାସର ସୁଖ ମଧ୍ୟ ବିଧି ସହି ପାରିଲା ନାହିଁ । ଆହା, ସେହି ଦିବସ ମନେ ପଡ଼ିଲେ ହୃଦୟ ଦୁଃଖାନଳରେ ଦଗ୍ଧ ହେଉଛି, ଜିହ୍ୱା ଶୁଷ୍କ ହେଉଛି, କଣ୍ଠ ରୁଦ୍ଧ ହେଉଛି । ଦିନେ କୁଟୀର ନିକଟରେ କନକ ମୃଗଟିଏ ଦେଖିଲି । ଲୋଭ ସମ୍ବରଣ କରି ନ ପାରି ସ୍ୱାମୀଙ୍କୁ କହିଲି ତାହା ଆଣିବାକୁ । ଚତୁର ଲକ୍ଷ୍ମଣ କେତେ ବୁଝାଇ କହିଲେ, ଅଭାଗିନୀ ମୁଁ ବୁଝିଲି ନାହିଁ । ମାୟାମୃଗ ବୋଲି ମୋର ମାୟାବିହ୍ୱଳ ଚିତ୍ତ ତିଳେ ହେଲେ ବିଶ୍ୱାସ କଲା ନାହିଁ । ଦେବରଙ୍କୁ କଟୂକ୍ତି କହି, ସ୍ୱାମୀଙ୍କୁ ପଠାଇଲି କନକ ମୃଗଟିକୁ ଆଣିବାକୁ । ସେ ଯିବାର କିଛିକ୍ଷଣ ପରେ କର୍ଣ୍ଣରେ ପ୍ରବେଶ କଲା ସେହି କରୁଣ ଡାକ, ‘‘ରଖ ଲକ୍ଷ୍ମଣ ।’ ଲକ୍ଷ୍ମଣ ଅବିଚଳିତ ଭାବରେ ରହି କହିଲେ ଯେ ଏହି ଡାକ ମଧ୍ୟ ମାୟା, ଏହା ରାମଚନ୍ଦ୍ରଙ୍କ ଡାକ ନୁହେଁ । ମାତ୍ର ମୁଁ ଅବଳା, ସ୍ୱାମୀଙ୍କ ବିପଦାଶଙ୍କା କରି ଦେବରଙ୍କୁ ଯିବାକୁ କହିଲି । ଲକ୍ଷ୍ମଣ ମୋତେ ଏକାକିନୀ ରଖି ଯିବାକୁ ଇଚ୍ଛା କଲେ ନାହିଁ, ମାତ୍ର ମୁଁ କଟୂବାକ୍ୟ ବାଣପ୍ରହାରରେ ତାଙ୍କୁ ସେଠାରୁ ପଠାଇଲି । ଆହା, ଦେବର ଲକ୍ଷ୍ମଣ, ଅଭାଗିନୀର ଦୁଃଖନିଚୟ ଏହି ପାପର ପ୍ରାୟଶ୍ଚିତ୍ତ ସିନା । ଲକ୍ଷ୍ମଣ ଗଲେ । ମୁଁ ଏକାକିନୀ କୁଟୀର ଭିତରେ ରହିଲି । ସୌଦାମିନୀ, ତା’ପରେ ଯାହା ହେଲା ଆଉ କ’ଣ କହିବି ? ଅବଳା ହୃଦୟର ଲୋଭ ଓ କୁଟିଳତା ଜାଲରେ ସ୍ୱାମୀ, ଦେବରଙ୍କୁ ପକାଇ ଦେଇ ମୁଁ ନିଜେ ପାପିଷ୍ଠ ରାବଣର ମାୟା ଜାଲରେ ପତିତ ହେଲି ।

 

ସୌଦାମିନୀ କହିଲା–କିଏ ସେ ଏହି ରାବଣ ?

 

ସୀତା–ଏହି ଦୁଷ୍ଟ ରାକ୍ଷସ ହିଁ ମୋତେ ବଳପୂର୍ବକ ଲଙ୍କାଦ୍ୱୀପକୁ ନେଇଗଲା । ଲଙ୍କାର ରାଜା ଏହି ରାବଣ । ସେ ମୋତେ ଲଙ୍କାର ରାଣୀ କରିବାକୁ ନେଇଥିଲା । ମୋର ସତୀତ୍ୱ ଭଗ୍ନ ଉଦ୍ଦେଶ୍ୟରେ ଲଙ୍କାର ଐଶ୍ୱର୍ଯ୍ୟ ଆଣି ମୋ ସମ୍ମୁଖରେ ବାଢ଼ିଲା । ମାତ୍ର ମୁଁ ତିଳେମାତ୍ର ସେଥି ପ୍ରତି ଭ୍ରୂକ୍ଷେପ ନ କରିବାରୁ ମୋତେ ତାହାର ଅଶୋକ ବନରେ ନେଇ ରଖିଲା । କେତେ ଭୟ ଦେଖାଇଲା, କେତେ ତର୍ଜନ ଗର୍ଜନ କଲା, ମାତ୍ର ମୁଁ ସ୍ଥିର, ଅଟଳ, ରାମ ହିଁ ମୋ ଜୀବନର ଗତି । ରାମଭକ୍ତି ହିଁ ମୋତେ ରାକ୍ଷସର ଅତ୍ୟାଚାରରୁ ରକ୍ଷା କରିଥିଲା । ପ୍ରାଣ ବିନାଶ କରିବାକୁ ଭୟ ଦେଖାଇଲା । ରାମ ବିନା ପ୍ରାଣ ମୋର ରହିବା ଅନାବଶ୍ୟକ, ଏହେତୁ ମୁଁ ଭୀତ ନ ହୋଇ ପାପିଷ୍ଠର କଥାରେ ପଡ଼ିଲି ନାହିଁ । ଏପରି ଦୁଃଖରେ, କଷ୍ଟରେ, କାନ୍ଦି କାନ୍ଦି ରାକ୍ଷସପୂର୍ଣ୍ଣ ଲଙ୍କାର ଅଶୋକ ବନରେ ଦଶ ମାସ କାଳ କଟାଇଲି । ଏହି ଦଶଟି ମାସ ମୋ ପକ୍ଷରେ ଦଶ ବର୍ଷ ହୋଇଥିଲା । ପତିଙ୍କ ଚରଣ ଦର୍ଶନ ଆଶାହିଁ ଅଭାଗିନୀକୁ ବଞ୍ଚାଇ ରଖିଥିଲା ।

 

ସୌଦା–ଲଙ୍କାରୁ କିପରି ଆସିଲ ?

 

ସୀତା–ସ୍ୱାମୀ ତାଙ୍କ ଅନୁଜଙ୍କ ସଙ୍ଗେ ବନ, ପର୍ବତ, ନଦନଦୀ, ସର୍ବତ୍ର ମୋର ଅନ୍ୱେଷଣ କରି କେଉଁଠାରେ ମୋତେ ପାଇଲେ ନାହିଁ । ଅବଶେଷରେ କିସ୍କିନ୍ଧ୍ୟାରାଜା ସୁଗ୍ରୀବଙ୍କଠାରୁ ମୋର କଥା ଣୁଣି ଲଙ୍କାକୁ ଯିବାପାଇଁ ଚେଷ୍ଟା କଲେ । ପ୍ରଥମେ ହନୁମାନ ଯାଇ ମୋତେ ଠାବ କଲେ । ପରେ ବିପୁଳସେନା ସହିତ ସ୍ୱାମୀ ସାଗର ପାର ହେଲେ । ଲଙ୍କାରେ ଅନେକ ଦିନ ଘୋର ଯୁଦ୍ଧ ହେଲା । ଲକ୍ଷ ଲକ୍ଷ ଲୋକ ପ୍ରାଣତ୍ୟାଗ କଲେ । ଶେଷରେ ରାବଣ ମଧ୍ୟ ପ୍ରାଣ ହରାଇଲା । ସତୀର ଲାଞ୍ଛନା ଫଳରେ ରାବଣବଂଶ ଛାରଖାର ହେଲା । ସ୍ୱର୍ଣ୍ଣମୟ ଲଙ୍କାପୁରୀ ବିଧ୍ୱସ୍ତ ହେଲା । ମୁଁ ପତିଙ୍କ ଚରଣ ଦର୍ଶନ କଲି । ସମସ୍ତେ ପୁଷ୍ପକ ବିମାନରେ ବସି ଆକାଶମାର୍ଗରେ ଅଯୋଧ୍ୟାକୁ ଫେରିଲୁ । ଦୁଃଖର ଅବସାନ ହେଲା । ଭାବିଥିଲି ଆଉ ଦୁଃଖ ହେବ ନାହିଁ । ମାତ୍ର ବିଧିର ବିଧାନ ଅନ୍ୟ ପ୍ରକାର ।

 

ସୌଦାମିନୀ ରଥଟିଏ ଆକାଶମାର୍ଗରେ ଉଡ଼ିବା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ରଥଟିଏ ପବନରେ କିପରି ଉଡ଼ିଲା । ଏହା କ’ଣ ସତ ?’’

 

ସୀତା–ହଁ, ସେହି ରଥଟିର ନାମ ପୁଷ୍ପକ ବିମାନ, ତାହା ରାବଣ ଅଧୀନରେ ଥାଏ । ମାତ୍ର ମୃତ୍ୟୁ ପରେ ରାମ ତାହା ଅଯୋଧ୍ୟାକୁ ଆଣିଲେ ।

 

ସୌଦାମିନୀର ସେହି ବିମାନଟି ଦେଖିବାକୁ ବଡ଼ ଇଚ୍ଛା ହେଲା ସତ, ମାତ୍ର ତପୋବନରେ ରହି ପୁଷ୍ପକବିମାନ ଦେଖିବ କିପରି ? ସେହେତୁ ସେ ନିରାଶ ହୋଇ ତୁନି ରହିଲା । କ୍ଷଣପରେ ପଚାରିଲା–‘‘ତେବେ, ତୁମ୍ଭଙ୍କୁ ପରେ ସେ କାହିଁକି ତ୍ୟାଗ କଲେ ?’’ ସୀତା କହିଲେ–ଜାଣିଥିଲି ଆଉ ଦୁଃଖ ହେବ ନାହିଁ । ମାତ୍ର ଅଭାଗିନୀର କପାଳ ଅତି ମନ୍ଦ । ବୃଥା ଅପବାଦ ଭୟରେ, ସ୍ୱାମୀ ମୋତେ ନିର୍ବାସିତ କରିଛନ୍ତି । ମାତ୍ର ସେ ନିର୍ଦ୍ଦୋଷ । ସବୁ ଦୋଷ ମୂର୍ଖ ପ୍ରଜାଙ୍କର–ନା-କେହି ଦୋଷୀ ନୁହେଁ–ଏହା କେବଳ ବିଧିର ବିଧାନ । ଲଙ୍କାରେ ଥିଲାବେଳେ ପ୍ରଭୁପାଦ ଲାଭ ଆଶାରେ ମୋର ଦିନ ଯାଉଥାଏ । ମାତ୍ର ଏବେ ସେହି ଆଶା ମଧ୍ୟ ନାହିଁ । ପରିତ୍ୟକ୍ତାକୁ ଆଉ ସ୍ୱାମୀ ପୁନର୍ଗ୍ରହଣ କରିବେ ? ନା, ଜୀବନ ଏପରି ଏକା ଚାଲିଯିବ । ଯାଉ ।

 

ସୌଦାମିନୀ କଥାଟି ଶୁଣି ନୀରବ ରହିଲା । ସୀତା ମଧ୍ୟ ନୀରବ ।

Image

 

କୁଶଲବ

(ଦଶମ ପରିଚ୍ଛେଦ)

 

ଦେବୀଙ୍କ ଗର୍ଭଧାରଣର ଦଶମ ମାସ ଚାଲିବାର ଦେଖି ମହର୍ଷି ଆଦେଶ ଦେଲେ ଯେ, ସୀତାଙ୍କ ସମ୍ବନ୍ଧରେ ଏବେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରିବାକୁ ହେବ । ସେ ହେତୁରୁ ବୟସ୍କା ତାପସୀଗଣ ସର୍ବଦା ଦେବୀଙ୍କ ନିକଟରେ ରହିବାକୁ ଲାଗିଲେ । ସୌଦାମିନୀ ମଧ୍ୟ ସେଠାରେ କେବଳ ରହୁଥିଲା ।

 

ଦିନେ ନିଶୀଥ ସମୟରେ ଦେବୀଙ୍କର ପ୍ରସବ-ବ୍ୟଥା ଆରମ୍ଭ ହେଲା । ଶୟନ କରିଥିଲେ, ଉଠି ବସିଲେ, ବ୍ୟଥା ଅଧିକ ହେଲା । ସତୀ ସହି ନ ପାରି କାନ୍ଦିଲେ । ତାପସୀଗଣ ଉଠିଲେ । କ’ଣ ହେଲା ବୋଲି ପଚାରି ଜଣେ ବୃଦ୍ଧା ନିର୍ବଣୋନ୍ମୁଖ ଦୀପରେ ଇଙ୍ଗୁଦୀ ତୈଳ ଢାଳି ଦେଇ ବତିଟିକୁ ଅଳ୍ପ ‘ତେଜି’ ଦେଲେ । ବ୍ୟଥା ଯୋଗୁଁ ସତୀ ନିତାନ୍ତ ଅସ୍ଥିର ହେଲେ । ଏହା ଦେଖି, ପ୍ରସବ ଅପେକ୍ଷାରେ ସମସ୍ତେ ରହିଲେ । ଦୁଇଜଣ ଦେବୀଙ୍କ ଅଣ୍ଟା ଧରି ବ୍ୟଥା ଉପଶମାର୍ଥେ ନାନା ଉପାୟ କଲେ । ମାତ୍ର କଷ୍ଟର କିଛି ଲାଘବ ହେଲା ନାହିଁ । ଦେବୀ ମୂର୍ଚ୍ଛିତାପ୍ରାୟ ହେଲେ । ସୌଦାମିନୀ ଶୀତଳ ଜଳ ଆଣି ମୁଖରେ ସିଞ୍ଚିବାରୁ ସେ ସଂଜ୍ଞା ଲାଭ କଲେ । ଏପରି ଦୁଇଘଡ଼ି କଷ୍ଟ ପାଇଲା ପରେ ଦେବୀଙ୍କର ଗୋଟିଏ ଶିଶୁ ଭୂତଳରେ ପତିତ ହେଲା । ଆଉ କ୍ଷଣକ ପରେ, ଆଉ ଗୋଟିଏ ଶିଶୁ ଜନ୍ମ ହେଲା । ଯମଜତନୟ ଲାଭ କଥା ସୌଦାମିନୀ ଦ୍ରୁତଗତିରେ ଯାଇ ଗୁରୁଦେବଙ୍କୁ କହିଲା । ମୁନିବର ଅତି ଆନନ୍ଦିତ ହେଲେ । ଭଗବାନଙ୍କ ଅଶେଷ କରୁଣା ଅନୁଭବ କରି ସେ ତାଙ୍କ ନାମ ସ୍ମରଣ କଲେ । ସୁଷୁପ୍ତ ନୀରବ ଆଶ୍ରମ ଆନନ୍ଦ କୋଳାହଳରେ ମୁଖରିତ ହେଲା । ଆଶ୍ରମଟି ଇଙ୍ଗୁଦୀତୈଳ ପୂର୍ଣ୍ଣ ଆଲୋକ ମାଳାରେ ଶୋଭା ପାଇଲା । ଆଶ୍ରମବାସୀଏ ଆନନ୍ଦରେ ଉନ୍ମତ୍ତ ହେଲେ । ଶିଷ୍ୟବର୍ଗ ଆନନ୍ଦରେ ଗୀତ ଗାନ କଲେ । ସୀତାଙ୍କ କୁଟୀର ଦ୍ୱାରରେ ସମସ୍ତେ ରୁଣ୍ଡ ହେଲେ । ଏହି ଚହଳରେ ପଶୁ ପକ୍ଷୀନିକର ନିଦ୍ରା ତ୍ୟାଗ କରି ରବ କରିବାକୁ ଲାଗିଲେ ।

 

କୁଟୀର ଭିତରେ କୁମାର ଦ୍ୱୟଙ୍କର ନାଭି କର୍ତ୍ତିତ ହେଲା । ଶିଶୁ ଦୁହିଁଙ୍କୁ ନିର୍ମଳ ଜଳରେ ସ୍ନାନ କରାଗଲା । ପରେ, ବାଲ୍ମୀକି କୁଟୀର ଭିତରେ ପ୍ରବେଶ କଲେ । ଶିଶୁ ସନ୍ଦର୍ଶନରେ ମୁନିବରଙ୍କ ହୃଦୟ ଅପୂର୍ବ ଆନନ୍ଦ ରସରେ ପୂର୍ଣ୍ଣ ହେଲା । ସେ ଜଳ ଓ କୁଶ ଧରି ନବଜାତ ଶିଶୁଦ୍ୱୟଙ୍କୁ ସମ୍ମାର୍ଜନ କରି ଆଶ୍ରମକୁ ଫେରିଲେ । ସୀତା ପୁତ୍ର ଦୁହିଁଙ୍କୁ ଦେଖି ସବୁ ଦୁଃଖ ବିସ୍ମୃତ ହେଲେ ସତ, ମାତ୍ର ରାମ-ବିରହ-ଯାତନା ପାସୋରି ପାରିଲେ ନାହିଁ । ଅଯୋଧ୍ୟା ନଗରରେ ଶିଶୁ ଦୁହେଁ ଜାତ ହୋଇଥିଲେ କ’ଣ ଯେ ହୋଇଥାନ୍ତା, ରାମଚନ୍ଦ୍ରଙ୍କର କେତେ ଯେ ଆନନ୍ଦ ହୁଅନ୍ତା–ଏପରି ସେ କେତେ ଭାବିବାକୁ ଲାଗିଲେ । ମାତ୍ର ମନର ଭାବନା ମନରେ ହିଁ ମାରି ଶିଶୁ ଦୁହିଁଙ୍କ ଲାଳନ ପାଳନରେ ରତ ହେଲେ ।

 

ଶିଶୁମାନଙ୍କର ନାମ ରଖାଗଲା ଲବ ଓ କୁଶ । ଋଷିକୁମାରଙ୍କ ତୁଲ୍ୟ ରାଜକୁମାରଦ୍ୱୟ ଆଶ୍ରମରେ ବଢ଼ିବାକୁ ଲାଗିଲେ । ୫ ବର୍ଷଯାଏଁ ସୀତାଙ୍କ କୋଳରେ ରହି, ପରେ ମୁନିବରଙ୍କଠାରୁ ଶିଷ୍ୟ ରୂପେ ଗମନ କଲେ । ବାଲ୍ୟ ବୟସରୁ ମୁନି ସେମାନଙ୍କୁ ବିଦ୍ୟା ଶିକ୍ଷା ଦେବାର ଆରମ୍ଭ କଲେ । ଦ୍ୱାଦଶ ବର୍ଷ ହେଲାବେଳକୁ ବାଳକ ଦୁହେଁ ବହୁ ଜ୍ଞାନ ଅର୍ଜ୍ଜନ କରିପକାଇଲେ । ଦିନରେ ଗୁରୁଙ୍କ ନିକଟରେ ବିଦ୍ୟାଧ୍ୟୟନ କରି, ରାତ୍ରି ହେଲେ ମାତାଙ୍କ ନିକଟରେ ଯାଇ ରହନ୍ତି । ସନ୍ଧ୍ୟା ହେବା ମାତ୍ରେ ସୀତା ପୁତ୍ର-ଆଗମନ-ପ୍ରତୀକ୍ଷାରେ କୁଟୀର ଦ୍ୱାରରେ ଠିଆ ହୋଇଥାନ୍ତି । ବାଳକ ଦୁହେଁ ଧାଇଁ ଧାଇଁ ଆସି ମାତାଙ୍କର ଚରଣ ବନ୍ଦନ କରନ୍ତି । ଦେବୀ ଦୁହିଁଙ୍କୁ ଧରି କୁଟୀର ଭିତରେ ପ୍ରବେଶ କରନ୍ତି । ନାନା ପ୍ରକାର କଥୋପକଥନ ଆରମ୍ଭ ହୁଏ । ସେମାନେ ଦିବସରେ ଯାହା ଯାହା ଶିଖିଥାନ୍ତି ସବୁ ମାତାଙ୍କ ଆଗେ କହନ୍ତି । ସେମାନଙ୍କ ଉତ୍ସାହ-ପୂର୍ଣ୍ଣ ବଚନ ସୀତା ଅତି ଆଗ୍ରହ ଚିତ୍ତରେ ଶୁଣନ୍ତି ।

 

ଶାସ୍ତ୍ର ଅଧ୍ୟୟନ ସଙ୍ଗେ ସଙ୍ଗେ ସ୍ୱଜାତିସୁଲଭ-ଧନୁର୍ବିଦ୍ୟା ମଧ୍ୟ ରାଜକୁମାର ଦ୍ୱୟ ମୁନିଙ୍କଠାରୁ ଶିଖିଲେ । ରାମଚନ୍ଦ୍ରଙ୍କ ପୁତ୍ରମାନଙ୍କ ପକ୍ଷରେ ଏହି ବିଦ୍ୟା ଆୟତ୍ତ କରିବା ବେଶି କିଛି କଷ୍ଟ ହୋଇ ନଥିଲା । କୁମାର ଦ୍ୱୟ ଅନାୟାସରେ ଏହି ବିଦ୍ୟା ଶିଖିଲେ । ସେମାନେ ଧନୁହସ୍ତରେ ବନର ନାନା ସ୍ଥାନ ଭ୍ରମଣ କରି ଶିକାର କରୁଥିଲେ । ମହର୍ଷି ଏମାନଙ୍କ ସାହସ, ପରାକ୍ରମ, ଜ୍ଞାନ ଓ ଚାତୁର୍ଯ୍ୟ ଦେଖି ଯତ୍ ପରୋନାସ୍ତି ପ୍ରୀତି ଲାଭ କଲେ । ଦିନେ ଋଷି ସୀତାଙ୍କୁ ଏହି ବିଷୟ କହିବାରୁ ସୀତା କୃତାଞ୍ଜଳି ହୋଇ କହିଲେ,–‘‘ଗୁରୁଦେବ, ଆପଣଙ୍କ ସାହାଯ୍ୟ ମୁଁ କୌଣସି ଜନ୍ମରେ ଭୁଲି ନ ପାରେ । ସେମାନେ ମୋହର ସନ୍ତାନ ସତ୍ୟ, ମାତ୍ର ସେମାନଙ୍କର ଭାର ଆପଣଙ୍କ ଉପରେ କେବଳ-।’’

 

ରାତ୍ରି ଭୋଜନ ଶେଷ ହେଲା ପରେ ବାଳକମାନେ ମାତାଙ୍କୁ କହିଲେ ଯେ ସେମାନେ ମହର୍ଷିଙ୍କଠାରୁ ଗୋଟିଏ ନୂତନ ଗ୍ରନ୍ଥ ପାଠ କରୁଅଛନ୍ତି ।

 

ସୀତା ପଚାରିଲେ–କଣ ସେ ନୂତନ ଗ୍ରନ୍ଥ ।

 

କୁଶ କହିଲେ–ସେହି ଗ୍ରନ୍ଥର ନାମ ରାମାୟଣ ।

 

ରାମ ଶବ୍ଦ ଶୁଣି ଦେବୀ ପ୍ରଥମେ ଚମକି ପଡ଼ିଲେ । ମାତ୍ର ପୁତ୍ରଦ୍ୱୟ ତାଙ୍କର ପ୍ରକୃତ ଅବସ୍ଥା ଜାଣିଦେବେ ବୋଲି ଭୟ କରି ପ୍ରକୃତିସ୍ଥା ହୋଇ କହିଲେ-ରାମାୟଣ ! କ’ଣ ଏ ଗ୍ରନ୍ଥ ?

 

ଲବ ଉତ୍ତର କଲେ–ରାମାୟଣରେ ଅଯୋଧ୍ୟାନୃପତି ରାମଚନ୍ଦ୍ରଙ୍କ ଚରିତ ବର୍ଣ୍ଣିତ ହୋଇଛି । ଏହା ଗୋଟାଏ ସୁନ୍ଦର କାବ୍ୟ । ଗ୍ରନ୍ଥଟି ପାଞ୍ଚ କାଣ୍ଡରେ ବିଭକ୍ତ । * ଅତି ସୁନ୍ଦର ଏହି କାବ୍ୟ । କାବ୍ୟ ଗାନ କଲେ ଶ୍ରୋତା ଓ ଗାୟକର ମନ ଅପୂର୍ବ ସୁଖ ଅନୁଭବ କରେ ।

 

* Five out of the seven books seem to constitute the epic as conceived by Valmiki. Critics regard the first and last books as later additions.

 

ସୀତା ପ୍ରଶ୍ନ କଲେ,–‘କିଏ ଏହି କାବ୍ୟଟି ରଚନା କରିଛନ୍ତି ?’ କୁଶ କହିଲେ, ‘‘ଗୁରୁଦେବ ନିଜେ ରଚନା କରିଛନ୍ତି । ଆଉ କାହା ପକ୍ଷରେ ଏହି ବିଚିତ୍ର ରଚନା, ଭାଷା ଲାଳିତ୍ୟ ଓ ଭାବ ଗାମ୍ଭୀର୍ଯ୍ୟ ସମ୍ଭବ !’’ ସୀତା ମନେ ମନେ ଭାବିଲେ, ‘‘ମହର୍ଷି ରାମାୟଣ ରଚନା କରିବାର କାରଣ କ’ଣ ? ସେହି ଗ୍ରନ୍ଥରେ କି ଏହି ଅଭାଗିନୀର କଥା ମଧ୍ୟ ସ୍ଥାନ ପାଇଛି ? ଲବ କହିଲେ ଆଉ ଗୋଟିଏ କଥା ମା, ଏହା କିପରି ଲେଖା ହେଲା ଜାଣିଛ କି ?’’ ସୀତା ଲବ ଆଡ଼େ ଚାହିଁ ନାହିଁ ବୋଲି ମୁଣ୍ଡ ହଲାଇଲେ । ଲବ କହିଲେ, ‘‘ଗୁରୁଦେବ ଦିନେ ନଦୀ ତଟରେ ସାନ୍ଧ୍ୟକ୍ରିୟା ସମାପନ କରି ଫେରୁଛନ୍ତି, ଏପରି ସମୟରେ ଦେଖିଲେ ଜଣେ ଶବର ମାଂସ ଲୋଭରେ ଦୂରରୁ କ୍ରୌଞ୍ଚ ଯୁଗଳକୁ ଲକ୍ଷ କରି ଶର ନିକ୍ଷେପ କଲା । ଶରଟି ଗୋଟିଏ ପକ୍ଷୀକୁ କେବଳ ବାଜିଲା । ତାହା ପ୍ରାଣ ହରାଇ ତଳେ ପଡ଼ିଗଲା । ଅନ୍ୟଟି ତ୍ରସ୍ତ ହୋଇ ଉଡ଼ିଗଲା । ଏହି ପକ୍ଷୀଟିର ବିରହଯାତନା, ପକ୍ଷୀଟିର ମୃତ୍ୟୁ ଏବଂ ନିଶାଦର କ୍ରୂର କାର୍ଯ୍ୟ ସଦର୍ଶନ କରି ମୁନିଙ୍କ ହୃଦୟରେ ଶୋକ ଓ କ୍ରୋଧର ଏକ ଉଚ୍ଛ୍ୱାସ ବହିଲା । ସେ ଶବରକୁ ଶାପ ଦେଲେ । ଏହି ଶାପ ଗୋଟିଏ ଶ୍ଳୋକର ଅନୁସରଣ କରି ସେ ବିପୁଳ ରାମାୟଣ କାବ୍ୟ ରଚନା କରିଅଛନ୍ତି ।

 

ରାମାୟଣ ଗାନ ନିତି ଶିଖୁଥିବାରୁ ତାହା ଶିଷ୍ୟ ଦୁହିଁଙ୍କର କଣ୍ଠସ୍ଥ ହୋଇଗଲା । ଦୁହେଁ ମାତାଙ୍କ ଆଦେଶ ପାଇ ଲଳିତ କଣ୍ଠରେ ରାମାୟଣର କିୟଦଂଶ ଗାନ କରିବାକୁ ଲାଗିଲେ । ସୀତା ନିର୍ନିମେଷ ଲୋଚନରେ ପୁତ୍ର ଦୁହିଁଙ୍କ ଆଡ଼େ ଚାହିଁ ଏକାଗ୍ର ମନରେ ତାହା ଶୁଣିବାକୁ ଲାଗିଲେ । ରାମବନବାସ ସମ୍ବନ୍ଧୀୟ କେତେ ଶ୍ଳୋକ ସେମାନେ ଗାନ କଲେ । ଏହା ଶୁଣୁ ଶୁଣୁ ତେରବର୍ଷର ବନବାସ ସୀତାଙ୍କ ମାନସ ଚକ୍ଷୁରେ ପ୍ରାଞ୍ଜଳଭାବରେ ପ୍ରତୀୟମାନ ହେଲା । ବାଳକ ଦ୍ୱୟ ଗାଇବାକୁ ଲାଗିଲେ । ଚିତ୍ରକୂଟଠାରେ ଭରତଙ୍କ ଆଗମନ ବେଳେ ସୀତା ଓ ଲକ୍ଷ୍ମଣଙ୍କ ସନ୍ଦେହ, ରାମଚନ୍ଦ୍ରଙ୍କ ସରଳ ବିଶ୍ୱାସ ଇତ୍ୟାଦି କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଭରତ ଅଗ୍ରଜଙ୍କ ପାଦୁକା ଧରି ଅଯୋଧ୍ୟାକୁ ଫେରିଲେ । ରାମଚନ୍ଦ୍ର ମୁନିଗଣଙ୍କ ଉପଦେଶାନୁକ୍ରମେ ଦକ୍ଷିଣାଭିମୁଖରେ ଯିବାକୁ ଉଦ୍ୟତ ହେଲେ । ଆଗରେ ରାମ, ପଛେ ଲକ୍ଷ୍ମଣ ଓ ମଧ୍ୟରେ ସୀତା ବନ ଭୂମିରେ ଚାଲି ଚାଲି ଶରଙ୍ଗଭ ମୁନିଙ୍କ ଆଶ୍ରମରେ ପ୍ରବେଶ କଲେ । ସେଠାରେ ମୁନିଙ୍କର ଆଶୀର୍ବାଦ ଓ ଗୋଟିଏ ଧନୁପ୍ରାପ୍ତ ହୋଇ ତିନି ଜଣ ଅତ୍ରିମୁନିଙ୍କ ଆଶ୍ରମକୁ ଗଲେ । ତାଙ୍କର ଆଦର, ସାନୁରାଗ ଆତିଥ୍ୟରେ ସେମାନେ ସାତିଶୟ ସନ୍ତୋଷ ଲାଭ କଲେ । ଅତ୍ରିମୁନିଙ୍କ ପତ୍ନୀ ସୀତାଙ୍କୁ ବହୁତ ଆଦର କରି କେତେ ଉପହାର ପ୍ରଦାନ କଲେ । ଏଠାରୁ ବିଦାୟ ଗ୍ରହଣ କରି ସେମାନେ ଅଗସ୍ତ୍ୟାଶ୍ରମୋଦ୍ଦେଶ୍ୟରେ ବହିର୍ଗତ ହେଲେ । ଏହି ତପୋବନରେ ଦିନେ ଦୁଇ ଦିନ କଟାଇ ସେମାନେ ଆହୁରି ଦକ୍ଷିଣକୁ ପ୍ରସ୍ଥାନ କଲେ । ଶେଷରେ ଗୋଦାବରୀ ତୀରବର୍ତ୍ତୀ ପଞ୍ଚବଟୀରେ ପ୍ରବେଶ କଲେ ।

 

ଏପରି ଗାଉ ଗାଉ ସେମାନେ ମାୟାମୃଗ ଉପାଖ୍ୟାନ ଆରମ୍ଭ କଲେ । ସୀତାଙ୍କ ହୃଦୟ ଶଙ୍କିତ ହେଲା । ସେ ବେଶି ରାତି ହେଲାଣି ବୋଲି କହି ରାମାୟଣ ଗାନ ସେତିକି ରେ ବନ୍ଦ କରାଇ ଦେଲେ ।

Image

 

ଯଜ୍ଞବିଚାର

(ଏକାଦଶ ପରିଚ୍ଛେଦ)

 

ସୀତାଙ୍କୁ ତ୍ୟାଗ କରି ଦ୍ୱାଦଶ ବର୍ଷ ହେଲାଣି । ପ୍ରେମମୟୀ ପତ୍ନୀଙ୍କ ବିରହରେ ରାମ ପ୍ରଥମେ ମ୍ରିୟମାଣ ହୋଇଥିଲେ । ମାତ୍ର କେତେ ଦିନ ପରେ ସେ ଭାବିଲେ ‘‘ପ୍ରଜାଙ୍କ କଥାରେ ପ୍ରାଣାଧିକ ସୀତାଙ୍କୁ ବିସର୍ଜନ କଲି । ଏବେ ତାଙ୍କ ଭାବନାରେ କାଳହରଣ କଲେ ରାଜକାର୍ଯ୍ୟରେ ବାଧା ଘଟିବ । ପୁଣି ପୂତ ରଘୁକୁଳ କଳଙ୍କିତ ହେବ ।’’ ଏପରି ରାମଚନ୍ଦ୍ର ସୀତାଙ୍କ କଥା ମନରୁ ଦୂର କରିବାକୁ ଚେଷ୍ଟା କରି ରାଜକାର୍ଯ୍ୟରେ ମନୋନିବେଶ କଲେ ।

 

ସେ ଦିନେ ତିନି ଭାଇଙ୍କ ସଙ୍ଗେ ପରାମର୍ଶ କରି ଅଶ୍ୱମେଧ ଯଜ୍ଞ କରିବା ସ୍ଥିର କଲେ । ଏହି ଯଜ୍ଞାନୁଷ୍ଠାନ ସହଜ ନୁହେଁ, ଅପରିମିତ ପରାକ୍ରମ ନ ହେଲେ ରାଜା ଉକ୍ତ ଅନୁଷ୍ଠାନ କରିବାକୁ ସାହସ କରନ୍ତି ନାହିଁ । ଯଜ୍ଞରେ ସମସ୍ତ ରାଜା ତାଙ୍କୁ ସମ୍ମାନ କରନ୍ତି । ସେତେବେଳେ ସେ ସାର୍ବଭୌମ ବା ଚକ୍ରବର୍ତ୍ତୀ ହୁଅନ୍ତି । ମହାରାଜ ରାମଚନ୍ଦ୍ରଙ୍କର ବଳ ଓ ପରାକ୍ରମ ଅଭାବ ନ ଥିଲା ସତ୍ୟ; ମାତ୍ର କେବଳ ସେହି କାରଣରୁ ସେ ଏହି ଯଜ୍ଞ କରୁ ନ ଥିଲେ । ପୌଲସ୍ତ୍ୟ ରାବଣ ଜାତିରେ ବ୍ରାହ୍ମଣ । ସେ ଦୁଷ୍ଟ ହେଲେ ମଧ୍ୟ ତାକୁ ବଧ କରି ରାମଚନ୍ଦ୍ର ବ୍ରହ୍ମହତ୍ୟା ଦୋଷ କରିଅଛନ୍ତି । ଏହି ପାପ ପ୍ରକ୍ଷାଳନ ନିମନ୍ତେ ସେ ଅଶ୍ୱମେଧ ଯଜ୍ଞ କରିବାକୁ ସଙ୍କଳ୍ପ କଲେ ।

 

କୁଳଗୁରୁ ବଶିଷ୍ଠଙ୍କ ବିନା ପରାମର୍ଶରେ ଏପରି ଗୋଟିଏ ମହାନୁଷ୍ଠାନ ହୋଇ ନ ପାରେ-। ତାଙ୍କୁ ଡକାଇ ମହାରାଜ ଯଜ୍ଞ କରିବା ଇଚ୍ଛା କହିଲେ । ଏହା ଶ୍ରବଣ କରି ବଶିଷ୍ଠ ବହୁତ ଅତିଶୟ ସନ୍ତୁଷ୍ଟ ହୋଇ କହିଲେ, ‘‘ମହାରାଜ, ଛାମୁ ଏହି କାର୍ଯ୍ୟଟି କରିବାକୁ ଯାଇ ବିଜ୍ଞଜନୋଚିତ କର୍ତ୍ତବ୍ୟ ସାଧନ କରିବାକୁ ଯାଉଅଛନ୍ତି । ଏହାଠାରୁ ବଳି ଅଧିକ ଯଶଲାଭକର ଅନୁଷ୍ଠାନ ଆଉ କ’ଣ ଅଛି-?’’

 

ଯଜ୍ଞ କରିବା ସ୍ଥିର କରି ରାମଚନ୍ଦ୍ର ସବୁ ଆୟୋଜନ କରିବାକୁ କର୍ମଚାରିଗଣକୁ ଆଦେଶ ଦେଲେ ।

 

ଯଜ୍ଞଦ୍ଦିଷ୍ଟ ଅଶ୍ୱଟି ଭାରତବର୍ଷର ସକଳ ସ୍ଥାନକୁ ଗଲା । ପଛରେ ସୈନ୍ୟ ସାମନ୍ତ ସମରବ୍ୟାବହାରରେ ଲକ୍ଷ୍ମଣକୁମାର ଚନ୍ଦ୍ରକେତୁ ଗଲେ । ଅଶ୍ୱଟିକୁ ସମସ୍ତ ରାଜ୍ୟ ବୁଲି ଅଯୋଧ୍ୟାକୁ ଫେରିବାକୁ ଅନେକ ଦିନ ଲାଗିଥିଲା ।

 

ଏ ଅଶ୍ୱଟି ଫେରିବା ପରେ ଭାରତବର୍ଷର ରାଜା ମହାରାଜା, ଋଷି ଓ ବିଶିଷ୍ଠ ଲୋକଙ୍କୁ ଯଜ୍ଞଭୂମିକୁ ଆସିବାକୁ ନିମନ୍ତ୍ରଣ ପ୍ରେରିତ ହେଲା ।

 

ନୈମିଷାରଣ୍ୟରେ ଯଜ୍ଞ ପାଇଁ ସ୍ଥାନ ନିଶ୍ଚୟ ହେଲା । ରାମ ତିନି ଭ୍ରାତାଙ୍କୁ ଡାକି କହିଲେ,–ଯଜ୍ଞ ଦିବସ ତ ଅତି ନିକଟ ହେଲାଣି । ନିମନ୍ତ୍ରଣ ପତ୍ର ସବୁ ତ ପଠା ହୋଇଛି । ସେମାନେ ଆସିବା ପୂର୍ବରୁ ନୈମିଷାରଣ୍ୟକୁ ଯାଇ ସବୁ ଠିକ୍ କରିବାକୁ ହେବ । ଭରତ, ତୁମ୍ଭେ ଯାଇ ସେଠାରେ ଗଛପତ୍ର କଟାଇ ସ୍ଥାନଟି ନିର୍ମଳ କରାଇ ଦିଅ । ଆଉ ଲକ୍ଷ୍ମଣ, ଖାଦ୍ୟଭଣ୍ଡାରର ଭାର ତୁମ୍ଭ ହାତରେ ରହୁ । ଳକ୍ଷାଧିକ ଲୋକ ଯଜ୍ଞ ସ୍ଥାନକୁ ଆସିବେ । ସେହେତୁ ଆଗରୁ ସବୁ ଖାଦ୍ୟ ରଖିଥିବା ଆବଶ୍ୟକ । ପଛେ ନିଅଣ୍ଟ ହେଲେ ହଇରାଣ ହେବାକୁ ପଡ଼ିବ । ତୁମ୍ଭେ ତ ସବୁ ଜାଣ, ଅଧିକ କ’ଣ କହିବି ?’’ ଭରତ ଓ ଲକ୍ଷ୍ମଣ ସେପରି କରିବେ ବୋଲି ଜଣାଇଲେ । ରାମଚନ୍ଦ୍ର ଶତ୍ରୁଘ୍ନଙ୍କ ଆଡ଼େ ଚାହିଁ କହିଲେ, ‘‘ଭାଇ, ତୁମ୍ଭେ ଆଉ ଭରତ ରାଜା ମହାରାଜାମାନଙ୍କର ସତ୍କାର କରିବ । ମାତ୍ର ଏବେ ଖାଦ୍ୟ ଦ୍ରବ୍ୟ ସଂଗ୍ରହରେ ଲକ୍ଷ୍ମଣଙ୍କର ସାହାଯ୍ୟ କର ।’’ ଶତ୍ରୁଘ୍ନ ‘ଯେ ଆଜ୍ଞା’ କହି ଅନ୍ୟ ଦୁଇ ଭାଇଙ୍କ ସଙ୍ଗେ ସେଠାରୁ ଚାଲିଗଲେ ।

 

ପରେ ବଶିଷ୍ଠ ଆସି ରାମଚନ୍ଦ୍ରଙ୍କ ସହିତ କିଛିକ୍ଷଣ କଥାବାର୍ତ୍ତା କଲେ । ସେ ଅଶ୍ୱମେଧ ଯଜ୍ଞ ହେବା ନିଶ୍ଚିତ ବୋଲି ଜାଣି କହିଲେ, ‘‘ମହାରାଜ, ସବୁ ହେଲା ସତ । ମାତ୍ର ଏହି ଯଜ୍ଞରେ ଗୋଟିଏ ଘୋର ପ୍ରତିବନ୍ଧକ ଅଛି । ତାହା ମୁଁ ପ୍ରଥମେ କହିବାକୁ ଭୁଲି ଯାଇଥିଲି ।’’ ରାମଚନ୍ଦ୍ର ସ୍ତମ୍ଭିତ ହୋଇ କହିଲେ,–‘‘କ’ଣ ତାହା; କି ପ୍ରତିବନ୍ଧକ ?’’

 

ବଶିଷ୍ଠ ଉତ୍ତର ଦେଲେ, ‘‘ମହାରାଜ, ଶାସ୍ତ୍ରାନୁଯାୟୀ ରାଜଧର୍ମିଣୀ ବିନା କୌଣସି ଧର୍ମାନୁଷ୍ଠାନ କରି ନ ପାରନ୍ତି । ପୁଣି ଅଶ୍ୱମେଧ ଯଜ୍ଞର ଗୋଟିଏ ନିୟମ ଅଛି ଯେ ଯଜ୍ଞାନୁଷ୍ଠାନ ସମୟରେ ତୁମ୍ଭେ ନିଶୀଥରେ ଗୋଟିଏ କୋଷବିମୁକ୍ତ ଖଡ଼୍ଗ ବ୍ୟବଧାନରେ ପତ୍ନୀ ନିକଟରେ ଶୟନ କରିବ । ସୀତାଙ୍କ ଅନୁପସ୍ଥିତିରେ ଏହି ବ୍ରତ ପାଳନ କିପରି କରିବ ?

 

ରାମଙ୍କ ସକଳ ଉତ୍ସାହ ଭଗ୍ନ ହେଲା । ନିର୍ବାସିତ ପତ୍ନୀଙ୍କ କଥା ମନରେ ପଡ଼ି ସେ ଅସ୍ଥିର ହେଲେ । ସେ ନିରୁପାୟ ଭାବରେ କହିଲେ ‘‘ମହାଭାଗ ! ତେବେ କି ଉପାୟରେ ଏହି ଯଜ୍ଞସାଧିତ ହେବ ?’’

 

ବଶିଷ୍ଠ କହିଲେ–ଗୋଟିଏ ମାତ୍ର ଉପାୟ ଅଛି ତାହା ତୁମ୍ଭର ଦ୍ୱିତୀୟ ପତ୍ନୀ ଗ୍ରହଣ !’’

 

ବଶିଷ୍ଠଙ୍କର ଏହି ଉକ୍ତି ଶୁଣିବାକ୍ଷଣି ରାମଚନ୍ଦ୍ରଙ୍କର ଶୋଣିତ ପ୍ରବାହ ଘୃଣା ଓ କ୍ରୋଧରେ ଉତ୍ତେଜିତ ହୋଇଗଲା । ସେ ବଜ୍ର ଗମ୍ଭୀର ସ୍ୱରରେ କହିଲେ, ‘‘ତେବେ ଅଶ୍ୱମେଧ ଯଜ୍ଞ ଏତିକିରେ ସମାପ୍ତ ହେଉ । ଆଉ ଅଧିକ ଆବଶ୍ୟକ ନାହିଁ ।’’ ଦ୍ୱିତୀୟ ପତ୍ନୀଗ୍ରହଣ ଦୋଷଶୂନ୍ୟ ଓ ଶାସ୍ତ୍ରାନୁମୋଦିତ ବୋଲି ବଶିଷ୍ଠ ବୁଝାଇ କହିଲେ । ଏହା ଶୁଣି ରାମଚନ୍ଦ୍ରଙ୍କ ଚକ୍ଷୁ ଛଳ ଛଳ ହେଲା । ସେ କହିଲେ–ନା, ଦୁଷ୍ଟ ନିନ୍ଦା ବାକ୍ୟରେ ନିରପରାଧନୀ ସତୀଙ୍କୁ ତ୍ୟାଗ କଲି । ତାଙ୍କ ଚରିତ୍ରରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ, ସେ କେବଳ ମୋର ପ୍ରାଣର ଈଶ୍ୱରୀ । ଜନ୍ମେ ଜନ୍ମେ ଆଉ କେହି ମୋର ପତ୍ନୀ ହୋଇ ପାରିବ ନାହିଁ, ଅନ୍ୟ ସ୍ତ୍ରୀର ପାଦ ଏହି ଭୂମି ସ୍ପର୍ଶ କରିବ ନାହିଁ । ଥାଉ ଏ ଯାଗ, ସବୁ ବନ୍ଦ କର । ନିଷ୍କଳଙ୍କ ଚରିତ୍ରା ସୀତାଙ୍କ ଜୀବନରେ କାଳି ଲଗାଇ ମୁଁ କୌଣସି ଅନୁଷ୍ଠାନ କରିବାକୁ ଚାହେଁ ନାହେଁ ।

 

ପତ୍ନୀଠାରେ ରାମଚନ୍ଦ୍ରଙ୍କର ବିମଳ ପ୍ରେମ ଓ ଅଟଳ ବିଶ୍ୱାସ ଦେଖି ବଶିଷ୍ଠ ଆନନ୍ଦିତ ହୋଇ କହିଲେ, ‘‘ମହାରାଜ, ତୁମ୍ଭର ଏକ ପତ୍ନୀବ୍ରତ ଆଦର୍ଶ ଅଶ୍ୱମେଧ ଅପେକ୍ଷା ଅଧିକ ଯଶ ଆଣିବ । ଏହି ଏକ ପତ୍ନୀଗ୍ରହଣ ଦୃଷ୍ଟାନ୍ତ ଜଗତର ଆଦର୍ଶ ହୋଇ ଚିରକାଳ ରହିବ । ଦାଂପତ୍ୟ ଜୀବନର ଉଜ୍ଜ୍ୱଳ ଆଦର୍ଶ ରୂପେ ସୀତାରାମଙ୍କୁ ଜଗତ ଚିରକାଳ ପୂଜା କରିବ । ମହାରାଜ, ସୀତାସ୍ନେହକୁ ମୂର୍ତ୍ତିମତୀ କରି ଯଜ୍ଞଟି ଅନୁଷ୍ଠିତ ହେଉ, ଏହା ମୋର ଉପଦେଶ । ସ୍ୱର୍ଣ୍ଣମୟୀ ସୀତାମୂର୍ତ୍ତିଟି ଗଠନ କରାଇ ଅଶ୍ୱମେଧ ଯଜ୍ଞ ଆରମ୍ଭ କରନ୍ତୁ ।’’

 

ଏହା ଶୁଣି ମହାରାଜାଙ୍କ ମନ ଶାନ୍ତ ହେଲା । ସେ ସୀତାଙ୍କ ସ୍ୱର୍ଣ୍ଣ ପ୍ରତିମା ତିଆରି ନିମନ୍ତେ ଆଦେଶ ଦେବାକୁ ତତକ୍ଷଣାତ୍ ଲକ୍ଷ୍ମଣଙ୍କୁ ଡକାଇଲେ ।

Image

 

ନୈରାଶ୍ୟରେ ଆଶା ସଂଚାର

(ଦ୍ୱାଦଶ ପରିଚ୍ଛେଦ)

 

ଅଶ୍ୱମେଧ ଯଜ୍ଞର ନିମନ୍ତ୍ରଣ ପତ୍ର ଧରି ରାଜଦୂତ ବାଲ୍ମୀକି ତପୋବନରେ ପ୍ରବେଶ କରି ଅଶ୍ୱରୁ ଅବତରଣ ପୂର୍ବକ ମହର୍ଷିଙ୍କ କୁଟୀରକୁ ଗଲା । ଦଣ୍ଡପ୍ରଣାମାନନ୍ତର ମୁନିଙ୍କ କରକୁ ପତ୍ରିକାଟି ବଢ଼ାଇ ଦେଲା । ମୁନିଶ୍ରେଷ୍ଠ ନିଜେ ପତ୍ରଟି ପାଠକରି ଅତି ପ୍ରୀତ ହେଲେ । ଦୂତର ଆତିଥ୍ୟ ଭାର ଜଣେ ଶିଷ୍ୟ ଉପରେ ନ୍ୟସ୍ତ କରି ପତ୍ରଟି ପୁନର୍ବାର ପାଠକଲେ । ପରେ ତାହା ଆସନ ଉପରେ ଥୋଇ ଦେଇ ମନେ ମନେ ଭାବିଲେ, ‘‘ଧନ୍ୟ ରାମଚନ୍ଦ୍ର ! ଅଶ୍ୱମେଧ ଯଜ୍ଞ କରିବାକୁ ତୁମ୍ଭେହିଁ ଉପଯୁକ୍ତ । ଏହି ଯଜ୍ଞରେ ମୋର ମଧ୍ୟ ଅଭୀଷ୍ଟ ସିଦ୍ଧ ହେବ । କେତେ କାଳ ଆଉ ରାଜକୁମାର ଦୁହିଁଙ୍କୁ ତାପସ ତୁଲ୍ୟ ରଖିବି ? କେତେ ଦିନ ଆଉ ସୁକୁମାରୀ ଜାନକୀରାମଙ୍କ ବିରହଜାତନା ସହି ରହିଥିବେ ? ବେଶ୍ ଦୁଃଖ ଉପଶମର ଉପଯୁକ୍ତ ସମୟ ଆସିଛି । ଏହି ସୁଯୋଗ ଚାଲିଗଲେ–ଆଉ ଆସିବ ନାହିଁ । ଯଥାସାଧ୍ୟ ଚେଷ୍ଟାରେ ପିତା ପୁତ୍ର ଭେଟ ଓ ପତିପତ୍ନୀ ମିଳନ କରାଇବାକୁ ହିଁ ହେବ-।’’

 

ମୁନି କୁଶ ଲବଙ୍କୁ ଡକାଇ ଆଣି କହିଲେ, ‘‘ରାମଚନ୍ଦ୍ରଙ୍କୁ ତୁମ୍ଭେମାନେ ଜାଣ । ସେ ଏକା ରାମାୟଣ କାବ୍ୟର ନାୟକ । ବର୍ତ୍ତମାନ ତୁମ୍ଭେ ରାମଙ୍କ କଥା ପୁସ୍ତକରେ କେବଳ ପଢ଼ୁଛ । ମାତ୍ର ରାମଙ୍କୁ ସ୍ୱଚକ୍ଷୁରେ ଦେଖିବା ସୁଯୋଗ ଏବେ ଘଟିଛି । ଦେଖିବାକୁ ଯିବ ?’’

 

ଦୁହେଁ ଆନନ୍ଦରେ ହସି ହସି କହିଲେ–ହଁ ଯିବୁ । କେଉଁଠାକୁ ଯିବାକୁ ହେବ ?’’

 

ବାଲ୍ମୀକି-ଶ୍ରୀ ରାମଚନ୍ଦ୍ର ନୈମିଷାରଣ୍ୟରେ ଅଶ୍ୱମେଧ ଯଜ୍ଞ କରୁ ଅଛନ୍ତି । ଯଜ୍ଞକୁ ଯିବାପାଇଁ ଆମ୍ଭ ଆଶ୍ରମକୁ ନିମନ୍ତ୍ରଣ ଆସିଛି । ତୁମ୍ଭମାନଙ୍କୁ ସଙ୍ଗେ ଧରି ସେଠାକୁ ଯିବାର ସ୍ଥିର କରିଛି । ତୁମ୍ଭେ ଦୁହେଁ ଯଜ୍ଞଭୂମିରେ ରାମାୟଣ ଗାନ କରି ସମସ୍ତଙ୍କୁ ଶୁଣାଇବ l ଗାନ ଶୁଣି ରାମଚନ୍ଦ୍ର ସନ୍ତୁଷ୍ଟ ହେବେ । କାଲି ପ୍ରତ୍ୟୂଷରୁ ଯିବା ।’’ ଏହା ଶୁଣି ବାଳକ ଦୁହିଁଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେମାନେ ଏହି ସମ୍ବାଦ ମାତାଙ୍କୁ ଶୁଣାଇବାକୁ ହରିଣଶାବକ ପରି ଡେଇଁ ଡେଇଁ କୁଟୀରରେ ଯାଇ ପ୍ରବେଶ କଲେ । ଦେବୀ ସେହିକ୍ଷଣି ଭୋଜନ କରି ବିଶ୍ରାମ ନେଉ ଥିଲେ । ପୁତ୍ରଦ୍ୱୟ ହସି ହସି ମାତାଙ୍କୁ ଉଠାଇ ଦେଲେ । ଦେବୀଙ୍କୁ କୋଳରେ ଧରି କହିଲେ, ‘‘ଗୁରୁଦେବ କାହିଁକି ଡକାଇ ଥିଲେ, କାହିଁକି ଏତେ ହସୁଛ ?’’ କୁଶ ମାତାଙ୍କୁ କହିଲେ–‘‘ଗୁରୁଦେବ କହିଲେ ଯେ ସେ ଆମ୍ଭ ଦୁହିଁଙ୍କୁ ଧରି ରାମାୟଣ କାବ୍ୟର ନାୟକ ମହାରାଜ ରାମଚନ୍ଦ୍ରଙ୍କ ନିକଟକୁ ଯିବେ । ତାଙ୍କ ନିକଟରେ ଆମ୍ଭେ ଦୁହେଁ ରାମାୟଣ ଗାନ କରିବୁ ।’’ ସୀତାଙ୍କୁ ଏହି କଥାର ଅର୍ଥ କିଛି ଭଲ ଜଣା ଗଲା ନାହିଁ, ସେ ପଚାରିଲେ, ‘‘କାହିଁକି ଯିବ ?’’ ଲବ ଉତ୍ତର ଦେଲେ, ‘‘ଅଯୋଧ୍ୟାରୁ ରାମଦୂତ ଆସିଛି । ଆମ୍ଭମାନଙ୍କୁ ରାଜାଙ୍କଠାକୁ ନେବେ । ରାମଚନ୍ଦ୍ର ନୈମିଷାରଣ୍ୟରେ ଅଶ୍ୱମେଧ ଯଜ୍ଞ କରୁଛନ୍ତି ।

 

ଯଜ୍ଞ କଥା ଶୁଣି ଦେବୀଙ୍କ ହୃଦୟ ହଠାତ୍ ବ୍ୟଥିତ ହେଲା । ଏବେ ତାଙ୍କ ମନରେ ଗୋଟିଏ ବିଷମ ଭାବନା ପ୍ରବେଶ କଲା । ‘‘ସ୍ୱାମୀ କଣ ତେବେ ଅନ୍ୟ ପତ୍ନୀ ଗ୍ରହଣ କରି ଅଛନ୍ତି, କରି ନ ଥିଲେ ଯଜ୍ଞ କିପରି କରିବେ ? ବ୍ରତାନୁଯାୟୀ ତାଙ୍କୁ ଯାଗ ପୂର୍ବରୁ ତ କୋଷମୁକ୍ତ ଅସି ବ୍ୟବଧାନରେ ପତ୍ନୀ ନିକଟରେ ଶୟନ କରିବାକୁ ହେବ । କାହା ସଙ୍ଗରେ ସେ ଏବେ ସେହି ବ୍ରତ ପାଳନ କରୁଛନ୍ତି ?’’ ବିବାହକାଳୀନ ମଧୁଶଯ୍ୟାବେଳେ ପତିଙ୍କର ପ୍ରତିଜ୍ଞା ଏବେ ତାଙ୍କର ମନେ ପଡ଼ିଲା । ସେହି ରାତି ରାମ ତାଙ୍କୁ ପ୍ରଥମ ସମ୍ଭାଷଣରେ କହିଥିଲେ ଯେ, ‘‘ତୁମ୍ଭ ବିନା ମୋର ଆଉ କେହି ପତ୍ନୀ ହୋଇ ପାରିବେ ନାହିଁ । ଅନ୍ୟ ସମସ୍ତ ସ୍ତ୍ରୀ ମୋର ସହୋଦରା ପ୍ରତିମ ।’’ କାହିଁ ସେ ପ୍ରତିଜ୍ଞା ?

 

ଆଜି ଯାଏଁ ସେ ନିଃସନ୍ଦେହ ରୂପେ ଭାବିଥିଲେ ଯେ ରାମ କୁଟିଳ ପ୍ରଜାଙ୍କ ନିନ୍ଦା ଭୟରେ କେବଳ ତାଙ୍କୁ ତ୍ୟାଗ କରିଛନ୍ତି; ମାତ୍ର ତାଙ୍କଠାରେ ପତିଙ୍କ ସ୍ନେହ, ମମତା ଓ ବିଶ୍ୱାସ ଅଟଳ ରହିଛି । ଭାବିଥିଲେ, ରାମ ତାଙ୍କ ବିମଳ ଚରିତ୍ରରେ ବିଶ୍ୱାସ କରନ୍ତି । ପତି ଦ୍ୱାରା ପରିତ୍ୟକ୍ତ ହୋଇ ଦେବୀ ଦିନକୁ ଦିନ ଅସ୍ଥି ଚର୍ମ ସାର ହୋଇ ଯାଉଥିଲେ । ପତିଙ୍କ ବିଶ୍ୱାସ ଆଶାରେ କେବଳ ଦେହରୁ ପ୍ରାଣ ନ ଯାଇ ରହିଥିଲା । ଏବେ ତାଙ୍କର ବିଶ୍ୱାସକୁ ଅନ୍ୟ ଏକ ସ୍ତ୍ରୀ ଅଧିକାର କରିବ ଭାବି, ଅନ୍ୟ ଜଣେ ସ୍ତ୍ରୀ ପତିଙ୍କ ପ୍ରେମାଧିକାରିଣୀ ହେବ ଭାବି ତାଙ୍କ ପ୍ରାଣ କଲବଲ ହେଲା । ତାଙ୍କ ମରଣ ଅତି ନିକଟ, ଏହାହିଁ ସେ ନିଶ୍ଚୟ କଲେ । ଭାବିଲେ, ‘‘ଶେଷରେ ଏହା ମଧ୍ୟ ଶୁଣିବାକୁ ମୁଁ ବଞ୍ଚି ରହିଛି ? ମୋତେ ସେ ଭୁଲି ଗଲେ ? ଅଳୀକ ସ୍ୱପ୍ନତୁଲ୍ୟ ପାସୋରି ଦେଲେ ? ଶେଷରେ ଅନ୍ୟ ନାରୀର ପାଣିଗ୍ରହଣ କଲେ ? ହେଉ !’’ ଏହା ଭାବି ସେ ଦୀର୍ଘନିଶ୍ୱାସ ପରିତ୍ୟାଗ କଲେ । ମାତାଙ୍କ ମନର ପ୍ରଚଣ୍ଡ ତୋଫାନ ବାଳକ ଦ୍ୱୟଙ୍କ ସଂପୂର୍ଣ୍ଣ ଅଗୋଚର, ସେମାନେ ରାମ–ଚନ୍ଦ୍ରଙ୍କ ଠାକୁ ଯାଇ କ’ଣ କରିବେ–ଏହି ବିଷୟ କଥା ହୋଇ ହୋଇ ପଦାକୁ ଚାଲିଗଲେ ।

 

ସୀତା ନିଷ୍କମ୍ପା, ନିର୍ନିମେଷ ନୟନରେ ସପତ୍ନୀ ବିଷୟ ଭାବି ବସିଛନ୍ତି । ବାହାରେ ପାଦୁକା ଶବ୍ଦ ଶ୍ରୁତିଗୋଚର ହେଲା । ମହର୍ଷି ଆସୁଥିବାର ଅନୁମାନ କରି ସେ ଠିଆ ହୋଇ ରହିଲେ-। ମୁନିବର ସେଠାରେ ପହଞ୍ଚି ସୀତାଙ୍କ ନମସ୍କାର ପ୍ରାପ୍ତ ହୋଇ ଆଶୀର୍ବାଦ କଲେ । ସେ ନିଜେ ବସି ସୀତାଙ୍କୁ ବସିବାକୁ କହିଲେ । ଦେବୀ ଅଳ୍ପ ଦୂରରେ ଯାଇ ବସିଲେ । ମୁନି କହିଲେ, ‘‘ବତ୍ସେ-! ଶୁଣିଲ ଅଶ୍ୱମେଧ ଯଜ୍ଞ ବିଷୟ ?’’

 

ସୀତା ମସ୍ତକ ଅବନତ କରି ଧୀର ଶୁଷ୍କ ସ୍ୱରରେ କହିଲେ, ‘ହଁ, ଆପଣ ଓ କୁଶ ଲବ ଯାଉଛନ୍ତି ବୋଲି ଶୁଣିଲି । ମୁଁ ତ ଭାଗ୍ୟହୀନା–ପତିଚରଣ ଦର୍ଶନ ମୋ ପକ୍ଷରେ ଅସମ୍ଭବ । ମୁନି କହିଲେ, ‘‘ନା, ସେପରି କହନାହିଁ । ତୁମ୍ଭ ସୌଭାଗ୍ୟ ମଧ୍ୟ ଉଦିତ ହେବ । ଏଥିରେ ସନ୍ଦେହ ନାହିଁ । ମାତ୍ର କିଛି ସମୟ ଅପେକ୍ଷା କରିବାକୁ ହେବ । ମୁଁ ଗୋଟିଏ ପ୍ରଧାନ ଉଦ୍ଦେଶ୍ୟରେ ଏହି ଯଜ୍ଞକୁ ଯାଉଛି । ତାହା ଯଦି ସିଦ୍ଧ ହୁଏ ତେବେ ତୁମ୍ଭର ସୌଭାଗ୍ୟ ଫେରି ଆସିବ । ଭଗବଦାଶୀର୍ବାଦରୁ ଏହା ନିଶ୍ଚୟ ହେବ ବୋଲି ମୁଁ ଭାବୁଛି । ମହାରାଜାଙ୍କୁ ତାଙ୍କର ସ୍ତ୍ରୀ ଓ ତନୟ ଦୁହିଁଙ୍କୁ ପ୍ରତ୍ୟାର୍ପଣ କରି ଜୀବନକୁ ଧନ୍ୟ କରିବି–ଏହି ଆଶା ମୁଁ ପୋଷଣ କରିଅଛି । ଭଗବାନଙ୍କ ଇଚ୍ଛା !

 

ସୀତା ବ୍ୟଥିତ ସ୍ୱରରେ କହିଲେ,–‘‘ଗୁରୁଦେବ, ଆଉ ମୁଁ କ’ଣ କରିବି ? ରାମ ତ ଅନ୍ୟ ପତ୍ନୀ ଗ୍ରହଣ କରିଥିବେ । ନ ହେଲେ ଯଜ୍ଞାରମ୍ଭ ହେବ କିପରି ? ଆଉ ମୁଁ ଗଲେ କି ମୋତେ ସେ ଗ୍ରହଣ କରିବେ ?’’ ଏହା କହୁ କହୁ ଦେବୀଙ୍କ କଣ୍ଠ ରୁଦ୍ଧ ହେଲା । ସେ ଆଉ କିଛି କହି ପାରିଲେ ନାହିଁ । ବାଲ୍ମୀକି ସୀତାଙ୍କର ଏହି ସ୍ୱାଭାବିକ ସନ୍ଦେହ ଜାଣି ଅଳ୍ପ ହସି କହିଲେ, ‘‘ବତ୍ସେ, ତୁମ୍ଭେ ବୃଥା ସନ୍ଦେହ କରୁଛ ? ବୃଥା ବ୍ୟାକୁଳ ହେଉଛ । ରାମଚନ୍ଦ୍ର କି ତୁମ୍ଭ ବ୍ୟତୀତ ଅନ୍ୟ ସ୍ତ୍ରୀ ଗ୍ରହଣ କରି ପାରିବେ ? ହୃଦୟ ତାଙ୍କର ସୀତାମୟ, ସେ କିପରି ଅନ୍ୟ ପତ୍ନୀର ପାଣିଗ୍ରହଣ କରିବେ ? ତୁମ୍ଭେ ଚିନ୍ତା କର ନାହିଁ । ରାମଚନ୍ଦ୍ରଙ୍କ ପତ୍ନୀ ହୋଇ ରହିବାକୁ ତୁମ୍ଭ ଛଡ଼ା ଜଗତରେ ଆଉ କିଏ ଅଛି ?

 

ସୀତା–ତେବେ ପତ୍ନୀ ବିନା ଯଜ୍ଞ କିପରି କରାଯିବ ? ଋଷି ଏବେ କିଞ୍ଚିତ ଉଚ୍ଚ ସ୍ୱରରେ ହାତ ହଲାଇ କହିଲେ, ‘‘ବତ୍ସେ, ଏଠାରେହିଁ ଶ୍ରୀରାମଙ୍କ ଚରିତ୍ରର ଅତୁଳନୀୟ ଗରିମା ପରିସ୍ପୁଟ ହେଉଅଛି । ସେ ପ୍ରଜାସାଧାରଣ ଓ ଗୁରୁଜନଙ୍କ ଉପଦେଶକୁ ଭ୍ରୂକ୍ଷେପ ନ କରି ପୁନର୍ବିବାହ ହେବାକୁ ଅସମ୍ମତ ହେଲେ । ତୁମ୍ଭ ସ୍ଥାନରେ ଗୋଟିଏ କନକ ପ୍ରତିମା ନିର୍ମାଣ କରାଇ ସେହି ସ୍ୱର୍ଣ୍ଣସୀତା ସହିତ ଯଜ୍ଞ କରିବାକୁ ପ୍ରତିଜ୍ଞା କଲେ । ଏହି ସମ୍ବାଦ ଶୁଣି ନିରାଶ ହୃଦୟରେ ମୋର ଆଶାର ସଞ୍ଚାର ହୋଇଛି । ପୁତ୍ର ଦୁହିଁଙ୍କୁ ଯଜ୍ଞ ସ୍ଥାନକୁ ନେଇ ମିଳନର ଶୁଭ ଚେଷ୍ଟା ଆରମ୍ଭ କରିବି । ତୁମ୍ଭେ କେତେ ଦିନ ବାଳକ ଦୁହିଁଙ୍କୁ ଛାଡ଼ି ରହିବାକୁ ହେବ ।

 

ସୀତାଙ୍କ ସନ୍ଦେହ ଦୂର ହେଲା । ସେ ନିଷ୍କଳଙ୍କ ସ୍ୱାମୀ ଚରିତ୍ରରେ କଳଙ୍କାରୋପ ଅପରାଧ ନିମନ୍ତେ ନିଜକୁ ବହୁତ ଧିକାର କଲେ । ଯାହା ହେଉ ପତିଙ୍କ ବିଶ୍ୱାସ କଥା ଶୁଣି ସତୀଙ୍କ ଶରୀରରେ ନବୀନ ପ୍ରାଣ ସଞ୍ଚାର ହେଲା ।

Image

 

ଆଶାରେ ନିରାଶା

(ତ୍ରୟୋଦଶ ପରିଚ୍ଛେଦ)

 

ଅନ୍ଧର ଯଷ୍ଟି, ରଙ୍କର ରତନ, ଦରିଦ୍ରର ଧନ, ପ୍ରାଣର ପ୍ରିୟତମ ସନ୍ତାନ ଦୁହିଁଙ୍କୁ ଛାଡ଼ି ଆଜକୁ ମାସେ ହେଲାଣି । ପତି ବିରହ–ବିଧୁରା ସତୀଙ୍କ ହୃଦୟରେ ନୂତନ ଦୁଃଖ ନିମନ୍ତେ ସ୍ଥାନର ଅଭାବ ନିତି ପୁତ୍ରମାନଙ୍କ ଆସିବା ପଥକୁ ନିରୀକ୍ଷଣ କରି କୁଟୀର ଦ୍ୱାରଦେଶରେ ବସିଥାନ୍ତି । ଏତେ ଦିନ ଯାଏଁ ନ ଆସିବାରୁ ମନରେ ନାନା ପ୍ରକାର ଆଶଙ୍କା ହୁଏ । ମାତ୍ର ବାଲ୍ମୀକି ସଙ୍ଗରେ ଥିବାବେଳେ ଏହି ଆଶଙ୍କା ବୃଥା ବୋଲି ସେ ମନେ ମନେ ଭାବନ୍ତି । ରାତିରେ ସୌଦାମିନୀ ଓ ସୀତା ଦୁହେଁ ମିଶି ଏକ ଶଯ୍ୟାରେ ଶୟନ କରି ନାନା ପ୍ରକାର କଥାବାର୍ତ୍ତା କରନ୍ତି । ଯଜ୍ଞ ସ୍ଥାନରେ କ’ଣ କରୁଥିବେ, ରାମାୟଣ ଗାନ କିପରି ହୋଇଥିବ, ରାମଚନ୍ଦ୍ର କ’ଣ ଭାବୁଥିବେ–ଏହି ବିଷୟ ମନେ ମନେ ବିଚାରୁ ଥାନ୍ତି ।

 

ଦିନେ ଏପରି ଦ୍ୱାରମୁହଁରେ ବସିଛନ୍ତି, ସୌଦାମିନୀ ଦ୍ରୁତ ଗତିରେ ଆସି ଦେବୀଙ୍କୁ କହିଲା–‘‘ହେଟି ଦେଖ, ରଥର ଧ୍ୱଜ ଦିଶୁଛି ।’’ ସୀତା ପଦାକୁ ଆସି ଦେଖିଲେ ଗଙ୍ଗାନଦୀ ଆଡ଼େ ଗୋଟିଏ ରଥର ଶିଖର ଭାଗ ଦିଶୁଛି । ରଥଟିକୁ ଦେଖି ସୀତାଙ୍କ ମନ ଚଞ୍ଚଳ ହେଲା । ସେ ସମ୍ବାଦ ଜାଣିବାକୁ ଉଦ୍‌ବିଗ୍ନ ହେଲେ । କିଛିକ୍ଷଣ ପରେ ଦେଖିଲେ ବାଲ୍ମୀକି ଏକାକୀ ଆସୁଛନ୍ତି । ସେ ଋଷିଙ୍କୁ ପ୍ରମାଣ କରି ଆଶୀର୍ବାଦ ଗ୍ରହଣ କଲେ । ବାଲ୍ମୀକି କୁଟୀର ଭିତରେ ଯାଇ ବସି ସୀତାଙ୍କୁ ବସିବାକୁ କହିଲେ । ସୀତା କାତର ସ୍ୱରରେ କହିଲେ–ବାଳକ ଦୁହେଁ କାହାନ୍ତି ? ବାଲ୍ମୀକି କହିଲେ,–‘‘ହଁ, ବସ, ସବୁକଥା କହୁଛି ।’’ ସୀତା ବସିବା ପରେ ଋଷି ଆରମ୍ଭ କଲେ, ‘‘ବତ୍ସେ, ଶୁଣ ସମସ୍ତ ବୃତ୍ତାନ୍ତ କହୁଛି-। ଆନନ୍ଦର ବିଷୟ ଭଗବାନଙ୍କ କୃପାରୁ ମୋର ଉଦ୍ଦେଶ୍ୟ ସିଦ୍ଧ ହୋଇଅଛି । ସ୍ୱ ରଚିତ ରାମାୟଣ କାବ୍ୟ ବୃକ୍ଷରେ ଅତି ଉପାଦେୟ ଫଳ ଫଳିଅଛି । ବାଳକ ଦୁହେଁ ସେଠାରେ । ତୁମ୍ଭେ ମଧ୍ୟ ସେଠାକୁ ଯିବ । ସେ ହେତୁରେ ମୁଁ ରଥଟିଏ ଧରି ଆସିଅଛି ।

 

ସୀତା ଜିଜ୍ଞାସା କଲେ–ପ୍ରଭୁଙ୍କ କରୁଣା କିପରି ଉଦିତ ହେଲା ?

 

ବାଲ୍ମୀକି–ଅଶ୍ୱମେଧ ଯଜ୍ଞ ଅତି ସମାରୋହରେ ସମ୍ପନ୍ନ ହେଲା । କୁଶ ଓ ଲବ ରାମାୟଣ ଗାନ କରି ଯଜ୍ଞସ୍ଥିତ ସମସ୍ତ ଲୋକଙ୍କୁ ମୋହିତ କଲେ । ବାଳକ ଦ୍ୱୟଙ୍କ ସୁମଧୁର ରାମାୟଣ ଗାନ ନିଜେ ଶୁଣିବାକୁ ମହାରାଜା ଇଚ୍ଛା ପ୍ରକାଶ କଲେ । ବାଳକ ଦୁହେଁ ରାଜାଙ୍କ ନିକଟରେ ମଧ୍ୟ ବୀଣା ବାଦନ କରି ଲଳିତ କଣ୍ଠରେ ରାମାୟଣର କିୟଂଦଶ ଗାନ କଲେ । ସଭାର ସମସ୍ତେ ମୁଗ୍ଧ ହେଲେ । ରାମଚନ୍ଦ୍ରଙ୍କ ହୃଦୟ ନିଜ ଚରିତ ଶ୍ରବଣରେ ଏବଂ ବାଳକ ଦ୍ୱୟଙ୍କ ଲଳିତ ଗାନ ଓ ସେମାନଙ୍କ ଦୁର୍ବାଦଳ ଶ୍ୟାମଳ ସୁନ୍ଦର ରୂପ ଦେଖି ବିସ୍ମୟ ମିଶ୍ରିତ ଆନନ୍ଦରେ ପୂର୍ଣ୍ଣ ହେଲା l ସେ ବାଳକ ଦୁହିଁଙ୍କୁ ଦେଖି ସାତିଶୟ ଆନନ୍ଦିତ ହେଲେ । ତାଙ୍କ ହୃଦୟ ପ୍ରେମ ଦୟା ଓ ବାତ୍ସଲ୍ୟ ରସରେ ଜର୍ଜ୍ଜରିତ ହେଲା । ମାତ୍ର ଏହାର କାରଣ ସେ ଜାଣି ପାରିଲେ ନାହିଁ । ଗାନ ବନ୍ଦ ହେଲାରୁ ସେ ଲକ୍ଷ୍ମଣଙ୍କୁ ଆଜ୍ଞା ଦେଲେ,–‘‘ସେମାନଙ୍କୁ କିଛି ପୁରସ୍କାର ଦିଅ ।’’ ଲକ୍ଷ୍ମଣ କେତେ ସୁବର୍ଣ୍ଣ ମୁଦ୍ରା ଆଣି ସେମାନଙ୍କୁ ଯାଚିବାରୁ କୁଶ କହିଲେ ‘‘ଆମ୍ଭର ଏଥିରେ କ’ଣ ହେବ ? ତାପସ ବାଳ ଦୁହେଁ, ସୁବର୍ଣ୍ଣ ରୌପ୍ୟରେ ଆମ୍ଭର ହେବ କ’ଣ ?’’ ଏହା ଶୁଣି ରାମଚନ୍ଦ୍ର ଆହୁରି ବିସ୍ମିତ ହେଲେ । ସେମାନଙ୍କୁ ପଚାରିଲେ,–‘‘ତୁମ୍ଭେମାନେ କିଏ ? କେଉଁଠାରୁ ଆସିଛ ? ତୁମ୍ଭେମାନେ କାହାର ପୁତ୍ର-?’’ ଲବ ଉତ୍ତର ଦେଲେ, ‘‘କାହାର ପୁଅ ଆମ୍ଭେମାନେ ଜାଣିନାହୁଁ । ଏତିକି ଜାଣୁ ଯେ ଆମ୍ଭେମାନେ ବାଲ୍ମୀକି ମୁନିଙ୍କ ଶିଷ୍ୟ । ଆଉ ଆମ୍ଭର ମାତା ତାଙ୍କ ଆଶ୍ରମରେ ଅଛନ୍ତି । ଆମ୍ଭେମାନେ ସେହି ଆଶ୍ରମରୁ କେବଳ ଛାମୁକୁ ନିମନ୍ତ୍ରଣ ପାଇ ଗୁରୁଦେବଙ୍କ ସଙ୍ଗେ ଆସିଅଛୁ ।’’

 

ରାମ ଏହା ଶୁଣି ମୋ ଆଡ଼େ ଚାହିଁ ରହିଲେ । ମୁଁ କହିଲି, ‘‘ମହାରାଜ, ଏ ଦୁହେଁ ମୋହର ଶିଷ୍ୟ । ମୁଁ ଏମାନଙ୍କୁ ସ୍ୱ ରଚିତ ରାମାୟଣ କାବ୍ୟ ଶିଖାଇ ଅଛି । ଛାମୁ ଶୁଣିବେ ବୋଲି ଏମାନଙ୍କୁ ସଙ୍ଗେ ଧରି ଏଠାକୁ ଆସିଲି ।

 

ରାମ କହିଲେ–ମହାଭାଗ, ଆପଣଙ୍କ ଅନୁଗ୍ରହ ହେଲେ ଦୁହେଁ ସମଗ୍ର ରାମାୟଣ ଗାଇ ମୋର ଆନନ୍ଦ ବର୍ଦ୍ଧନ କରିବେ । ଗାନ କଲେ କେତେ ଦିନ ଲାଗିବ ?

 

ମୁଁ କହିଲି–ମାସାଧିକ ହୋଇପାରେ ।

 

ସେହିକ୍ଷଣି ରାମ ଆଦେଶ ଦେଲେ ଯେ ମାସଯାଏଁ ରାମାୟଣ ଗାନ ହେବ । ସେପରି ଏକ ମାସ ତୁମ୍ଭ ପୁତ୍ର ଦୁହେଁ ରାମାୟଣ ଗାନ କରି ସମାପ୍ତ କଲେ । ଏ ହେତୁରୁ ମୋର ଆସିବାରେ ଏତେ ବିଳମ୍ବ ହେଲା ।

 

ଋଷି ନୀରବ ରହିବା ପରେ ସୀତା କହିଲେ–ଏଥିରେ ମୋତେ ଲୋଡ଼ିବା କଥା ତ ନାହିଁ-?

 

ବାଲ୍ମୀକି କହିଲେ–ଶୁଣ, କହୁଛି । ଏକ ମାସ ରାମାୟଣ ଗାନ ହେଲା । ତୁମ୍ଭର ଅଗ୍ନିପରୀକ୍ଷା କଥା ଲୋକେ ଶୁଣି ଅବାକ୍‌ ହେଲେ । ତୁମ୍ଭେ ନିର୍ଦ୍ଦୋଷୀ ଏହା ସମସ୍ତଙ୍କର ବିଶ୍ୱାସ ହେଲା । ତୁମ୍ଭ ନିର୍ବାସନ ଅନ୍ୟାୟ ବୋଲି ଲୋକେ କହିବାକୁ ଲାଗିଲେ । ଶେଷରେ ଯମଜ ତନୟଙ୍କ ଜନ୍ମ, ତୁମର ଆଶ୍ରମବାସ ଶୁଣି କୁଶଲବଙ୍କୁ ରାମଙ୍କ ତନୟ ବୋଲି ଜାଣି ପାରିଲେ । ରାମଚନ୍ଦ୍ର ପୁତ୍ର ଦୁହିଁଙ୍କୁ ଆଲିଙ୍ଗନ କରି ନିଜ କୋଳରେ ବସାଇଲେ । ବାଳକ ଦୁହେଁ ଅବାକ୍‌ ହୋଇ ମୋ ଆଡ଼େ ଚାହିଁ ରହିଲେ । ରାମ ମୋତେ କହିଲେ,–‘‘ମହାଭାଗ । ଆପଣଙ୍କଠାରେ ମୁଁ ଚିରକୃତଜ୍ଞ । ସୀତାଙ୍କୁ ଆଉ ତପୋବନରେ ରଖିବା ଅନାବଶ୍ୟକ । ଆପଣହିଁ ଯାଇ ସଙ୍ଗରେ ଆଣନ୍ତୁ । ଏହି ସଭାରେ ସମସ୍ତେ ଉପସ୍ଥିତ ଅଛନ୍ତି । ରାମାୟଣ ଶ୍ରବଣରେ ସମସ୍ତଙ୍କ ସନ୍ଦେହ ଦୂର ହୋଇଥିବ । ଏମାନଙ୍କ ଆଗରେହିଁ ସୀତାଙ୍କୁ ପରୀକ୍ଷା କରି ମୁଁ ଗ୍ରହଣ କରିବି ।’’

 

ପରୀକ୍ଷା କଥା ଶୁଣି ଦେବୀଙ୍କ ମୁଖ ବିଷାଦରେ ମଳିନ ହୋଇଗଲା । ସେ କହିଲେ, ‘‘ଆଉଥରେ ପରୀକ୍ଷା !’’ ଋଷି ସତୀଙ୍କ ହୃଦୟର ଗଭୀର ବେଦନା ଅନୁମାନ କରି କହିଲେ, ‘‘ବତ୍ସେ, ମୁଁ ଏହି ପରୀକ୍ଷା କଥା ଶୁଣି ତାଙ୍କୁ ବହୁତ ବୁଝାଇଲି, କୌଶଲ୍ୟା ମଧ୍ୟ ବହୁତ ବୁଝାଇ କହିଲେ । ମାତ୍ର ରାମ କାହାର କଥା ଶୁଣିବାକୁ ନାରାଜ । ପ୍ରଜାଙ୍କ ଭୟ ତାଙ୍କ ମନରୁ ଆହୁରି ସମ୍ପୂର୍ଣ୍ଣ ଯାଇନାହିଁ-

 

ସୀତା ନିରାଶ ହୋଇ କହିଲେ, ‘‘ତେବେ ପରୀକ୍ଷା ଦେବା ପାଇଁ ମୋତେ ଯିବାକୁ ହେବ-? ହେଉ, ଏହା କହି ସେ ଦୀର୍ଘ ନିଶ୍ୱାସ ତ୍ୟାଗ କଲେ । ମୁନି ପତିଙ୍କଠାକୁ ଯିବା ନିମନ୍ତେ ପ୍ରସ୍ତୁତ ପ୍ରସ୍ତୁତ ହେବାକୁ କହି ନିଜ କୁଟୀରକୁ ଗଲେ ।

 

ସୀତା ଆଶ୍ରମରୁ ଯିବେ–ଏହି ସମ୍ବାଦ ବାୟୁବେଗରେ ଆଶ୍ରମ ବ୍ୟାପ୍ତ ହୋଇଗଲା । ସମସ୍ତେ ଦେବୀଙ୍କ ନିକଟକୁ ଆସିଲେ । ବହୁତ କଥାବାର୍ତ୍ତା କଲେ । ବିଦାୟ ନେବାବେଳେ ସେମାନଙ୍କ ଚକ୍ଷୁ ଛଳଛଳ ହେଲା । ସୀତାଙ୍କ ଚକ୍ଷୁ ମଧ୍ୟ ଲୋତକରେ ପୂର୍ଣ୍ଣ ହେଲା । ଆଶ୍ରମ ତରୁଲତାଙ୍କ ଶ୍ୟାମଳ ଶୋଭା, ସଖୀଗଣଙ୍କ ନିର୍ମଳ ସ୍ନେହ ତ୍ୟାଗ କରି ଯିବାକୁ ସତୀଙ୍କ ପକ୍ଷରେ କଷ୍ଟକର ହୋଇଥିଲା । ସମସ୍ତଙ୍କୁ ଆଲିଙ୍ଗନ କରି ବିଦାୟ ଦେଲେ । ପରେ ମୁନିଙ୍କ ପଛେ ପଛେ ରଥ ନିକଟକୁ ଚାଲିଲେ । ରଥ ଚଢ଼ିବା ପୂର୍ବରୁ ସୌଦାମିନୀକୁ ଚୁମ୍ବନ ଦେଇ କହିଲେ, ‘‘ଯାଉଛି ମା ସୌଦାମିନୀ, ସୁଖରେ ରହ ।’’ ମୁନି ମଧ୍ୟ ରଥରେ ବସିଲେ । ପରେ ସାରଥି ତାହା ଚଳାଇବାକୁ ଲାଗିଲା ।

Image

 

ଶେଷ ପରୀକ୍ଷା

(ଚତୁର୍ଦ୍ଦଶ ପରିଚ୍ଛେଦ)

 

ସଭାଗୃହ ଆଜି ଲୋକାରଣ୍ୟ । ସୀତାଙ୍କୁ ଦେଖିବେ ବୋଲି ସମସ୍ତେ ଆସିଛନ୍ତି । ସିଂହାସନରେ ରାଜା ଆସୀନ । ପାର୍ଶ୍ୱରେ ଭ୍ରାତାତ୍ରୟ ଦଣ୍ଡାୟମାନ । ଅନତି ଦୂରରେ ଅନ୍ୟାନ୍ୟ ରାଜକର୍ମଚାରିବୃନ୍ଦ । ସମସ୍ତେ ସୀତାଙ୍କ ଅପେକ୍ଷାରେ ଅଛନ୍ତି । ବାଲ୍ମୀକିଙ୍କ ପଛେ ପଛେ ସୀତା ଆସି ସଭାଗୃହରେ ଠିଆ ହେଲେ ଏବଂ ପତିଙ୍କୁ ଦୂରରୁ ଦେଖି ପ୍ରଣାମ କଲେ । ବାଲ୍ମୀକି ରାମଙ୍କ ନିକଟକୁ ଯାଇ କହିଲେ, ‘‘ମହାରାଜ, ସଭାର ଲୋକଙ୍କୁ ମୋର କିଛି ବକ୍ତବ୍ୟ ଅଛି ।’’ ଲୋକଙ୍କ ଆଡ଼େ ଚାହିଁ କହିଲେ, ‘‘ମୋର ନାମ ବାଲ୍ମୀକି । ମୁଁ ଜଣେ ଋଷି । ମୋ ପିତାଙ୍କ ନାମ ଚ୍ୟବନ ମୁନି । ମୁଁ ଆଜି ଗୋଟିଏ ନିବେଦନ କରିବାକୁ ତୁମ୍ଭମାନଙ୍କ ସମ୍ମୁଖକୁ ଆସିଛି । ମୁଁ ପାନାହାର ତ୍ୟାଗ କରି ବହୁତ ତପସ୍ୟା କରିଛି । ତପସ୍ୟା ବଳରେ ମୁଁ ଅନେକ ଜ୍ଞାନ ସମ୍ପାଦି ଅଛି । ମୁଁ କହୁଛି ଯେ ସୀତାଦେବୀଙ୍କଠାରେ ଅଣୁ ମାତ୍ର ପାପ ନାହିଁ । ସେ ପରମ ପତିବ୍ରତା, ସତୀ–ତାଙ୍କ ଚରିତ୍ର ଏହି ସଂସାରରେ ଅତୁଳନୀୟ । ତାଙ୍କ ମନରେ ତିଳେ ହେଲେ ପାପ ଭାବନା ନାହିଁ । ସେ ନିଷ୍କଳଙ୍କ, ନିନ୍ଦାତୀତ । ତାଙ୍କ ପକ୍ଷରେ କୌଣସି ପରୀକ୍ଷା ଅନାବଶ୍ୟକ ।’’ ପରେ ରାମଚନ୍ଦ୍ରଙ୍କୁ କହିଲେ, ‘‘ମହାରାଜ ମୋର ବଚନ ରକ୍ଷା କରି ସୀତାଙ୍କୁ ବିନା ପରୀକ୍ଷାରେ ଗ୍ରହଣ କର ।’’ କିନ୍ତୁ ପ୍ରଜାଙ୍କ ମଧ୍ୟରୁ ବାଲ୍ମୀକିଙ୍କ ଅନୁରୋଧ ସମର୍ଥନ କରି କେହି ନ କହିବା ଦେଖି ରାମଚନ୍ଦ୍ର କହିଲେ, ‘‘ମୁନିବର, କ୍ଷମା କରନ୍ତୁ । ପରୀକ୍ଷା ସତୀନାରୀ ପକ୍ଷରେ ଅତି ସହଜ । ଅପବାଦରୁ ରକ୍ଷା ପାଇବାକୁ ସୀତାଙ୍କୁ ପରୀକ୍ଷା ନ କରି ମୁଁ ଗ୍ରହଣ କରି ପାରୁନାହିଁ ।’’ କୌଶଲ୍ୟା ପୁତ୍ରଙ୍କ ନିଷ୍ଠୁର ବଚନରେ ମର୍ମାହତ ପ୍ରାୟେ ହୋଇ କହିଲେ, ‘‘ମା ଜାନକୀର କି ଦୁଃଖ ଆହୁରି ଅଣ୍ଟି ନାହିଁ ଯେ, ତୁ ଏହି ପରୀକ୍ଷା କରି ତାହାର ଦୁଃଖ ବହ୍ନିରେ ଘୃତ ଢାଳୁ ଅଛୁ । ସୀତା କି ଦୋଷ କରିଛି ? ତାର ପରି ସତୀ ଜଗତରେ କେତେ ଜଣ ଅଛନ୍ତି ? ବାବୁ, ଆଉ ତୁ ନିଷ୍ଠୁର ହୁଅ ନାହିଁ । ସୀତାକୁ ଗ୍ରହଣ କର । ମୁଁ କୋଳ କରି ନେଇଯିବି । ଆହା, ଦୁଃଖରେ କି ଶୀର୍ଣ୍ଣ ହୋଇଛି । ତୋ ହୃଦୟ ଏଡ଼େ କଠିଣ କି ରାମ ?

 

ରାମ ମାତାଙ୍କୁ କିଛି ଉତ୍ତର ଦେଲେ ନାହିଁ । ପତ୍ନୀଙ୍କ ଆଡ଼େ ଚାହିଁ କହିଲେ, ‘‘ପ୍ରିୟେ ! ତୁମ୍ଭ ଚରିତ୍ର ମୁଁ ଭଲରୂପେ ଜାଣେ । ତୁମ୍ଭେ ସୁବର୍ଣ୍ଣ ସମାନ ଅଗ୍ନିରେ ଶୁଦ୍ଧ । ତୁମ୍ଭଙ୍କୁ ନିର୍ବାସିତ କରି ମୁଁ ବଡ଼ ଅନ୍ୟାୟ କରିଥିଲି । ଏବେ ପରୀକ୍ଷା କରି ଗ୍ରହଣ କରିବି । ପରୀକ୍ଷା ଦେଖି ଲୋକଙ୍କ ମନରୁ ସନ୍ଦେହ ଦୂର ହେବ ।’’ ସୀତା କାଷ୍ଠ ପୁତ୍ତଳିଟି ପରି ଠିଆ ରହିଥିଲେ । ମୁଖ ମ୍ଳାନ, ଚକ୍ଷୁ ଜ୍ୟୋତିହୀନ, ଅଧର ନୀରସ, ଶୀର୍ଣ୍ଣ ଶରୀର । ପତିଙ୍କ ବଚନରେ ସେ ତୀବ୍ର ବେଦନା ଅନୁଭବ କଲେ । ଆଉ କାନ୍ଦିଲେ ନାହିଁ । ହତାଶ ସ୍ୱରରେ କହିଲେ, ‘‘ପ୍ରଭୁ ! ଏହି ଜୀବନରେ ଆଉ କାର୍ଯ୍ୟ ନାହିଁ । ତୁମ୍ଭ ବଚନାନୁଯାୟୀ ମୁଁ ବର୍ତ୍ତମାନ ପରୀକ୍ଷା ଦେବାକୁ ପ୍ରସ୍ତୁତ । ଥରେ ଏପରି ଅଗ୍ନି ପରୀକ୍ଷା କରି ମୋତେ ଗ୍ରହଣ କରିଥିଲ । ଫେରେ ଆଉ ଥରେ ପରୀକ୍ଷା ? କେତେଥର ପରୀକ୍ଷିତ ହୋଇ ଅଭାଗିନୀ ତାହାର ସତୀତ୍ୱ ପ୍ରତିପାଦନ କରୁଥିବ ? କୁଳବଧୂ, ରାଜମହିଷୀ ହୋଇ କେତେ ଥର ସଭାଜନଙ୍କ ସମକ୍ଷରେ ନିର୍ଲଜ୍ଜ ଭାବରେ ମୁଖ ଦେଖାଉଥିବି । ତୁମ୍ଭେ ପଣ୍ଡିତ, ବିଜ୍ଞ, ସର୍ବଗୁଣାଳଙ୍କୃତ-। ବିଚାର କରି କହତ ମୋ ପ୍ରତି ଏହି ବ୍ୟବହାର କି ଉଚିତ ହୋଇଛି ? ମୁଁ ଅଭାଗିନୀ । ନିଜ କର୍ମ ଦୋଷରୁ ପତି କି ପିତାକୁଳେ ମୋର ସହାୟ ହେବାକୁ କେହି ନାହିଁ । ସେହେତୁରୁ ମୁଁ ଜଗତରେ ନିନ୍ଦିତ, ସଭାଗୃହରେ ଅପମାନିତ । ଏହି ପାପିୟସୀ ଲାଗି ତୁମ୍ଭର ଅନେକ କଷ୍ଟ ହୋଇଛି । ମୋ ଲାଗି ତୁମ୍ଭ ଅକଳଙ୍କ ଯଶରେ କଳଙ୍କ ଲାଗିଛି । କେବଳ ପିଲା ଦୁହିଁଙ୍କ ଯୋଗୁଁ ମୁଁ ଆଜି ପର୍ଯ୍ୟନ୍ତ ଜୀବନ ଧରି ରହିଅଛି । ବର୍ତ୍ତମାନ ତୁମ୍ଭର ପିଲାଙ୍କୁ ତୁମ୍ଭେ ଗ୍ରହଣ କରିଅଛ । ଏଣୁ ଜୀବନରେ କିଛି ପ୍ରୟୋଜନ ନାହିଁ । ଅନ୍ତିମ ବିଦାୟ ନେବାକୁ କେବଳ ଏଠାକୁ ଆସିଛି । ଏହି ଦାସୀ ସଂସାରରୁ ଚାଲିଗଲେ ତୁମ୍ଭ ଜୀବନରେ ସୁଖ ହେବ । ଆଉ ଏଠାରେ ରହିବାକୁ ଇଚ୍ଛା ହେଉ ନାହିଁ । କେହି ସଂସାରରେ ମୋତେ ସୁଖ ପାଉନାହିଁ । ବିଦାୟ ନେଉଛି ପ୍ରଭୁ, ଜନ୍ମେ ଜନ୍ମେ ତୁମ୍ଭେ ହିଁ ମୋର ପତି-। ଆଉ କେଉଁ ଜନ୍ମରେ ଯେପରି ଏତେ ଦୁଃଖ ନ ପାଏ । ମୁଁ ଯାଏ ।’’ ପରେ ତଳକୁ ଚାହିଁ ଡାକିଲେ, ମା ବସୁନ୍ଧରି, ଶେଷରେ ତୁ ଏକା ମୋର ଆଶ୍ରୟ ସ୍ଥଳ । ସଂସାରରେ ତୋ ବିନା ମୋର ଅନ୍ୟ ଗତି ନାହିଁ । ସ୍ଥାନ ଦେ ମା, ତୋ’ ଭିତରେ ଲୁଚି ଏହି ନିର୍ଲଜ୍ଜ ଜୀବନରୁ ରକ୍ଷା ପାଇବି ।’’ କି ଆଶ୍ଚର୍ଯ୍ୟ ! ସହସା ପୃଥିବୀ ବିଦୀର୍ଣ୍ଣ ହେଲା । ଦେବୀ ରସାତଳେ ପ୍ରବେଶ କଲେ ।

Image